ଜାତୀୟ ମହିଳା କମିସନ ଅଧ୍ୟକ୍ଷାଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ: ମମିତା ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଯାଉ

ଭୁବନେଶ୍ବର : ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ୪ ମାସରୁ ଉର୍ଦ୍ଧ୍ୱ ସମୟ ବିତିଗଲାଣି। ପ୍ରକୃତ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଅପରାଧୀମାନଙ୍କୁ ଖସାଇଦେବାର ରାଜ୍ୟ ସରକାର ଷଡଯନ୍ତ୍ର କରୁଛନ୍ତି। ମମିତା ହତ୍ୟାକାଣ୍ଡରେ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିର ଅଭିଯୋଗ ସତ୍ତ୍ବେ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। କିନ୍ତୁ ବହୁ ଶୀଘ୍ର ଏହି ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ଧରାପଡିବେ ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର।

ଶ୍ରୀମତୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ଗସ୍ତରେ ଥିବା ରାଷ୍ଟ୍ରୀୟ ମହିଳା କମିସନ ରେଖା ଶର୍ମାଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ମମିତା ହତ୍ୟାକାଣ୍ଡ ଏବଂ ଘଟଣା ପରବର୍ତୀ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛନ୍ତି। ମମିତାକୁ ନ୍ୟାୟ ପ୍ରଦାନ ପାଇଁ କମିସନ ସମସ୍ତ ପ୍ରକାରର ଉଦ୍ୟମ ଜାରି ରଖିବେ ବୋଲି ବିଜେପି ପ୍ରତିନିଧି ଦଳକୁ ଶ୍ରୀମତୀ ଶର୍ମା ପ୍ରତିଶୃତି ଦେଇଥିବା ଦଳ ପକ୍ଷରୁ କୁହାଯାଇଛି। ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ, ଦିଲୀପ ମଲ୍ଲିକ, ସୁରଥ ବିଶ୍ୱାଳ, ସୁଜିତ କୁମାର ଦାସ ଏବଂ ପଦ୍ମଜା ଦେବତା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର