କଲେଜ ସିସିଟିଭି କ୍ୟାମେରା ହାର୍ଡଡିସ୍କ୍ ଜବତ
୨ ଅଧ୍ୟାପିକାଙ୍କୁ ଥାନାକୁ ଡାକି ଜେରା
ଦିନସାରା ପୁଲିସ ଡିଆଇଜିଙ୍କ ଛାନ୍ଭିନ୍
କେଗାଁ ଥାନା ଆଇଆଇସି ନିଲମ୍ବିତ
ଗୁପ୍ତ କୋଠରି ପାଖରୁ ପୁଲିସ ଫେରିଆସିଲା କାହିଁକି?
ଭବାନୀପାଟଣା/ ଗୋଲାମୁଣ୍ଡା/ ବୋର୍ଡା : ମୋବାଇଲ ଭିତରେ ହତ୍ୟା ରହସ୍ୟ! ଯେଉଁଥିପାଇଁ ପୁଲିସ୍ର ତଦନ୍ତକାରୀ ଦଳ ଷ୍ଟାଡିୟମ୍ ଭିତରେ ମୋବାଇଲ୍ ଖୋଜିବା ପାଇଁ ସବୁପ୍ରକାର ଉଦ୍ୟମ କରିଥିଲେ। ଏଥିପାଇଁ ଦୁଇଥର ଉଦ୍ୟମ କରାଯାଇଥିଲା। ତେବେ ମୋବାଇଲ ଅଛି ନା ପୋଡ଼ି ଦିଆଯାଇଛି ତାହା ଏବେ ସନ୍ଦେହ ଘେରରେ। ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମଠାରେ ମେଟାଲ ଡିଟେକ୍ଟର, ସାଇଣ୍ଟିଫିକ୍ ଟିମ୍ ଉପସ୍ଥିତିରେ ମାଟି ଖୋଳାଯାଇଥିଲା। ଦିନତମାମ ଛାନଭିନ କରିଥିବା ବେଳେ ସନ୍ଧ୍ୟାରେ ପୁଣିଥରେ ପୁଲିସ ଟିମ୍ ଉପସ୍ଥିତିରେ ମାଟି ଖୋଳା ଜାରି ରହିଥିଲା। ତେବେ ମୋବାଇଲ୍ ମିଳିଲା କି ନାହିଁ, ତାହା ଏଯାବତ୍ ଜଣାପଡ଼ିନି।
ସୂଚନା ଅନୁସାରେ, ଉତ୍ତରାଞ୍ଚଳ ପୁଲିସ ଡିଆଇଜି ଦୀପକ କୁମାର, ବଲାଙ୍ଗୀର ପୁଲିସ ଏସ୍ପି ନିତିନ କୁଶଲକର, କଳାହାଣ୍ଡି ପୁଲିସ ଏସ୍ପି ଡା. ଶ୍ରବଣ ବିକେକ ଏମ୍.ଙ୍କ ନେତୃତ୍ବରେ ଏକ ପୁଲିସ ତଦନ୍ତକାରୀ ଦଳ ଗୁରୁବାର ମହାଲିଙ୍ଗ ଗାଁରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ପହଞ୍ଚିଥିଲେ। ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମରେ ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନରେ ପୁଲିସ ପକ୍ଷରୁ ଜେସିବି ସହାୟତାରେ ପୁଣି ମାଟି ଖୋଳା ଯାଇଥିଲା। ଗୋବିନ୍ଦ ସାହୁକୁ ଜେରାବେଳେ ମମିତା ମେହେରଙ୍କ ମୋବାଇଲକୁ ଭାଙ୍ଗି ମୃତଦେହକୁ ପୋତିଲା ବେଳେ ଫିଙ୍ଗି ଦିଆଯାଇଥିବା ଜଣାପଡ଼ିଥିଲା। ତେଣୁ ପୁଲିସ ପକ୍ଷରୁ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ପ୍ରାୟ ୩ଟା ପର୍ଯ୍ୟନ୍ତ ମେଟାଲ ଡିଟେକ୍ଟର ସହାୟତାରେ ସାଇଣ୍ଟିଫିକ ଟିମ ଛାନଭିନ କରିଥିଲା। ସେଠାରୁ ମିଳିଥିବା କିଛି ନମୁନା ପୁଲିସ ସଂଗ୍ରହ କରି ନେଇଥିଲା। ସନ୍ଧ୍ୟା ସମୟରେ ପୁନର୍ବାର ଜେସିବି ସହାୟତାରେ ଶବ ଉଦ୍ଧାର ହୋଇଥିବା ସ୍ଥାନରେ ମାଟି ଖୋଳା ଯାଇଥିଲା। ରାତି ୮ଟା ସମୟରେ ଏହି ଖୋଳା ଜାରି ରହିଥିଲା।
ପରେ ପୁଲିସ ଡିଆଇଜି କଲେଜ ପରିସରକୁ ଆସି ସନ୍ସାଇନ୍ ସ୍କୁଲର ତାଲା ଭାଙ୍ଗି ଛାନଭିନ କରି ତଦନ୍ତ କରିଥିଲେ। ସ୍କୁଲ ପରିସରରେ ଥିବା ଯୁକ୍ତତିନି ଛାତ୍ରୀ ହଷ୍ଟେଲକୁ ମଧ୍ୟ ଯାଇଥିଲେ। ଏହାକୁ ଲାଗି ଗୁପ୍ତ କୋଠରି ଥିବା ସାଧାରଣରେ ଚର୍ଚ୍ଚା ହୋଇଥିଲା। କିନ୍ତୁ ତାଲା ପଡ଼ିଥିବାରୁ ଭିତରକୁ ନଯାଇ ପୁଲିସ ଟିମ୍ ଫେରି ଯାଇଥିଲେ। ପୁଲିସ ଗୁପ୍ତ କୋଠରି ନିକଟକୁ ଯାଇ କାହିଁକି ଫେରିଲା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ତେବେ ଗୁପ୍ତ କୋଠରିକୁ ଅବାଧ ପ୍ରବେଶ ଅନୁମତି ପାଇଥିବା ୨ଜଣ ଅଧ୍ୟାପିକାଙ୍କୁ ସଇନ୍ତଳା ଥାନାକୁ ନେଇ ଜେରା ଚାଲିଛି। ଜେରାବେଳେ ଗୁପ୍ତ କୋଠରିର ରହସ୍ୟ କେତେଦୂର ଉନ୍ମୋଚିତ ହେବ ସେନେଇ ସାଧାରଣରେ ଭିନ୍ନ ଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇଛି।
ସେହିଭଳି କଲେଜ ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାର ହାର୍ଡଡିସ୍କକୁ ମଧ୍ୟ ପୁଲିସ ଜବତ କରିଛି। ମୃତ ମମିତାଙ୍କ ମୋବାଇଲ ଭିତରେ ହତ୍ୟା ରହସ୍ୟ ଥିବା ଯୋଗୁଁ ପୁଲିସ ପକ୍ଷରୁ ଗୁରୁବାର ଦିନତମାମ ଛାନଭିନ କରିଛି। ମୋବାଇଲ ଭିତରେ ଥିବା ପ୍ରମାଣକୁ ନଷ୍ଟ କରିବା ପାଇଁ ଅଭିଯୁକ୍ତ ଗୋବିନ୍ଦ ସାହୁ ସୁପରିକଳ୍ପିତ ଯୋଜନା କରିଥିବା ଯୋଗୁଁ ଏହାର ଗୁମର ଫିଟାଇବା ପାଇଁ ପୁଲିସ ପକ୍ଷରୁ ମାରାଥନ ଯାଞ୍ଚ ଚାଲିଛି।
ଅନ୍ୟପକ୍ଷରେ, ଗତ ଅକ୍ଟୋବର ୮ ତାରିଖରେ ସନ୍ସାଇନ୍ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ନିଖୋଜ ହୋଇଥିଲେ। ଏହାପରେ ପରିବାର ଲୋକେ କେଗାଁ ଥାନାକୁ ଅକ୍ଟୋବର ୯ ତାରିଖରେ ଏତଲା ଦେବାପାଇଁ ଯାଇଥିଲେ। କିନ୍ତୁ ପୁଲିସ ଆଇଆଇସି ଚାନ୍ଦୋତରାଠାରୁ ମମିତା ନିଖୋଜ ହୋଇଥିବା ଯୋଗୁଁ ଏତଲା ଗ୍ରହଣ ନକରି ସିନ୍ଧେକେଲା ଥାନାରେ ଏତଲା ଦେବା ପାଇଁ କହିଥିଲେ। ଏତଲା ଗ୍ରହଣ କରି ନଥିବା ଯୋଗୁଁ ଗୁରୁବାର କେଗାଁ ଥାନା ଆଇଆଇସି ଡମୁ ପରଜାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ବୋଲି କଳାହାଣ୍ଡି ଏସ୍ପି ଡା. ଶ୍ରବଣ ବିବେକ ଏମ୍. ସୂଚନା ଦେଇଛନ୍ତି।