ମମିତା ମେହେର ହତ୍ୟା ମାମଲା: ଖସିବା ବାଟ ଖୋଲା

କେସ୍‌ ରେକର୍ଡରୁ ସାମ୍ନାକୁ ଆସିଲା ଜବତ ତାଲିକା
ଲାବ୍‌କୁ ଯାଇଛି ପ୍ରାୟ ୭୦ ଆଇଟମ୍‌
ତାଲିକାରେ ନାହିଁ ପୋଡ଼ା ପ୍ଲାଷ୍ଟିକ, ମେଟାଲ୍ସ
୧୬୪ ବୟାନ ରେକର୍ଡ କରିନି ପୁଲିସ

ବଲାଙ୍ଗୀର : ମମିତା ମେହେର ହତ୍ୟାକାଣ୍ଡରେ ପୁଲିସ ହାତରେ ଲାଗିଥିବା ପ୍ରମାଣର ତାଲିକା ସାମ୍ନାକୁ ଆସିଛି। ତାଲିକାରୁ ସ୍ପଷ୍ଟ ଜଣାପଡୁଛି ଅଭିଯୁକ୍ତମାନେ ଖସିବାର ସବୁ ବାଟ ଖୋଲା ରହିଛି। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ବ୍ୟବହାର କରିଥିବା କାର୍‌ ପୁଲିସ ଜବତ କରିଥିଲା। ସେଥିରୁ କିଛି ସାମଗ୍ରୀ ଜବତ ହୋଇଥିଲା। ଏପରିକି ମହାଲିଙ୍ଗ ମିନିଷ୍ଟାଡିୟମରୁ ପୁଲିସ ସାଇଣ୍ଟିଫିକ ଟିମ୍‌ ବିଭିନ୍ନ ସାମଗ୍ରୀ ଜବତ କରିଥିଲା। ପ୍ରାୟ ୭୦ଟି ଆଇଟମ୍‌ ଫରେନସିକ ଲାବ୍‌କୁ ପଠାଯାଇଛି। ସେଥିରେ କିନ୍ତୁ ମାମଲାର ମୁଖ୍ୟ ରହସ୍ୟ ଥିବା କୁହାଯାଉଥିବା ମୋବାଇଲ୍‌ ଫୋନ୍‌ ସଂପର୍କିତ କିଛି ତଥ୍ୟ ନାହିଁ। ଡିଆଇଜି ଶେଷ ସାମ୍ବାଦିକ ସମ୍ମିଳନୀରେ ମମିତା ମୋବାଇଲ୍‌କୁ ନେଇ ଯାହା କିଛି କହିଥିଲେ (ପୋଡ଼ା ପ୍ଲାଷ୍ଟିକ ମେଟେରିଆଲ୍ସ) ତାହା କେସ୍‌ ରେକର୍ଡର ଜବତ ତାଲିକାରେ ନଥିବା ଜଣାପଡ଼ିଛି। ଅନ୍ୟପଟେ ସିଧାସଳଖ କୌଣସି ପ୍ରମାଣ ପୁଲିସ ପାଖରେ ନାହିଁ।

କେସ୍‌ ରେକର୍ଡରୁ ମିଳିଥିବା ସୂଚନା ମୁତାବକ, ପୁଲିସ ମହାଲିଙ୍ଗ ମିନିଷ୍ଟାଡିୟମରେ ଗାତ ଖୋଳି ତଦନ୍ତ କରିବା ପରେ ସେଠାରୁ ହାଡ଼, ବାଇଗଣି ରଙ୍ଗର ପୋଡ଼ା ଏୟାର୍‌ବ୍ୟାଗ୍‌, ଆଇରନ୍‌ ୱେର୍‌, ଲୁଣଭରା ପଲିଥିନ, ପୋଡ଼ା ପାଉଁଶ, ସୁନା ଚେନ୍‌, ରୁପା ପାଉଁଜି ଆଦି ଜବତ କରିଛି। ସେହିପରି ଗୋବିନ୍ଦ ସାହୁ ବ୍ୟବହାର କରୁଥିବା ୱାଗନର କାର୍‌ରୁ ଲମ୍ବା ବାଳ, ଏକ ଚାବି ରିଂ, କାନଫୁଲ, ଟର୍‌କିସ ଟାୱଲ, ପେଟ୍ରୋଲ ଜାର୍‌, ଏକ ଷ୍ଟିଲ୍‌ ଛୁରି, କିଛି କଟନ୍‌, ଟୁଥ୍‌ବ୍ରସ୍‌, ଟଙ୍ଗକ୍ଲିନର୍‌, ଛତା ଜବତ କରିଛି। ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ରକ୍ତ ନମୁନା, ନଖ, ବାଳ ଆଦି ପୁଲିସ ଫରେନ୍‌ସିକ୍‌ ଲାବ୍‌କୁ ପଠାଇଛି। ଜବତ ତାଲିକାରେ ଥିବା ସାମଗ୍ରୀ ତାଲିକାରେ ଡିଆଇଜି କହୁଥିବା ମୋବାଇଲ୍‌ର ପ୍ଲାଷ୍ଟିକ ମେଟେରିଆଲ୍ସର ନାଁ ଗନ୍ଧ କିଛି ନାହିଁ। ଯାହାକୁ ନେଇ ସନ୍ଦେହ ଦେଖାଦେଉଛି। ଜବତ ସାମଗ୍ରୀ ଛଡ଼ା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନୂଆ ତଥ୍ୟ ସାମ୍ନାକୁ ଆସିଛି। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ୮ତାରିଖ ବିବେକ ଅଗ୍ରୱାଲକୁ ଫୋନ୍‌ କରି ଦୁଇଟି ଟାୟାର ଦେବାକୁ କହିଥିଲା। ଫୋନ୍ କରିବା ସମୟ ଥିଲା ୧୨ଟା ୩୦ । ଯାହାକି ବିବେକ ପୁଲିସ ଆଗରେ ବୟାନ ଦେଇଥିବା ଜଣାପଡ଼ିଛି। ସେହି କ୍ରମରେ ବିବେକଙ୍କ ପାଖକୁ ଗୋବିନ୍ଦର ଡ୍ରାଇଭର ରାଧେଶ୍ୟାମ ଚଣ୍ଡି ଓରଫ ରାଧେ ଟାୟାର ନେବାକୁ ଯାଇଥିଲା। ମମିତାଙ୍କୁ ୮ ତାରିଖ ୧୨ଟା ୩୦ ଭିତରେ ଗୋବିନ୍ଦ ହତ୍ୟା କରିସାରିଥିବା ଜଣାପଡ଼ିଛି।

ପୁଲିସ ତଦନ୍ତକୁ ନେଇ ଆରମ୍ଭ ହେଲାଣି ତର୍ଜମା। ଘଟଣାରେ ସିଧାସଳଖ ପ୍ରମାଣ ନାହିଁ। ପାରିପାର୍ଶ୍ବିକ ପ୍ରମାଣକୁ ନେଇ ଚାର୍ଜସିଟ ଦେବ ପୁଲିସ। ତେଣୁ ପୁଲିସ ଆଗରେ ସବୁକଥା ଓଗାଳିଥିବା ଗୋବିନ୍ଦ ଓ ରାଧେର ୧୬୪ ବୟାନ କାହିଁକି ରେକର୍ଡ କରାଗଲା ନାହିଁ? ଅନ୍ୟ ସାକ୍ଷୀମାନଙ୍କର ସିଆର୍‌ପିସି ୧୬୧ ସହ ୧୬୪ ବୟାନ ରେକର୍ଡ କାହିଁକି କରିନି ପୁଲିସ? ହୁଏତ ଅଭିଯୁକ୍ତ ସହ ଅନ୍ୟ ସାକ୍ଷୀମାନେ କୋର୍ଟରେ ମତ ବଦଳାଇ ପାରନ୍ତି? ପୁଲିସ ଆଗରେ ଦୋଷ ମାନିବା କୋର୍ଟରେ ଗ୍ରହଣୀୟ ନୁହେଁ। ଜଣେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଆଗରେ ସିଆର୍‌ପିସିର ୧୬୪ ଧାରାରେ ବୟାନ ରେକର୍ଡ ହୋଇଥିଲେ ତାହା କୋର୍ଟରେ ଗ୍ରହଣୀୟ ହୋଇଥାନ୍ତା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେସ୍‌ ରେକର୍ଡରୁ ଯାହା ଜଣାପଡୁଛି ୧୬୪ ଧାରାରେ ବୟାନ ରେକର୍ଡ କରାଯାଇନି ବୋଲି ବରିଷ୍ଠ ଆଇନଜୀବୀ ପ୍ରମୋଦ ମିଶ୍ର ମତ ଦେଇଛନ୍ତି।

ଅନ୍ୟପଟେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସହ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ଘନିଷ୍ଠତା ଥିବାରୁ ପୁଲିସ ଜାଣିଶୁଣି ସବୁ ପ୍ରମାଣକୁ ତଦନ୍ତ ଆଳରେ ନଷ୍ଟ କରିଚାଲିଛି ବୋଲି ବିରୋଧୀଙ୍କ ଅଭିଯୋଗର ତାଲିକା ବଢ଼ିଲାଣି। କଂଗ୍ରେସ ନେତା ତଥା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ଏବେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଘେରିବାରେ ଲାଗିଛନ୍ତି। କେଉଁଠି ଓ କାହା କାହା ସହ ମନ୍ତ୍ରୀ ରୁହନ୍ତି? ଗୋବିନ୍ଦ ସହ କେମିତି ସଂପର୍କ ଥିଲା? ମମିତା ହତ୍ୟା ମାମଲାରେ କାହିଁକି ମନ୍ତ୍ରୀ ସବୁ ପ୍ରଶ୍ନର ଉତ୍ତର ରଖୁ ନାହାନ୍ତି? ଏହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ବିବେକଙ୍କ ବୟାନ କ’ଣ ଥିଲା?
ମମିତା ହତ୍ୟା ମାମଲାରେ ବିବେକ ଅଗ୍ରୱାଲ ଦେଇଥିବା ବୟାନରେ ଅନେକ କଥା ସାମ୍ନାକୁ ଆସିଛି। ବିବେକ ବୟାନ ଦେବା ସହ ଆଜି ଗଣମାଧ୍ୟମ କ୍ୟାମେରା ଆଗରେ ମଧ୍ୟ ମୁହଁ ଖୋଲିଛନ୍ତି। ବିବେକଙ୍କ କହିବାନୁସାରେ, ତାଙ୍କୁ ଗୋବିନ୍ଦ ୮ତାରିଖ ପ୍ରାୟ ୧୨ଟା ୩୦ରେ ଫୋନ୍‌ କରିଥିଲା। ଫୋନ୍‌ରେ ଦୁଇଟି ଟାୟାର ଦେବାକୁ ସେ କହିଥିଲା। ପରେ ଦିନ ପ୍ରାୟ ୩ଟା ୩୦ ମି ସମୟରେ ଗୋବିନ୍ଦର ଡ୍ରାଇଭର ରାଧେଶ୍ୟାମ ଚଣ୍ଡି ଦୋକାନକୁ ଆସି ଦୁଇଟି ଟାୟାର ନେଇଯାଇଥିଲେ। ଏସବୁ ସେ ପୁଲିସକୁ ବୟାନ ଦେଇଥିବା ବିବେକ କହିଛନ୍ତି। ତେବେ ଏହି ମାମଲାରେ ରାଧେ ସବୁକିଛି ମୂଳରୁ ଜାଣିସାରିଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର