ମମିତା ହତ୍ୟା ମାମଲା: ଡିଆଇଜିଙ୍କୁ ଫେରାଦ ହେଲା ରାଜ୍ୟ କଂଗ୍ରେସ ମହିଳା ସେଲ୍‌

କାର୍ଯ୍ୟାନୁଷ୍ଠାନ ଦାବି ତେଜୁଛି, ଉପଯୁକ୍ତ ନ୍ୟାୟ ସହ କ୍ଷତିପୂରଣ ଦାବି କଲା ନିଖିଳ ଓଡ଼ିଶା ମେହେର ସମାଜ

ଭବାନୀପାଟଣା : ରାଜ୍ୟ କଂଗ୍ରେସ ମହିଳା ସେଲ୍‌ ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କ ନେତୃତ୍ବରେ ଏକ ମହିଳା ପ୍ରତିନିଧି ଦଳ ମହାଲିଙ୍ଗଠାରେ ପହଞ୍ଚିଥିଲେ। ସେମାନେ କଲେଜ ପରିସର ଓ ପୋତା ଯାଇଥିବା ହାଇସ୍କୁଲ ଷ୍ଟାଡ଼ିୟମ ପରିସର ପରିଦର୍ଶନ କରିଥିଲେ। ପରେ ଉତ୍ତରାଞ୍ଚଳ ଡିଆଇଜି ପ୍ରଦୀପ କୁମାରଙ୍କୁ ଭେଟି ଏହି ଘଟଣାର ଏକ ନିରପେକ୍ଷ ତଦନ୍ତ ପାଇଁ ଅନୁରୋଧ କରିଥିଲେ। ଏଥିରେ ସମ୍ପୃକ୍ତ ଥିବା ନେତା ମନ୍ତ୍ରୀମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଅନୁରୋଧ କରିଥିଲେ। ଏହି ମହିଳା ପ୍ରତିନିଧି ଦଳରେ ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରଣତି ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ। ଏହି ଟିମ୍‌ ବଲାଙ୍ଗୀର ଜିଲ୍ଲାର ଝରନୀ ଗ୍ରାମକୁ ଯାଇ ପରିବାରଙ୍କୁ ଭେଟିଥିଲେ।

ମମିତା ହତ୍ୟା ମାମଲା: କାର୍ଯ୍ୟାନୁଷ୍ଠାନ ଦାବି ତେଜୁଛି
ଉପଯୁକ୍ତ ନ୍ୟାୟ ସହ କ୍ଷତିପୂରଣ ଦାବି କଲା ନିଖିଳ ଓଡ଼ିଶା ମେହେର ସମାଜ
ନୂଆପଡ଼ା : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ଅପହରଣ ଓ ହତ୍ୟା ଘଟଣାକୁ ନିଖିଳ ଓଡ଼ିଶା ମେହେର ସମାଜ ଘୋର ନିନ୍ଦା କରିଛି। ନିଖିଳ ଓଡ଼ିଶା ମେହେର ସମାଜର ସଭାପତି ବରିଷ୍ଠ ଆଇନଜୀବୀ ବୈଶମ୍ପାୟନ ମେହେରଙ୍କ ତତ୍ତ୍ବାବଧାନରେ ଏବଂ କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ମୋହନ ମେହେରଙ୍କ ନେତୃତ୍ବରେ ସମାଜର ପ୍ରାୟ ୧୦୦ ଜଣିଆ ଏକ ପ୍ରତିନିଧି ଦଳ ମମିତାଙ୍କ ଗାଁ ଝରଣୀକୁ ଯାଇ ତାଙ୍କ ପରିବାର ସଦସ୍ୟଙ୍କୁ ସାକ୍ଷାତ କରିବା ସହ ସ୍ବାନ୍ତ୍ବନା ପ୍ରଦାନ କରିଥିଲେ। ପରେ ବଲାଙ୍ଗୀର ଯାଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସାତଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥି‌ଲେ। ଦାବି ମୁତାବକ, ମମିତା ମେହେର ଅପହରଣ ଓ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀ ଦଣ୍ତ ଓ ଘଟଣାରେ ସଂଶ୍ଲିଷ୍ଟ ଥିବା ଅନ୍ୟମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ତ ବିଧାନ, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ, ମମିତାଙ୍କ ପରିବାରକୁ ୨କୋଟି ଟଙ୍କା କ୍ଷତିପୂରଣ, ପରିବାରର ଜଣକୁ ସରକାରୀ ଚାକିରି ପ୍ରଦାନ ଆଦି ରହିଛି।

ଦାବିପତ୍ରଟି ମୁଖ୍ୟମନ୍ତ୍ରୀଙ୍କ ସମେତ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ସମାଜ ତରଫରୁ ଦିଆଯାଇଥିବା ଜଣାପଡ଼ିଛି। ନିଖିଳ ଓଡ଼ିଶା ମେହେର ସମାଜ ତରଫରୁ ମମିତାଙ୍କ ଗାଁ ଝରଣୀରେ ଏକ ଶୋକସଭା କରାଯାଇ ସ୍ୱର୍ଗତ ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା। ଏହି ପ୍ରତିନିଧି ଦଳରେ କୋଷାଧ୍ୟକ୍ଷ ଗୋପବନ୍ଧୁ ମେହେର, ଉପସଭାପତି ସନ୍ତୋଷ ମେହେର, ଡାଲିମ୍ୱ ମେହେର, ପରାମର୍ଶଦାତା ଡମ୍ୱରୁଧର ମେହେର, ବେଲପଡ଼ା କେନ୍ଦ୍ର ବୋର୍ଡ ସଭାପତି ଚୂଡ଼ାମଣି ମେହେର, କଳାହାଣ୍ଡି ସଭାପତି ଦିଲୀପ ମେହେର, ନୂଆପଡ଼ା ଜିଲ୍ଲା ସମ୍ପାଦକ ନବୀନ ମେହେର, ଅଭିରାମ ମେହେର, ସିନାପାଲି ସଭାପତି ଚନ୍ଦ୍ରଶେଖର ମେହେର, ସମ୍ପାଦକ ବୈଷ୍ଣବ ମେହେର, ବଲାଙ୍ଗୀର ସଭାପତି ହରେକୃଷ୍ଣ ମେହେର, ବଲାଙ୍ଗୀର ଯୁବମଞ୍ଚ ସଭାପତି ସନ୍ତୋଷ ମେହେର, ସିନାପାଲି ଯୁବମଞ୍ଚ ସଭାପତି ଆଲୋକ ମେହେର, ଟେଣୋ ମେହେର, ଲିଙ୍ଗରାଜ ମେହେର, ଖୁସିରାମ ମେହେର, ରାମକୃଷ୍ଣ ମେହେର, ମହେଶ୍ୱର ମେହେର, ନୀଳାଞ୍ଚଳ ମେହେର, ସାନୁର୍ଯ୍ୟ ମେହେର, ଶଙ୍କର ମେହେର, ପ୍ରବୀଣ ମେହେର ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର