ଭବାନୀପାଟଣା : ମମିତା ମେହେର ହତ୍ୟାକାଣ୍ଡରେ ପୁଲିସ କେବଳ ହତ୍ୟା ଖିଅ କାଢ଼ିବାରେ ବ୍ୟସ୍ତ। କିନ୍ତୁ ମହାଲିଙ୍ଗ କଲେଜର ଗୁପ୍ତ କୋଠରି ଉପରେ କୌଣସି ତଦନ୍ତ ଆରମ୍ଭ କରିନଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହେଉଛି। ବର୍ତ୍ତମାନ ମହାଲିଙ୍ଗ କଲେଜର ଯୁକ୍ତ ୩ ହଷ୍ଟେଲ୍ର ରୁମ୍ ନମ୍ବର ୨୦କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଚର୍ଚ୍ଚା ମୁତାବକ କଲେଜର ଯୁକ୍ତ ୩ ହଷ୍ଟେଲ୍ର ତୃତୀୟ ମହଲାରେ ଅଧ୍ୟାପିକା ଆଭା ସିଂହଦେଓ ରହୁଥିଲେ। ଆଭା ଗୋବିନ୍ଦ ସାହୁର ଅତି ଅନ୍ତରଙ୍ଗ ସହଯୋଗୀ ଥିଲେ। ଗୁପ୍ତ କୋଠରିକୁ ଆଭା ମନଇଚ୍ଛା ପ୍ରବେଶ କରୁଥିଲେ। କେଉଁ ଝିଅ ଗୁପ୍ତ କୋଠରିକୁ ଯିବ; ଆଭାଙ୍କ ସୁପାରିସ ଦରକାର ହୋଇଥାଏ। ଗୁପ୍ତ କୋଠରିକୁ ଆସୁଥିବା ନେତା ମନ୍ତ୍ରୀଙ୍କ ନେଟ୍ୱର୍କର ରିମୋଟ୍ ଏହି ରୁମ୍ ନଂ ୨୦ରୁ ନିୟନ୍ତ୍ରଣ ହୋଇଥାଏ।
ଅନ୍ୟପକ୍ଷେ ଗୋବିନ୍ଦ ଯୁକ୍ତ ୩ ହଷ୍ଟେଲ୍ର ତଳେ ଥିବା ରୁମ୍ ନଂ ୪ରେ ରହିଥାଏ। ବର୍ତ୍ତମାନ ରୁମ୍ ନଂ ୨୦ ବନ୍ଦ ରହିଛି। ଝରକା ପାର୍ଶ୍ବରୁ ଦେଖିଲେ ହୋଟେଲ୍ ଭଳି ବ୍ୟବସ୍ଥା ରହିଥିବା ଜଣାପଡ଼ିଛି। ରୁମ୍ ନଂ୪ ଶୀତତାପ ନିୟନ୍ତ୍ରିତ ସହ ବିଭିନ୍ନ ସୁବିଧା ରହିଛି, ଯେଉଁଠି ଗୋବିନ୍ଦ ରହୁଥିଲା। ଆଭାଙ୍କ ଭଉଣୀ ବାହାଘରରେ ଯୋଗଦେବା ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀ ଓ ଗୋବିନ୍ଦ ସାହୁ ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ୍ ଅନ୍ତର୍ଗତ କାମପୁରକୁ ଯାଇଥିଲେ। ଆଭାଙ୍କୁ ମଧ୍ୟ ଗୋବିନ୍ଦ ଏକ କାର୍ ଉପହାର ଦେଇଥିବା ଚର୍ଚ୍ଚାର ଖୋରାକ ଯୋଗାଇଛି। ସେହିଭଳି ଆଭାଙ୍କ ଭାଇ ବର୍ତ୍ତମାନ ନୂଆପଡ଼ା ଜିଲ୍ଲା ଯୁବ ବିଜେଡି ସଭାପତି ଅଛନ୍ତି। ବଲାଙ୍ଗୀର ପୁଲିସ ଆଭା ଓ ତାଙ୍କ ଭଉଣୀଙ୍କୁ ପଚରାଉଚୁରା ପାଇଁ ନେଇଛି। ଆଗକୁ ବଲାଙ୍ଗୀର ପୁଲିସ ଗୁପ୍ତ କୋଠରିର ରହସ୍ୟ ଉନ୍ମୋଚନ କରିବ ନା ଚପେଇ ଦେବ ସାଧାରଣରେ ଭିନ୍ନ ଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇଛି।
ଅନ୍ୟପକ୍ଷରେ ଟିଟିଲାଗଡ଼ ଥାନା ବାରାକରୁ ଫେରାର ହେବା ପରେ ଗୋବିନ୍ଦ ସେହିଦିନ ବିଳମ୍ବିତ ରାତିରେ ଏକ ଧଳା ବଲେରୋରେ କଲେଜକୁ ଆସି ସିସିଟିଭି ହାର୍ଡଡିସ୍କ ଓ ବିଭିନ୍ନ ପ୍ରମାଣ ନଷ୍ଟ କରିଥିବା ମହାଲିଙ୍ଗରେ ଚର୍ଚ୍ଚା ହେଉଛି। ନେତା ମନ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ କରିବା ପାଇଁ ଏହି ଫେରାର ପୂର୍ବ ଯୋଜନା ବୋଲି ଆଲୋଚନା ହେଉଛି।