ମମିତା ହତ୍ୟାକାଣ୍ଡ ଷଡ଼୍‌ଯନ୍ତ୍ରର ଆଉ ଏକ ଫର୍ଦ୍ଦ: ମମିତାଙ୍କ ସବୁ ଟ୍ୱିଟର୍‌ ପୋଷ୍ଟ ଡିଲିଟ୍

ଫେସବୁକ୍, ଇନଷ୍ଟାଗ୍ରାମରେ ବି ବେଶ୍ ସକ୍ରିୟ ଥିଲେ ମମିତା
ହତ୍ୟା ପୂର୍ବରୁ କିଛି ପୋଷ୍ଟ କରାଯାଇଥିଲା କି?

ଭୁବନେଶ୍ୱର : ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ସାଂଘାତିକ ଷଡ଼୍‌ଯନ୍ତ୍ର କରାଯାଇଥିବା ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ପଦାକୁ ଆସିବାରେ ଲାଗିଛି। ସମୁଦାୟ ଘଟଣା ଓ ପରିବାର ଲୋକଙ୍କ ଅଭିଯୋଗକୁ ଦେଖିଲେ ହତ୍ୟା ଓ ପ୍ରମାଣ ଲିଭାଇବା ପାଇଁ ଏକ ବଡ଼ଧରଣର ଷଡ୍‌ଯନ୍ତ୍ର ରଚନା କରାଯାଇଥିଲା, ଏକଥା ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଛି। କେବଳ ସେତିକି ନୁହେଁ, ଏହାପଛରେ କିଛି ବଡ଼ବଡ଼ିଆଙ୍କ ହାତ ରହିଥିବା ସନ୍ଦେହ ବି କ୍ରମଶଃ ଦୃଢୀଭୂତ ହେବାରେ ଲାଗିଛି।

ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଅନୁସାରେ ମମିତା ସୋସିଆଲ୍ ମିଡିଆରେ ବେଶ୍ ସକ୍ରିୟ ଥିଲେ। ଫେସବୁକ୍, ଇନଷ୍ଟାଗ୍ରାମ୍ ଓ ଟ୍ବିଟରରେ ତାଙ୍କର ଆକାଉଣ୍ଟ ମଧ୍ୟ ରହିଛି। କିନ୍ତୁ ମମିତାଙ୍କ ଟ୍ବିଟର ଆକାଉଣ୍ଟରେ ଗୋଟିଏ ବି ପୋଷ୍ଟ ନାହିଁ କି ଫଟୋଟିଏ ମଧ୍ୟ ନାହିଁ। ଘଟଣା ପରେ ତାଙ୍କର ଫଲୋଅର୍ସ ନ ଥିବା କୁହାଯାଉଛି। ମମିତାଙ୍କ ଟ୍ବିଟର ଆକାଉଣ୍ଟର ସବୁ ପୋଷ୍ଟ ଓ ମିଡିଆରେ ଥିବା ଫଟୋ, ଭିଡିଓକୁ ଡିଲିଟ୍ କରି ଦିଆଯାଇଥିବା ସନ୍ଦେହ କରାଯାଉଛି। କାରଣ ମମିତାଙ୍କ ମୋବାଇଲ ଫୋନରେ ଅଭିଯୁକ୍ତ ଗୋବିନ୍ଦର ଅନୈତିକ ସମ୍ପର୍କର ପ୍ରମାଣ ଓ ଆଉ କେତେକ କେଳେଙ୍କାରୀ ଭିଡିଓ ଥିବା କୁହାଯାଉଛି। ଯାହା କେବଳ ଗୋବିନ୍ଦ ନୁହେଁ, ଆଉ କେତେକ ବଡ଼ବଡ଼ିଆଙ୍କୁ ଅସୁବିଧାରେ ପକାଇବାର ସମ୍ଭାବନା ଥିଲା।

ଖୋଦ୍ ପୁଲିସ କହିସାରିଛି ଯେ ଗୋବିନ୍ଦର ଅନୈତିକ ସମ୍ପର୍କର ମୁଖା ଖୋଲିଦେବାକୁ ମମିତା ଧମକ ଦେବା ପରେ ତାଙ୍କୁ ହତ୍ୟା କରାଯାଇଛି। ଏଣୁ ଟ୍ବିଟର ଆକାଉଣ୍ଟ ଯାଞ୍ଚ ପରେ ସନ୍ଦେହ କରାଯାଉଛି ଯେ ମମିତାଙ୍କୁ ହତ୍ୟା କରାଯିବା ପରେ ତାଙ୍କ ମୋବାଇଲ ଫୋନରୁ ସବୁ ପ୍ରମାଣ ନଷ୍ଟ କରିବା ପାଇଁ ମଧ୍ୟ ଉଦ୍ୟମ ହୋଇଛି। ଆଉ ଏହାରି ଭିତରେ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଥିବା ପ୍ରମାଣ ନଷ୍ଟ କରାଯାଇପାରେ। ତେବେ ପ୍ରଶ୍ନ ଉଠୁଛି, ହତ୍ୟା ପୂର୍ବରୁ ମମିତା ଟ୍ବିଟର ଯୋଗେ କାହା ବିରୋଧରେ ଅଭିଯୋଗ ଆଣିଥିଲେ କି? କାହାକୁ ଟ୍ୟାଗ୍ କରି ସେ କିଛି ପୋଷ୍ଟ କରିଥିଲେ କି? ପ୍ରମାଣ ନଷ୍ଟ କରିବା ପାଇଁ ଅଭିଯୁକ୍ତ ଏହି କାମ କରିଛି ନା ବୈଷୟିକ ଜ୍ଞାନକୌଶଳ ଥିବା ବ୍ୟକ୍ତିଙ୍କର ସହାୟତା ନିଆଯାଇଛି? ୮ ତାରିଖ ହତ୍ୟାକାଣ୍ଡ ପରେ ଗୋବିନ୍ଦ ମମିତାଙ୍କର ମୋବାଇଲକୁ ରଖି ଏହି କାମ କରିଥିଲା ନା ହତ୍ୟା ପରେ ପରେ? ଅତ୍ୟନ୍ତ ବିଶ୍ବସ୍ତ ନ ହେଲେ ଏହି କାମ କରିବା ଅସମ୍ଭବ? ଯଦି ସେପରି ହୋଇଥାଏ ତାହେଲେ ସେହି ବ୍ୟକ୍ତି ସଂପର୍କରେ ମଧ୍ୟ ତନାଘନା ହେବା ଦରକାର ବୋଲି ଆଇନଜ୍ଞ ମତ ରଖୁଛନ୍ତି।

ଏଠାରେ ଉଲ୍ଲେଖଥାଉକି, ଗୋବିନ୍ଦର କଳା କାରାନାମାର ମୁଖା ଖୋଲିବା ପାଇଁ ମମିତା ଫେସବୁକରେ କିଛି ଆକାଉଣ୍ଟ ଖୋଲି ଫଟୋ, ଭିଡିଓ ଭାଇରାଲ୍ କରିବାକୁ ଯୋଜନା କରିଥିଲେ ବୋଲି ସାଙ୍ଗସାଥୀମାନେ କହିଥିଲେ। ସେହି ଦୃଷ୍ଟିରୁ ମମିତାଙ୍କ ମୋବାଇଲ୍ ଫୋନ୍ ବଡ଼ ପ୍ରମାଣ ବୋଲି କୁହାଯାଉଛି। ଏ ଦିଗରେ ପୁଲିସ ସାମାନ୍ୟତମ ତଦନ୍ତ କିମ୍ବା ପ୍ରମାଣ ସଂଗ୍ରହ କରିପାରି ନାହିଁ। ଏହି ଘଟଣା ଏବେ ସାମ୍ନାକୁ ଆସିବା ପରେ ପୁଲିସ ଟ୍ବିଟରକୁ ଚିଠି ଲେଖି ପୋଷ୍ଟ ସମ୍ପର୍କରେ ଖୋଳତାଡ଼ କରିବ କରିବ କି ବୋଲି ପ୍ରଶ୍ନ ମଧ୍ୟ ଉଠିଛି।

ସାଇବର ବିଶେଷଜ୍ଞ ଚନ୍ଦ୍ରଶେଖର ବିଶ୍ବାଳଙ୍କ କହିବା ଅନୁସାରେ, ଯଦି ଟ୍ବିଟର ଆକାଉଣ୍ଟରୁ ପୋଷ୍ଟ ଡିଲିଟ୍ କରାଯାଏ ତାହେଲେ ସେ ଯାହାକୁ ଟ୍ୟାଗ୍ କରିଥିବେ ତାଙ୍କ ଆକାଉଣ୍ଟରେ ମଧ୍ୟ ଡିଲିଟ୍ ଦେଖାଇବ। ପୁଲିସ ଯଦି ଟ୍ବିଟରକୁ ଚିଠି ଲେଖିବ ତାହେଲେ ସେଠାରୁ କିଛି ତଥ୍ୟ ମିଳିପାରିବ। ଯାହା ତଦନ୍ତରେ ସହାୟକ ହୋଇପାରିବ। ଏହାର ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟ ରହିଥାଏ। ସମୟସୀମା ଅତିକ୍ରାନ୍ତ ପରେ ତଥ୍ୟ ମିଳିବା କଷ୍ଟକର ହୋଇପଡ଼ିବ।

ସମ୍ବନ୍ଧିତ ଖବର