ମମିତା ହତ୍ୟାକାଣ୍ଡ: ବଢ଼ୁଛି ରାୟପୁର ଅଡ଼ୁଆ

ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଘେରିଲେ ବିରୋଧୀ

ନୂଆ ତଥ୍ୟ ଦେଇ ବର୍ଷିଲେ ବିଜୟ
ରାୟପୁରରେ ତିନିଥର ବସିଛନ୍ତି
ଫେରାର ବେଳେ ମନ୍ତ୍ରୀଙ୍କ ସହ
ଫୋନରେ କଥା ହୋଇଛି ଗୋବିନ୍ଦ
ପେନଡ୍ରାଇଭ୍‌ରେ ଲୁଚିଛି ରହସ୍ୟ: ସାଲୁଜା

ଭୁବନେଶ୍ୱର : ମମିତା ହତ୍ୟା ମାମଲାରେ ବିବାଦୀୟ ହୋଇପଡ଼ିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ଅଡ଼ୁଆ ବଢ଼ିବାରେ ଲାଗିଛି। ମମିତା ଏବଂ ଗୋବିନ୍ଦ ସାହୁ ମଧ୍ୟରେ ବୁଝାମଣା କରିବା ଲାଗି ଶ୍ରୀ ମିଶ୍ର ଅନେକ ଥର ଉଦ୍ୟମ କରିଛନ୍ତି। ଏଥିଲାଗି ସେ ତିନି ଥର ରାୟପୁର ମଧ୍ୟ ଯାଇଛନ୍ତି। କେବଳ ଏତିକି ନୁ‌ହେଁ, ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ବାରାକରେ ଥିବା ବେଳେ ଏବଂ ସେଠାରୁ ଫେରାର ବେଳେ ମନ୍ତ୍ରୀଙ୍କ ସହିତ ଫୋନରେ କଥା ହୋଇଛି। ମମିତାଙ୍କ ଘରୁ ‌ପୁଲିସ ଯେଉଁ ପେନଡ୍ରାଇଭ୍ ଜବତ କରିଛି ସେଥିରେ ସବୁ କେ‌ଳେଙ୍କାରୀର ରହସ୍ୟ ରହିଛି। ଏଭଳି ବିସ୍ଫୋରକ ତଥ୍ୟ ଦେଇ ମନ୍ତ୍ରୀ ଏବଂ ପୁଲିସକୁ ଘେରିଛନ୍ତି ବିରୋଧୀ ଦଳ।

ସମଗ୍ର ଘଟଣାରେ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର। ଶ୍ରୀ ମହାପାତ୍ର କହିଛନ୍ତି, ‘ପୂର୍ବରୁ ମୁଁ ଯେଉଁ ପ୍ରଶ୍ନ ଉଠାଇଥିଲି କୌଣସି ପ୍ରଶ୍ନର ଉତ୍ତର ସରକାର ଦେଇନାହାନ୍ତି। ତଦନ୍ତ ଦାୟିତ୍ବରେ ଥିବା ପୁଲିସ ଅଫିସରମାନେ ମଧ୍ୟ କୌଣସି ଉତ୍ତର ରଖୁନାହାନ୍ତି। ରାୟପୁର ଘଟଣା ବ୍ୟତୀତ ପୁଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ମଧ୍ୟ ମୁଁ କଥା ଉଠାଇଥିଲି। ପୁଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବି କେହି କିଛି କହୁନାହାନ୍ତି। ଏତେ ବଡ଼ ଘଟଣା ଘଟିଲା, ଯାହାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ତାହାସତ୍ତ୍ବେ ସମସ୍ତେ ନିରବ ରହିଛନ୍ତି।

ସେ କହିଛନ୍ତି ଯେ ରାୟପୁରରେ ଥରେ ନୁହେଁ, ତିନି ତିନି ଥର ମିଳାମିଶା ବୈଠକ ବସିଛି। ତିନିରୁ ଚାରି ମାସ ଭିତରେ ସମାନ ପ୍ରସଙ୍ଗରେ ବୈଠକ ବସିଛି। ମାତ୍ର ସମାଧାନର ରାସ୍ତା ବାହାରି ପାରିନାହିଁ। ହେଲେ ସେକଥା ମନ୍ତ୍ରୀ ଥରୁଟିଏ ତାଙ୍କ ବିବୃତିରେ କହିଲେ ନାହିଁ। ସେପଟେ ଗୋବିନ୍ଦ ସାହୁ ବାରାକରେ ରହିଲା ଓ ଫେରାର ହେଲା। ସେତେବେଳେ ସେ କ’ଣ ମନ୍ତ୍ରୀଙ୍କ ସହିତ ଫୋନ୍‌ରେ କଥାବାର୍ତ୍ତା ହୋଇନି? ସେ ଫୋନ୍‌ରେ କଥାବାର୍ତ୍ତା ହୋଇଛି। ଏକଥା ସମସ୍ତେ ଜାଣିଛନ୍ତି। ତଥାପି ସମସ୍ତେ ଚୁପ୍‌ ରହିଛନ୍ତି। ଆଗକୁ ଆହୁରି ଭୟଙ୍କର କଥା ସାମ୍ନାକୁ ଆସିବ।

ଏହାସହ ଶ୍ରୀ ମହାପାତ୍ର ପଚାରିଛନ୍ତି ଯେ ପୁଲିସ ବିଭାଗ ବୁଝୁଛି କିଏ? ଆଗକୁ ଆହୁରି ବିସ୍ଫୋରକ ତଥ୍ୟ ସାମ୍ନାକୁ ଆସିବ। ସାରା ଓଡ଼ିଶାବାସୀ ଏ ସମସ୍ତ ଘଟଣା ଜାଣିବାକୁ ପାଇବେ। ଏହି ଘଟଣା ସହଜରେ ପୂର୍ଣ୍ଣଛେଦ ପଡ଼ୁନାହିଁ।

ସୂଚନାଯୋଗ୍ୟ ଯେ ରାୟପୁରରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉପସ୍ଥିତିରେ ଅଭିଯୁକ୍ତ ଗୋବିନ୍ଦ, ପୀଡ଼ିତା ମମିତାଙ୍କୁ ନେଇ ବୈଠକ ହୋଇଥିବା କଥା ବିଜୟଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂହ ସାଲୁଜା ଆଗରୁ ଉଠାଇଥିଲେ।

ସେହିଭଳି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ଲିଙ୍କ୍‌ ନେଇ ସୋମବାର ବିଧାୟକ ସନ୍ତୋଷ ସିଂହ ସାଲୁଜା ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ଗୋବିନ୍ଦ ସାହୁ ସେପ୍ଟେମ୍ବର ୨୦ ତାରିଖରେ ମମିତାଙ୍କୁ ରାୟପୁର ନେଇଥିଲା। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ତାଙ୍କ କୁଲ୍‌ ହୋମ୍ ଆପାର୍ଟମେଣ୍ଟରେ ଗୋବିନ୍ଦ ଓ ମମିତାଙ୍କ ଭିତରେ ବୁଝାମଣା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବୁଝାମଣା ହୋଇପାରିନଥିଲା। ପ୍ରଶ୍ନ ଉଠୁଛି ମନ୍ତ୍ରୀ ରାୟପୁରର କୁଲ୍‌ ହୋମ୍‌କୁ କାହିଁକି ଡାକିଥିଲେ? ମମିତା ରାୟପୁର ଯିବା ପାଇଁ ତାଙ୍କ ବାପା ଜୟ ବଜରଙ୍ଗବାଲି ବସ୍‌ରେ ୫ଟା ୪୫ରେ ତାଙ୍କୁ କଣ୍ଟାବାଞ୍ଝିରୁ ମହାଲିଙ୍ଗ ଯାଉଥିବା ବସ୍‌ରେ ବସାଇଥିଲେ। ସେପ୍ଟେମ୍ବର ୨୦ରେ ଗୋବିନ୍ଦ ସାହୁ ମମିତାଙ୍କୁ ମହାଲିଙ୍ଗରୁ ରାୟପୁରକୁ ନେଇଥିଲା। ସେଠାରେ ସେପ୍ଟେମ୍ବର ୨୩ତାରିଖ ଯାଏଁ ଅର୍ଥାତ୍ ୪ଦିନ ମମିତା ରହିଥିଲେ। ସେଠାରେ ଏହି ତିନି ଜଣ ରହିଥିଲେ। ତାଙ୍କର ଡେଲି କଲ୍‌ ରେଜିଷ୍ଟରକୁ ଯାଞ୍ଚ କଲେ ଜଣାପଡ଼ିବ ଏହି ତିନି ଜଣ ରାୟପୁରରେ ଥିଲେ ଏବଂ କ’ଣ କ’ଣ କଥା ହୋଇଛନ୍ତି। ଆଜି ପର୍ଯ୍ୟନ୍ତ ବଲାଙ୍ଗୀର, କଳାହାଣ୍ଡି ଏସ୍‌ପି କି ସମ୍ବଲପୁର ଓ ବ୍ରହ୍ମପୁର ଡିଆଇଜି ଏହି କଲ୍‌ ରେଜିଷ୍ଟର ବିଷୟରେ ଖୁଲାସା କରିନାହାନ୍ତି। ଏହି ୪ଦିନ କାହା କାହା ସମ୍ପର୍କରେ ମମିତା, ଗୋବିନ୍ଦ, ମନ୍ତ୍ରୀ ଶ୍ରୀ ମିଶ୍ର ଏବଂ ଅଭିଯୋଗ ଆସୁଥିବା ଅନ୍ୟ ମନ୍ତ୍ରୀ, ବିଧାୟକମାନେ କ’ଣ କଥା ହୋଇଥିଲେ ସେ ବିଷୟରେ କେହି କିଛି କହୁନାହାନ୍ତି। ଏପରିକି ଡେଲି କଲ୍‌ ରେଜିଷ୍ଟର, ଲାପଟପ୍ ହାର୍ଡ ଡିସ୍କ, ପେନ୍‌ ଡ୍ରାଇଭ୍ ସମ୍ପର୍କ‌େର ଲୋକଲୋଚନକୁ ଅଣାଯାଇନି।

୨୩ରେ ମମିତା ରାୟପୁରରୁ ନିଜ ଗାଁକୁ ଫେରିଥିଲେ। ବୁଝାମଣା ହୋଇନପାରିବାରୁ ଅକ୍ଟୋବର ୭ରେ ଯୋଜନାବଦ୍ଧ ଭାବେ ମମିତାଙ୍କ ଆକାଉଣ୍ଟକୁ ଗୋବିନ୍ଦ ୮ହଜାର ଟଙ୍କା ପଠାଇଥିଲା। ଏହା ପରଦିନ ଅର୍ଥାତ୍ ୮ତାରିଖରେ ଗୋବିନ୍ଦ ସାହୁ ପୁଣି ମମିତାଙ୍କୁ ଡକାଇ ଚାନ୍ଦତାଳରୁ ଗାଡ଼ିରେ ନେଇ ଅତି ନିର୍ମମ ଭାବେ ହତ୍ୟା କରିଥିଲା। ତେଣୁ ରାୟପୁରର କଲ୍‌ ରେଜିଷ୍ଟରକୁ ସାମ୍ନାକୁ ଅଣାଯାଉ। ମନ୍ତ୍ରୀ କେତେ ଥର ସରକାରୀ କାର୍ଯ୍ୟରେ, ନିଜର କାର୍ଯ୍ୟ‌େର କେତେ ଥର ରାୟପୁର ଯାଇଛନ୍ତି ତା’ର ଖୁଲାସା କରାଯାଉ। ‌ମମିତା ମୋବାଇଲ୍‌ରେ ଯାହା ସୁଟିଂ କରିଥିଲେ ତାକୁ ତାଙ୍କ ଲାପଟପ୍‌ରେ ରଖିଥିଲେ। ତାହାକୁ ପେନ୍‌ ଡ୍ରାଇଭ୍‌ରେ ବି ରଖିଥିଲେ। ଯେଉଁଥିପାଇଁ ତାଙ୍କର ହତ୍ୟା ହୋଇଛି। ମମିତାଙ୍କୁ ଖଣ୍ଡ ଖଣ୍ଡ କରି ହତ୍ୟା କରାଗଲା, ପୋଡ଼ା ଗଲା। ଅଥଚ ତାଙ୍କ ଭ୍ୟାନଟି ବ୍ୟାଗ୍ ପୋଡ଼ିଲାନି। ଏଥିରୁ ଜଣାପଡ଼ୁଛି ପେନ୍‌ଡ୍ରାଇଭ୍ ମିଳିଲା ପରେ ତାଙ୍କୁ ପୋଡ଼ାଯାଇଛି ବୋଲି ସାଲୁଜା କହିଛନ୍ତି।

ଅଭିଯୋଗ ହାସ୍ୟାସ୍ପଦ: ଦିବ୍ୟଶଙ୍କର
ଭୁବନେଶ୍ବର : ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉପସ୍ଥିତିରେ ସେପ୍ଟେମ୍ବର ୨୦ରୁ ୨୩ତାରିଖ ମଧ୍ୟରେ ରାୟପୁରରେ ଗୋବିନ୍ଦ ସାହୁ ଓ ମମିତାଙ୍କ ମଧ୍ୟରେ ବୁଝାମଣା ଉଦ୍ୟମ ହୋଇଥିଲା ବୋଲି କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂହ ସାଲୁଜା କହିବା ପରେ ଏହାକୁ ମନ୍ତ୍ରୀ ଶ୍ରୀ ମିଶ୍ର ଖଣ୍ଡନ କରିଛନ୍ତି। ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ କଣ୍ଟାବାଞ୍ଝି ବିଧାୟକ ଯେଉଁ ଅଭିଯୋଗ ଲଗାଇଛନ୍ତି ତାହା ହାସ୍ୟାସ୍ପଦ ଏବଂ ଦୁର୍ଭାଗ୍ୟଜନକ। ଏହି ଷଡ଼୍‌ଯନ୍ତ୍ର ବନ୍ଦ ହେଉ। ଏହି ଘଟଣାରେ ମୋର ସମ୍ପର୍କ ନାହିଁ, ବାରମ୍ବାର କହୁଛି, ସବୁବେଳେ କହିବି। ମୁଁ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ରାୟପୁରରେ ଥିଲି ବୋଲି ବିଧାୟକ କହୁଛନ୍ତି। କିନ୍ତୁ ମୁଁ କହି ରଖୁଛି ଯେ ମୁଁ ୨୧ ତାରିଖରେ କଣ୍ଟାବାଞ୍ଝିରେ ଥିଲି। ୨୨ରେ ପାଟଣାଗଡରେ ଉଦ୍‌ବୋଧନ ଦେଇଛି। ୨୫ ତାରିଖ ଯାଏଁ ନିର୍ବାଚନମଣ୍ଡଳୀରେ ରହିଥିଲି।

ସମ୍ବନ୍ଧିତ ଖବର