ମମିତା ହତ୍ୟା ମାମଲା: କୁଆଡ଼େ ଗଲା ବିଜେପି ଟିମ୍ ରିପୋର୍ଟ?

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାକୁ ବିଜେପି ରାଜ୍ୟରେ ଏକ ବଡ଼ ପ୍ରସଙ୍ଗ କରିଛି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଦିନକୁ ଦିନ ବିରୋଧ ବଢ଼ିବାରେ ଲାଗିଛି। ବିଧାନସଭା ବି ଚଲାଇ ଦେଉନି। ହେଲେ ବିଜେପିର ରାଷ୍ଟ୍ରୀୟ ନେତାମାନେ ପୂରା ଚୁପ୍ ବସିଛନ୍ତି। ସଂସଦରେ ମମିତା ପ୍ରସଙ୍ଗ ଉଠିଲେ ବିଜେଡି ଉପରେ ଯେତିକି ଚାପ ପଡ଼ିବ ତାହା ସୃଷ୍ଟି କରିବାରେ ବିଜେପି ବିଫଳ ହେଲାଣି। ଏପରିକି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା କେନ୍ଦ୍ରୀୟ ଟିମ୍‌ର ରିପୋର୍ଟକୁ ମାସେ ହେଲା ଧରି ବସିଥିଲେ ହେଁ ଏନେଇ ପାଟି ଫିଟାଉନାହାନ୍ତି।

ବିଜେପି ସଂସଦରେ ମମିତା ପ୍ରସଙ୍ଗ ନଉଠାଇବା ନେଇ ପ୍ରଶ୍ନ ଉଠିବାର କାରଣ ହେଲା ଅକ୍ଟୋବର ୨୭ରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ମମିତା ମେହେର ହତ୍ୟା ଘଟଣାକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଗୁରୁତ୍ବର ସହ ନେଇଛନ୍ତି। ଏଥିପାଇଁ ଏକ ତିନି ଜଣିଆ ଟିମ୍ ଗଠନ ହୋଇଛି। ସେମାନେ କଳାହାଣ୍ଡି ଓ ବଲାଙ୍ଗୀର ଯାଇ ସରଜମିନ୍ ତଦନ୍ତ କରିବେ ଏବଂ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବା ପରେ ଶ୍ରୀ ନଡ୍ଡାଙ୍କୁ ରିପୋର୍ଟ ଦେବେ।

ଜେପି ନଡ୍ଡାଙ୍କ ଅନୁମୋଦନରେ ଅକ୍ଟୋବର ୨୭ରେ ମମିତା ମେହେର ହତ୍ୟା ଘଟଣାର ସରଜମିନ୍ ଯାଞ୍ଚ ପାଇଁ ବିଜେପିର ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ ବନଥୀ ଶ୍ରୀନିବାସନ୍‌ଙ୍କ ନେତୃତ୍ବରେ ଏକ ତିନି ଜଣିଆ ଟିମ୍ ଘୋଷଣା ହେଲା। ଏଥିରେ ସାଂସଦ ସୁନିତା ଦୁଗ୍ଗଲ, ପଶ୍ଚିମବଙ୍ଗର ବିଧାୟିକା ଶ୍ରୀରୁପା ମିତ୍ର ଚୌଧୁରୀ ସଦସ୍ୟ ଭାବେ ସ୍ଥାନ ପାଇଲେ। ତିନି ଜଣିଆ ଟିମ୍ ଅକ୍ଟୋବର ୨୯ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ବଲାଙ୍ଗୀର ଓ କଳାହାଣ୍ଡି ଗସ୍ତରେ ଗଲେ। ସେଠାରୁ ୩୦ ତାରିଖରେ ଫେରିବା ପରେ ଭୁବନେଶ୍ବରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଲେ ଯେ ମମିତା ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ସରକାର ସବୁ ପ୍ରକାରର ଅବହେଳା କରିଛନ୍ତି। ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ଅଭିଯୋଗ ହେଉଥିବାରୁ ସେ ଗୃହରାଷ୍ଟ୍ର ମନ୍ତ୍ରୀ ଥିବା ପର୍ଯ୍ୟନ୍ତ ଘଟଣାର ନିରପେକ୍ଷ ତଦନ୍ତ ହୋଇପାରିବନି। ତେଣୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯିବା ସହ ଘଟଣାର ସିବିଆଇ ତଦନ୍ତ କରାଯାଉ। ଏହାସହ ପୀଡ଼ିତା ଅନୁକମ୍ପା ପାଣ୍ଠିରୁ ମମିତାଙ୍କ ପରିବାରକୁ ଅର୍ଥ ଦିଆଯାଉ, ସାକ୍ଷୀ ନିରାପତ୍ତା ଯୋଜନାରେ ସମସ୍ତ ସାକ୍ଷୀଙ୍କୁ ସୁରକ୍ଷା ଦିଆଯାଉ ଇତ୍ୟାଦି କହିଲେ। ହେଲେ କ’ଣ ଦେଖିଲେ, ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ କ’ଣ ରିପୋର୍ଟ ଦେବେ? ସେନେଇ କିଛି କହିଲେନି। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କେବଳ ଏତିକି କହିଲେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ସବିଶେଷ ରିପୋର୍ଟ ଦେବୁ। ଶ୍ରୀ ନଡ୍ଡା ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ଏହି ରିପୋର୍ଟ ଉନ୍ମୋଚନ କରିବା ସହ ଦଳର ଆଭିମୁଖ୍ୟ ବିଷୟରେ କହିବେ। ଏହାପରେ ନୂଆଦିଲ୍ଲୀରେ ବସିଥିବା ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅବସରରେ ନଭେମ୍ବର ୭ତା‌ରିଖରେ କେନ୍ଦ୍ରୀୟ ପ୍ରତିନିଧି ଦଳ ଶ୍ରୀ ନଡ୍ଡାଙ୍କୁ ରିପୋର୍ଟ ବି ଦେଇଥିଲେ।

କିନ୍ତୁ ରିପୋର୍ଟ ପାଇବାର ମାସକ ପରେ ବି ଶ୍ରୀ ନଡ୍ଡା କାହିଁକି ଚୁପ୍ ବସିଛନ୍ତି ତାହାକୁ ନେଇ ରାଜ୍ୟ ବିଜେପି ନେତାମାନଙ୍କ ମଧ୍ୟରେ ଚର୍ଚା ହେଲାଣି। ରାଜ୍ୟରେ ଏହାକୁ ନେଇ ଆନ୍ଦୋଳନ ଚାଲିଥିବା ବେଳେ କେନ୍ଦ୍ରୀୟ ନେତାଙ୍କ ଏଭଳି ଆଭିମୁଖ୍ୟ ସେମାନଙ୍କୁ ଦ୍ବନ୍ଦ୍ବରେ ପକାଇଛି ବୋଲି ଜଣେ ନେତା କହିଛନ୍ତି। ଯେଉଁ ଆଭିମୁଖ୍ୟ ନେଇ ରାଜ୍ୟ ସରକାରକୁ ବିଜେପି ଘେରାଉ କରିଛି ତାହା ଜାତୀୟ ସ୍ତରରେ ଉଠିଲେ ହିଁ ଅଧିକ ଫଳପ୍ରଦ ହେବ।

ସମ୍ବନ୍ଧିତ ଖବର