ଫେରାର୍‌ ପରେ ଗୋବିନ୍ଦର କୋଭିଡ ପରୀକ୍ଷା!

ପୂର୍ବତନ ଛାତ୍ରୀଙ୍କୁ ଜେରା, ଚର୍ଚ୍ଚାରେ ଧଳା ବଲେରୋ

ବଲାଙ୍ଗୀର: ୧୭ ତାରିଖ ଦିନ ଗୋବିନ୍ଦ ଟିଟିଲାଗଡ଼ ପୁଲିସ ବାରାକରୁ ଫେରାର ମାରିଥିଲା। ୧୮ ତାରିଖ ଦିନ ତାର କୋଭିଡ ପରୀକ୍ଷା ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ରେଜିଷ୍ଟରରୁ ଜଣାପଡ଼ିଛି। ‌ତେବେ, ୧୯ ତାରିଖ ଦିନ ଧରାପଡ଼ିବା ପୂର୍ବଦିନ କିଭଳି ତା’ର କୋଭିଡ୍‌ ପରୀକ୍ଷା ହେଲା; ତାହାକୁ ନେଇ ସାଧାର‌ଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେବେ, ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ଟିଟିଲାଗଡ଼ ଏସ୍‌ଡିଏମ। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି , ୧୭ ତାରିଖ ହିଁ କୋଭିଡ ପରୀକ୍ଷା ହୋଇଥିଲା। କିନ୍ତୁ ସେହିଦିନ ପରୀକ୍ଷାର ଟାର୍ଗେଟ ପୂରିଯାଇଥିବାରୁ ୧୮ତାରିଖ ଦିନରେ ରେଜିଷ୍ଟରରେ ନାମ ଚଢ଼ାଯାଇଥିଲା।

ପ୍ରଶ୍ନ ଉଠୁଛି, ଏହି ଛୋଟିଆ ଭୁଲ୍‌ ଆଗକୁ କୋର୍ଟରେ ଗୋବିନ୍ଦ ସାହୁଙ୍କ ସପକ୍ଷରେ ଯିବନି ତ? ଏ ପର୍ଯ୍ୟନ୍ତ ଗୋବିନ୍ଦ ଫେରାର୍‌କୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଏସବୁର ତଦନ୍ତ ପୁଲିସ ଚଳାଇଥିବା ବେଳେ ଏବେ କୋଭିଡ ପରୀକ୍ଷା ତାରିଖକୁ ନେଇ ଲାଗି ରହିଛି ଚର୍ଚ୍ଚା।

ପୂର୍ବତନ ଛାତ୍ରୀଙ୍କୁ ଜେରା
ଭବାନୀପାଟଣା : ମମିତା ମେହେରଙ୍କ ମୃତ୍ୟୁ ଘଟଣା ନେଇ ବଲାଙ୍ଗୀର ପୁଲିସ ଗତ ୨ଦିନ ଧରି ସାଲେଭଟା ଗ୍ରାମକୁ ଯାଇ ପୂର୍ବତନ ଛାତ୍ରୀଙ୍କୁ ଜେରା କରିଛି। ଏହି ଛାତ୍ରୀଙ୍କର ହଷ୍ଟେଲ୍‌ର ରୁମ୍‌ ନଂ-୨୦ରେ ଥିବା ଅଧ୍ୟାପିକାଙ୍କ ସହିତ ଘନିଷ୍ଠତା ଥିବା ଜଣାପଡ଼ିଛି। ଏହି ଜେରାପରେ ପୁଲିସ ଗୁପ୍ତ କୋଠରି ରହସ୍ୟ ଉନ୍ମୋଚନ କରିପାରିବ ତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାରୁ ଜଣାପଡ଼ିଛି, ମହାଲିଙ୍ଗ କଲେଜ୍‌ ହଷ୍ଟେଲ୍‌ରେ ଥିବା ରୁମ୍‌ ନଂ-୨୦ରେ ଜଣେ ଅଧ୍ୟାପିକା ରହୁଥିଲେ। ଏହି ଅଧ୍ୟାପିକାଙ୍କ ସହିତ ଜଣେ ପୂର୍ବତନ ଛାତ୍ରୀଙ୍କ ଘନିଷ୍ଠତା ଥିଲା। ଏହି ଦୁଇ ଜଣଙ୍କର ଗୁପ୍ତ କୋଠରିକୁ ଅବାଧ ପ୍ରବେଶ ରହିଥିଲା। ପୂର୍ବରୁ ବଲାଙ୍ଗୀର ପୁଲିସ ଅଧ୍ୟାପିକାଙ୍କୁ ଜେରା କରିସାରିଛି। ଗତ ୨ଦିନ ଧରି ବଲାଙ୍ଗୀର ପୁଲିସ ପୂର୍ବତନ ଛାତ୍ରୀଙ୍କ ସାଲେଭଟା ଗ୍ରାମକୁ ଯାଇ ତଦନ୍ତ କରି ଫେରିଛି।

ତଦନ୍ତ ପରେ ଗୁପ୍ତ କୋଠରି ରହସ୍ୟ ଖୋଲି ପାରିବ ନା ଆଉ କାହା ଚାପରେ ଏହି ଘଟଣାକୁ ଚପାଇବାକୁ ଉଦ୍ୟମ କରିବ, ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

ଚର୍ଚ୍ଚାରେ ଧଳା ବଲେରୋ
ଭବାନୀପାଟଣା : ମମିତା ମେହେର ହତ୍ୟାକାଣ୍ଡ ‌ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଫେରାର ହେବାଦିନ ବିଳମ୍ବିତ ରାତିରେ ପରିବାର ସହିତ ଫୋନ୍‌ ଯୋଗେ କଥା ହୋଇଥିଲା। ସେହି ରାତିରେ ମହାଲିଙ୍ଗ କଲେଜ୍‌କୁ ଗୋବିନ୍ଦ ଏକ ଧଳା ବଲେରୋରେ ଆସି ପ୍ରମାଣ ନଷ୍ଟ କରିଥିଲା। ଏହି ସମୟରେ କଲେଜ୍‌ର ସିସିଟିଭି ଗୁଡ଼ିକୁ ଉପରମୁହାଁ କରାଯାଇଥିଲା। ପୂରା ଘଟଣାରେ ରାଜନେତାଙ୍କ ସମ୍ପୃକ୍ତିର ପ୍ରମାଣ ନଷ୍ଟ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରାଯାଇଥିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ବଲା‌ଙ୍ଗୀର ଓ କଳାହାଣ୍ଡି ଗସ୍ତରେ ବିଜେପିର ୧୫ଜଣିଆ ପ୍ରତିନିଧି ଦଳ
ଭୁବନେଶ୍ବର : ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ସତ୍ୟାସତ୍ୟ ସମ୍ପର୍କରେ ଅବଗତ ହେବାପାଇଁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ୧୫ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯାଇଛି। ଏହି ପ୍ରତିନିଧି ଦଳ ମଙ୍ଗଳବାର ଘଟଣାସ୍ଥଳ ପରିଦର୍ଶନ କରିବା ସହ ମୃତ ମମିତାଙ୍କ ପରିବାରବର୍ଗଙ୍କୁ ସାକ୍ଷାତ କରି ବିସ୍ତୃତ ଭାବେ ଆଲୋଚନା କରିବ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବିଜେପି ଅଭିଯୋଗ କରିଛି ଯେ, ମମିତା ହତ୍ୟାକାଣ୍ଡର ତଦନ୍ତ ଆଳରେ ସମସ୍ତ ତଥ୍ୟପ୍ରମାଣକୁ ଲିପାପୋଛା କରି ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଖସାଇ ଦେବାକୁ ବିଜେଡି ଉଦ୍ୟମ କରୁଛି। ପୁଲିସ ଏହାର ତଦନ୍ତ ଠିକ୍ ଭାବେ କରୁନାହିଁ। ତେଣୁ ଏହାର ସତ୍ୟାସତ୍ୟ ଯାଞ୍ଚ କରିବାକୁ ବିଜେପିର ପ୍ରତିନିଧି ଦଳ ବଲାଙ୍ଗୀର ଓ କଳାହାଣ୍ଡି ଗସ୍ତରେ ଯାଉଛି।

ସମ୍ବନ୍ଧିତ ଖବର