ଗୋବିନ୍ଦର ଚେର ବହୁତ ଟାଣ
୨୦୧୪ରୁ ସିଏଜି ଆପତ୍ତି ଉଠାଇଲେଣି, ତା’ପରେ ବି ଟଙ୍କା ବର୍ଷା?
କାହାର ବିକାଶ ପାଇଁ ଯାଉଥିଲା ଟଙ୍କା, ପଶ୍ଚିମ ଓଡ଼ିଶାର ନା ଗୋବିନ୍ଦର?
କେବଳ ନେତା ନୁହେଁ, ପ୍ରଶାସକମାନଙ୍କ ସହିତ ବି ଘନିଷ୍ଠତା ଥିଲା!
ଭୁବନେଶ୍ୱର : ୨୦୧୪ ମସିହାରେ ସିଏଜି ଆପତ୍ତି ଉଠାଇଥିଲେ। ତା’ ପରେ ବି ଗୋବିନ୍ଦ ସାହୁର ମହାଲିଙ୍ଗ କଲେଜକୁ ଟଙ୍କା ବର୍ଷା ହେଲା କେମିତି? ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହିତ ଗୋବିନ୍ଦର ସଂପର୍କ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ହେଲେ ଇଏ ପ୍ରଶାସନିକ ଅଧିକାରୀମାନେ କିଏ, ଯେଉଁମାନଙ୍କ ପାଖରେ ଗୋବିନ୍ଦର ପହଞ୍ଚଥିଲା? ଯେଉଁମାନେ ଗୋବିନ୍ଦର ଅନୁଷ୍ଠାନକୁ ବୁଲିଯାଇଥିଲେ? ଭୁବନେଶ୍ବର କ୍ଷମତା କରିଡ଼ର ପର୍ଯ୍ୟନ୍ତ ଗୋବିନ୍ଦର ପହଞ୍ଚ ଥିଲା କି? କେଉଁ ସ୍ବାର୍ଥ ବିନିମୟରେ ସେ ଏତେ ପ୍ରଭାବବିସ୍ତାର କରିଥିଲା?
ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ମାମଲାରେ ଯେତିକି ଅଧିକ ଖୋଳତାଡ ହେଉଛି, ସେତିକି ଅଧିକ ସାଂଘାତିକ କଥା ସାମ୍ନାକୁ ଆସିବାରେ ଲାଗିଛି। ଏଯାଏ ପୁଲିସ ମାମଲାର ଅପରାଧିକ ଦିଗ ଉପରେ ତଦନ୍ତ ଚଳାଇଛନ୍ତି। ହେଲେ କାହା ବଳରେ ଗୋବିନ୍ଦ ବଳୀୟାନ୍ ହୋଇଥିଲା, କେଉଁମାନଙ୍କ ଛତ୍ରଛାୟାରେ ରହି ସେ ଧରାକୁ ସରା ମଣିବା ସହିତ ଗୋଟିଏ ନୀରିହ ଝିଅର ପ୍ରାଣ ନିମିଷକେ ନେଇଯିବା ଲାଗି ସାହସ ଜୁଟାଇଲା, ତାହା ଏବେ ବି ରହସ୍ୟ ଭିତରେ ରହିଛି। ଅସଲ କଥା ହେଲା, ନେତା-ଅମଲା ଗୋବିନ୍ଦ ସାହୁ ଭଳି କ୍ଷମତାକେନ୍ଦ୍ର ସୃଷ୍ଟି କରି ସରକାରୀ ବ୍ୟବସ୍ଥାକୁ ଯେଭଳି ପାଦରେ ଦଳି ଦେଉଛନ୍ତି, ଆଉ ମମିତାମାନଙ୍କର ପ୍ରାଣ ଯାଉଛି, ତା’ ଉପରେ ସରକାର ଏବେ ବିଶଦ ଅନୁସନ୍ଧାନ କରିବାର ସମୟ ଆସିଛି।
ଦୁଇ ଚାରିଟି ଉଦାହରଣ ନେଲେ, ଗୋବିନ୍ଦର କ୍ଷମତା ବଳୟ ସଂପର୍କରେ ଯେ କେହି ବୁଝିପାରିବେ। ଗାଁ ଗଣ୍ଡାରେ ଥିବା ସରକାରୀ ସ୍କୁଲ ହେଉ କି କଲେଜ; ଏସବୁ ମଧ୍ୟରୁ ଅନେକ ସ୍ଥାନରେ ଆଜି ବି ପାଣି ଗଳୁଛି ତ ଆଉ କେଉଁଠି ପାଚେରି ନାହିଁ। ଏସବୁର ପୁନରୁଦ୍ଧାର ପାଇଁ ସ୍ଥାନୀୟ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ମହଲ ସରକାର-ପ୍ରଶାସନ ପାଖରେ ଅନେକ ଥର ଗୁହାରୀ କରନ୍ତି। କେହି ଏମାନଙ୍କ କଥା କର୍ଣ୍ଣପାତ କରନ୍ତି ନାହିଁ। ହେଲେ ଗୋବିନ୍ଦ ପ୍ରତି ନେତା-ଅମଲାଙ୍କର ଏତେ ଦରଦ ଯେ ତା’ର ଅନୁଷ୍ଠାନ ପାଇଁ ସରକାରୀ ଆଇନକାନୁନକୁ ସେମାନେ ଗିଳିଦେବାକୁ ପଛଘୁଞ୍ଚା ଦେଇନାହାନ୍ତି।
/sambad/media/post_attachments/wp-content/uploads/2021/10/school-kalahandi-sch.jpg)
୨୦୧୪ ମସିହାରେ ସିଏଜି ଗୋବିନ୍ଦର ଅନୁଷ୍ଠାନ ମହାଲିଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟ ସଂପର୍କରେ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ସେବର୍ଷ ପଞ୍ଚାୟତିରାଜ ବିଭାଗର ବାର୍ଷିକ ବୈଷୟିକ ଅନୁଧ୍ୟାନ ରିପୋର୍ଟରେ ସିଏଜି ୨୦୧୧-୧୨ ମସିହାରେ ନିର୍ମାଣାଧୀନ ରହିଥିବା ଏହି ଘରୋଇ କଲେଜ ପ୍ରତି ଅନୁକମ୍ପା ନେଇ ଆପତ୍ତି ଉଠାଇଥିଲେ। ପଚାରିଥିଲେ, କେଉଁ ପରିସ୍ଥିତିରେ ସରକାରୀ ନିୟମାବଳୀ ବାହାରେ ୪ଲକ୍ଷ ଟଙ୍କା ବ୍ୟୟରେ ପିଏମଜିଏସ୍ଵାଇ ରାସ୍ତା ମହାଲିଙ୍ଗ ଘରୋଇ କଲେଜ ପର୍ଯ୍ୟନ୍ତ କରାଗଲା?
କେବଳ ସେତିକି ନୁହେଁ, ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପାଣ୍ଠି ଯୋଗାଉଛନ୍ତି। ଆଞ୍ଚଳିକ ବୈଷମ୍ୟ ଦୂର କରିବାଲାଗି ଏହି ପାଣ୍ଠି ବିନିଯୋଗ ହେବା କଥାା। ହେଲେ ସେହିବର୍ଷ ଯୁକ୍ତ ଦୁଇ ଆଞ୍ଚଳିକ ମହାବିଦ୍ୟାଳୟର ଲନ୍ ନିର୍ମାଣ ପାଇଁ ୩ଲକ୍ଷ ଟଙ୍କା କେମିତି ଦିଆଗଲା? ଏହା କାହାର ବିକାଶ? ପୁଣି ୨୦୧୨-୧୩ରେ ମହିଳା ହଷ୍ଟେଲ ଓ ଏହାର ପାଚେରି ପାଖ କଂକ୍ରିଟ୍ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୬ଲକ୍ଷ ଟଙ୍କା ଦିଆଯାଇଛି।
ଉଦବେଗର ବିଷୟ ହେଉଛି, ସିଏଜି ରିପୋର୍ଟ ପାଇବା ପରେ ବି ଗୋବିନ୍ଦ କଲେଜ ପ୍ରତି ନେତା-ଅମଲାଙ୍କ ଦରଦ କମିନାହିଁ। ୨୦୧୪-୧୫ରେ ଗାର୍ଲସ କମନ୍ ରୁମ୍ ପାଇଁ ୫ଲକ୍ଷ ଟଙ୍କା ଦିଆଯାଇଛି। ୨୦୧୭-୧୮ ମସିହାରେ ସାଂସଦ ପାଣ୍ଠିରୁ ପୁଣି ୫ଲକ୍ଷ ଟଙ୍କା ଦିଆଯାଇଛି। ପ୍ରଶ୍ନ ଉଠୁଛି, ପଶ୍ଚିମ ଓଡ଼ିଶା ବିକାଶ ପାଇଁ ରାଜ୍ୟ ସରକାର ଟଙ୍କା ଦେଉଛନ୍ତି ନା ଗୋବିନ୍ଦମାନଙ୍କର ବିକାଶ ଲାଗି? କଣ ଏମିତି ଗୋବିନ୍ଦର ଏତେ ପ୍ରଭାବ?
/sambad/media/post_attachments/wp-content/uploads/2021/10/gobinda-sahu.jpg)
ନେତାଙ୍କ ସହିତ ଗୋବିନ୍ଦର ସଂପର୍କ ଏବେ ରାଜରାସ୍ତାରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି। କଳାହାଣ୍ଡି ଓ ବଲାଙ୍ଗୀର ତ ପଡୁଛି ଉଠୁଛି, ସମୁଦାୟ ପଶ୍ଚିମ ଓଡ଼ିଶା ବି। ହେଲେ ଏବେ ଜଣାପଡିଲାଣି ଯେ କିଛି ପ୍ରଭାବଶାଳୀ ପ୍ରଶାସନିକ ବାବୁମାନଙ୍କ ପର୍ଯ୍ୟନ୍ତ ଗୋବିନ୍ଦର ପହଞ୍ଚଥିଲା। ଖୋଦ୍ ରାଜଧାନୀେର ଥିବା ପ୍ରତିଷ୍ଠିତ ସରକାରୀ ମହାବିଦ୍ୟାଳୟ କିଭଳି ଚାଲିଛି, ତାକୁ ଦେଖିବାକୁ ସମୟ ପାଉନଥିବା ବାବୁମାନେ ଗୋବିନ୍ଦ କଲେଜକୁ ଯାଇଥିବା ଖବର ଆସିଲେଣି। ଏମାନେ କିଏ? କାହିଁକି ସେଠାକୁ ଯାଇଥିଲେ? ଯଦି ଗଲେ, ଫେରିବା ପରେ ସରକାରଙ୍କୁ ଏ ସଂପର୍କରେ କିଛି ରିପୋର୍ଟ ଦେଇଥିଲେ କି? ଏହା ଅନୁସନ୍ଧାନ ସାପେକ୍ଷ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉପରେ ଭୀଷଣ ଅସନ୍ତୁଷ୍ଟ ଥିବା ସୂଚନା ମିଳୁଛି। ଅନ୍ୟଥା ୨୨ ତାରିଖ ମୟୂରଭଂଜ ଗସ୍ତରୁ ତାଙ୍କ ନାମ ଶେଷ ମୁହୂର୍ତରେ ବାଦ୍ ପଡିନଥାନ୍ତା। ସରକାର ମୟରଭଞ୍ଜ ଜିଲ୍ଲା ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ ଉତ୍ସବ ଲାଗି ପୂର୍ବରୁ ଯେଉଁ ଅତିଥି ତାଲିକା ପ୍ରସ୍ତୁତ କରିଥିଲେ ସେଥିରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ଶ୍ରୀ ମିଶ୍ର ମଞ୍ଚ ଉପରେ ବସିବା ଲାଗି ସ୍ଥିର େହାଇଥିଲା। ସେ ୪ମିନିଟ୍ ପାଇଁ ଭାଷଣ ବି ଦେଇଥାନ୍ତେ। ହେଲେ ପରବର୍ତ୍ତୀ ସମୟରେ ପ୍ରସ୍ତୁତ ହୋଇଥିବା ଚୂଡାନ୍ତ କାର୍ଯ୍ୟସୂଚୀରୁ ତାଙ୍କୁ ବାଦ୍ ଦିଆଯାଇଛି। କେବଳ ସେତିକି ନୁହେଁ, ମୟୂରଭଂଜ ଜିଲ୍ଲାର ବିଭିନ୍ନ ବ୍ଲକରେ ସ୍ମାର୍ଟ ହେଲ୍ଥ କାର୍ଡ ବାଣ୍ଟିବା ଲାଗି ଯେଉଁ ତାଲିକା କରାଯାଇଥିଲା, ସେଥିରେ ବି ମନ୍ତ୍ରୀ ନାହାନ୍ତି। ଅର୍ଥାତ୍ ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି ଓ ତାଙ୍କ ଠାରୁ ଦୂରେଇ ରଖିଛନ୍ତି।
ହେଲେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଏହି ଘଟଣାକୁ ଅନ୍ୟ ଦୃଷ୍ଟିରୁ ବିଚାର କରୁଛନ୍ତି। ଏହି ମହଲର ଯୁକ୍ତି ହେଉଛି, ମୁଖ୍ୟମନ୍ତ୍ରୀ ଯେବେ ନିଜ ଉତ୍ସବରେ ତାଙ୍କ ପାଖରେ ସଂପୃକ୍ତ ମନ୍ତ୍ରୀଙ୍କୁ ବସାଇବାକୁ ଚାହୁଁନାହାନ୍ତି, ସେବେ କ୍ୟାବିନେଟ୍ ସହଯୋଗୀ ଭାବେ କେମିତି ରଖୁଛନ୍ତି? ଅତି ସମ୍ବେଦନଶୀଳ ଏହି ମାମଲାରେ ଅନେକ ରହସ୍ୟ ଖୁନ୍ଦି ହୋଇରହିଛି, ଏକଥା ଜଣାପଡିଲାଣି। ହେଲେ ପୁଲିସ ନିଜ ବିଭାଗର ମନ୍ତ୍ରୀଙ୍କ ବିଷୟରେ କିଭଳି ଖୋଳତାଡ କରିବ? ଆଇନକୁ ତା’ ବାଟରେ ପୁଲିସ କେମିତି ନେବ? ନିଜ ବିଭାଗର ମନ୍ତ୍ରୀଙ୍କ ଭୂମିକା ସଂପର୍କରେ ଅଭିଯୁକ୍ତକୁ କେମିତି ପଚାରିବ?
ଉଲ୍ଲେଖଯୋଗ୍ୟ, ପୂର୍ବରୁ ଅନ୍ୟ ମନ୍ତ୍ରୀଙ୍କ କ୍ଷେତ୍ରରେ ମଧ୍ୟ ସରକାର ଏଭଳି ଆଚରଣ ପ୍ରଦର୍ଶନ କରିଛନ୍ତି। ଘଟଣା ଚର୍ଚ୍ଚାରେ ଥିବା ବେଳେ ସେମାନଙ୍କୁ ସରକାରୀ କାର୍ଯ୍ୟକ୍ରମରୁ ଦୂରେଇ ରଖାଯାଇଛି। ଜଣେ ମନ୍ତ୍ରୀ ଭାବେ ଦାୟିତ୍ବରେ ରହିବେ, ଅଥଚ ସରକାରଙ୍କ କାର୍ଯ୍ୟକ୍ରମରେ ଭାଗ ନେବେନି, ଏହା କଣ ସିଦ୍ଧ କରୁଛି?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/govinda-addd.jpg)