କଟକ : ମମିତା ମେହେର ହତ୍ୟା ମାମଲାରେ ତଦନ୍ତର ଅଗ୍ରଗତି ସଂପର୍କରେ ସରକାର ହାଇକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି। ଶୁକ୍ରବାର ଦିନ ଜଷ୍ଟିସ୍ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମମିତାଙ୍କ ବାପା ସୁଚନ୍ଦ୍ର ମେହେର ଓ ଭାଇ ବଣ୍ଟି ମେହେରଙ୍କ ଆବେଦନର ଶୁଣାଣି ସମୟରେ ସରକାରଙ୍କ ତରଫରୁ ମୁଦା ଲଫାପାରେ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି। ଘଟଣାର ତଦନ୍ତ ଚାଲିଥିବା ଦୃଷ୍ଟିରୁ ଏ ସଂପର୍କିତ ନଥିପତ୍ର ମୁଦା ଲଫାପାରେ କୋର୍ଟଙ୍କ ଅବଗତି ପାଇଁ ଦାଖଲ କରାଯାଇଛି ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଛି। ଏଥିସହିତ ତଦନ୍ତର ତଦାରଖ ପାଇଁ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଏ.ବି.ଏସ୍. ନାଇଡୁଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ସରକାରଙ୍କ ତରଫରୁ ଅବଗତ କରାଯାଇଛି।
ଅନ୍ୟପକ୍ଷରେ ଏହି ମାମଲାରେ ପକ୍ଷଭୁକ୍ତ ହେବା ପାଇଁ କଳାହାଣ୍ଡି ମେହେର ସମାଜ କାର୍ଯ୍ୟକାରୀ ସଭାପତି ସେନ୍ତାଷ କୁମାର ମେହେରଙ୍କ ପକ୍ଷରୁ ଏକ ଇଣ୍ଟରଭେନସନ୍ (ପକ୍ଷଭୁକ୍ତ) ପିଟିସନ୍ ଦାଖଲ କରାଯାଇଛି ବୋଲି ଆଜି ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଦର୍ଶାଇଥିଲେ। ଏହି ପଟିସନ୍ ଉପରେ ପକ୍ଷ ରଖିବାକୁ ଆବେଦନକାରୀଙ୍କୁ ହାଇକୋର୍ଟ କହିଛନ୍ତି। ଏଥିସହିତ ଡିସେମ୍ବର ୨୩ରେ ମୂଳ ଆବେଦନ ସହିତ ଏହି ପକ୍ଷଭୁକ୍ତ ଆବେଦନର ଶୁଣାଣି ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ପକ୍ଷଭୁକ୍ତ ପିଟିସନରେ ଉଲ୍ଲେଖ କରାଯାଇଛି ଯେ ଶିକ୍ଷୟିତ୍ରୀ ମମିତାଙ୍କ ହତ୍ୟା ଅଞ୍ଚଳରେ ମେହେର ସମାଜକୁ ଦୋହଲାଇ ଦେଇଛି। ଏଥିସହିତ ବିଭିନ୍ନ ସରକାରୀ ଓ ଘରୋଇ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ଯୁବତୀଙ୍କ ମନରେ ଭୟ ସୃଷ୍ଟି କରିଛି। ଆଇନ ଅନୁସାରେ ତଦନ୍ତ କରାଯାଉ ନାହିଁ। ଅପରାଧୀଙ୍କୁ ବଞ୍ଚାଇବା ପାଇଁ ଓ ଅପରାଧକୁ ଚାପି ଦେବା ପାଇଁ ତଦନ୍ତକାରୀ ସଂସ୍ଥା ଉଦ୍ୟମ କରୁଛି। ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଏହି ମାମଲା ସହିତ ସଂପୃକ୍ତି ନେଇ ସ୍ପଷ୍ଟ ସୂଚନା ମିଳିଥିଲେ ମଧ୍ୟ ତାଙ୍କ ସଂପୃକ୍ତି ସଂକ୍ରାନ୍ତରେ ଠୋସ୍ ତଥ୍ୟ ପ୍ରମାଣ ହାସଲ ପାଇଁ ତଦନ୍ତକାରୀ ସଂସ୍ଥା ଜାଣିଶୁଣି ଉଦ୍ୟମ କରୁନାହିଁ। ରାଜନୈତିକ ଚାପରେ ତଦନ୍ତକାରୀ ସଂସ୍ଥା ଦିଗହରା ହୋଇଛି ବୋଲି ପକ୍ଷଭୁକ୍ତ ପିଟିସନ୍ରେ ଦର୍ଶାଯାଇଛି।
ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଦୀପ୍ତ ମହାନ୍ତି ଓ ଆଇନଜୀବୀ ସୌମ୍ୟରଂଜନ ମହାନ୍ତି ଏବଂ ମେହେର ସମାଜ ତରଫରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି।