ମମିତା ହତ୍ୟାକାଣ୍ଡ: ନଅ ଦିନର ସାଂଘାତିକ ଷଡ଼୍‌ଯନ୍ତ୍ର, ପୁଲିସ ଉପରେ ସନ୍ଦେହ ବଢୁଛି

ସଂସଦରେ ଉଠିବ ମମିତା ମାମଲା: ସୂର୍ଯେୱାଲା

ଭୁବନେଶ୍ବର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ଗୋଟିଏ ପଟେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ରାଜନୈତିକସ୍ତରରେ ଦାବି ଜୋର ଧରୁଥିବା ବେଳେ ସେପଟେ ସମୁଦାୟ ମାମଲାରେ ପୁଲିସର ଭୂମିକା ଓ କାର୍ଯ୍ୟାନୁଷ୍ଠାନକୁ ନେଇ ସନ୍ଦେହ କ୍ରମଶଃ ବଢ଼ିବାରେ ଲାଗିଛି। ମମିତାଙ୍କୁ ୮ ତାରିଖ ଦିନ ହତ୍ୟା କରାଗଲା। ୯ ତାରିଖରେ ମମିତାଙ୍କ ପରିବାରର ଅଭିଯୋଗ କେ ଗାଁ ପୁଲିସ ରଖିଲାନି। ୧୦ ତାରିଖରୁ ପରିବାର ଲୋକ ବାରମ୍ବାର ଦୌ଼ଡିବା ପରେ ୧୩ ତାରିଖରେ ସିନ୍ଧେକେଲା ପୁଲିସ ମାମଲା ରୁଜୁ କରିଥିଲା। ସେହିପରି ୧୩ ତାରିଖରେ ପୁଲିସ ଗୋବିନ୍ଦ ସାହୁକୁ ଉଠାଇଲା, ଅଥଚ ୧୭ ତାରିଖ ପର୍ଯ୍ୟନ୍ତ ସତ କାଢ଼ିପାରିଲା ନାହିଁ। ମମିତାଙ୍କୁ ହତ୍ୟା କରାଯିବା ଠାରୁ ଗୋବିନ୍ଦ ଫେରାର ହେବା ପର୍ଯ୍ୟନ୍ତ ଅର୍ଥାତ୍ ପ୍ରଥମ ୯ଦିନ ଧରି ପୁଲିସର ଏଭଳି କାର୍ଯ୍ୟ ଓ ତଦନ୍ତରେ ଶିଥିଳତା ପଛରେ କି କାରଣ ରହିଥିଲା; କାହା ଇଙ୍ଗିତରେ ପୁଲିସ ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ କରୁଥିଲା ତାହା ଏବେ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ବି ଆଚମ୍ବିତ କଲାଣି। ପୁଲିସ ବୈଷୟିକ ଜ୍ଞାନ କୌଶଳ ସହାୟତାରେ ମାମଲାକୁ ନିର୍ଣ୍ଣାୟକ ମୋଡ଼କୁ ଟାଣିନେବାର ଦକ୍ଷତା ରଖିଥିବା ବେଳେ ଏସବୁ କରାନଯିବା ପରୋକ୍ଷରେ ସୂଚାଉଛି ଯେ ସମ୍ଭବତଃ ଅଭିଯୁକ୍ତକୁ ସୁରକ୍ଷା ଦେବା ପାଇଁ ବଡ଼ ଧରଣର ଷଡ଼ଯନ୍ତ୍ର ହୋଇଛି। ମମିତା ହତ୍ୟା ମାମଲାର ଏହି ଦିଗଟି ମଧ୍ୟ ଆଉ ଏକ ବଡ଼ ତଦନ୍ତର ଅପେକ୍ଷା କରୁଛି।

ମମିତାଙ୍କ ପରିବାରର ଜଣେ ସଦସ୍ୟ କହିଛନ୍ତି, ସେମାନେ ୧୦ ତାରିଖରେ ସିନ୍ଧିକେଲା ଥାନାରେ ପହଞ୍ଚିଥିଲେ। ୮ ତାରିଖରେ ମମିତା ଘରୁ ଯିବା ଠାରୁ କେଗାଁ ଥାନାରେ କିଭଳି ମାମଲା ରଖିଲାନି, ସେ ନେଇ ସେଠାରେ ଗୋଟି ଗୋଟି କରି ସମସ୍ତ ଘଟଣା କହିଥିଲେ। କେବଳ ଏହି ଗୋଟିଏ ଦିନ ନୁହେଁ, ୧୧ ଓ ୧୨ ତାରିଖରେ ବି ସେମାନେ ଥାନାକୁ ଯାଇ ପୁଲିସକୁ ଅଭିଯୋଗ ରଖିବା ଲାଗି ନେହୁରା ହୋଇଥିଲେ। ଏ କଥା ବି ଜଣାଇଥିଲେ ଯେ ସିନ୍ଧିକେଲା ଥାନା ଅନ୍ତର୍ଗତ ଚାନ୍ଦୋତରା ଛକରେ ମମିତା ୮ତାରିଖରେ ବସରୁ ଓହ୍ଲାଇବା ପରେ ଗୋବିନ୍ଦ ସାହୁଙ୍କ ସାଙ୍ଗରେ ଯାଇଛନ୍ତି। କାରଣ ସେମାନେ ମମିତାଙ୍କ ଜଣେ ସାଙ୍ଗଙ୍କୁ ଫୋନ୍ କରି ପଚାରିବା ପରେ ଏ କଥା ଜାଣିବାକୁ ପାଇଥିଲେ। ତଥାପି ପୁଲିସ ନିଦ ଭାଙ୍ଗିନଥିଲା। ସେମାନଙ୍କ ଅଭିଯୋଗ ପୁଲିସ ରଖିନଥିଲା। ୧୩ ତାରିଖରେ ସେମାନେ ପୁଣି ଏତଲା ଦେଇ ଗୋବିନ୍ଦ ସାହୁ ଅପହରଣ କରି ନେଇଥିବା ଲିଖିତ ଆକାରରେ ଦର୍ଶାଇଥିଲେ। ଆହୁରି କହିଥିଲେ ଯେ ଗୋବିନ୍ଦକୁ ମମିତାଙ୍କ ସଂପର୍କରେ ଯେତେ ପଚାରିଲେ ବି ସେ ମୁହଁ ଖୋଲୁ ନାହିଁ। ତେଣୁ ଗୋବିନ୍ଦ ଉପରେ ସେମାନଙ୍କର ସନ୍ଦେହ ବଢୁଛି। ୪ଦିନ ଧରି ସିନ୍ଧେକେଲା ପୁଲିସ ସମୟ ଗଡ଼ାଇବା ପରେ ୧୩ ତାରିଖରେ ମାମଲା ରୁଜୁ କରିଥିଲା ଓ ଗୋବିନ୍ଦକୁ ଉଠାଇ ଆଣିଥିଲା। ଏବେ ପ୍ରଶ୍ନ ଉଠୁଛି, କାହା ଚାପରେ ସିନ୍ଧେକେଲା ପୁଲିସ ୪ଦିନ ଧରି ମମତାଙ୍କ ପରିବାରକୁ ଦୌଉଡ଼ାଇଲା? ଏହାଦ୍ବାରା ପ୍ରମାଣ ନଷ୍ଟ କରିବା ଲାଗି ଅଭିଯୁକ୍ତକୁ ସମୟ ଦେଲା କି?
କେବଳ ଏତିକି ନୁହେଁ, ଗୋବିନ୍ଦକୁ ପୁଲିସ ଥାନାକୁ ଆଣିବା ପରେ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ରନାଥ ଶତପଥୀ ନିଜ ତତ୍ତ୍ବାବଧାନରେ ଜେରା ଆରମ୍ଭ କରିଥିଲେ। ଗୋବିନ୍ଦ ୧୭ ତାରିଖରେ ଫେରାର ହେବା ପର୍ଯ୍ୟନ୍ତ ତାକୁ ପୁଲିସ ବାରାକରେ ରଖାଗଲା। ହେଲେ ଏମିତି କିଭଳି ପଚରାଉଚରା ଚାଲିଥିଲା ଯେ ପାଞ୍ଚ ଦିନ ଭିତରେ ପୁଲିସ ପାଞ୍ଚଟି କଥା ବାହାର କରିପାରିଲା ନାହିଁ? ଓଲଟା ଗୋବିନ୍ଦ ସମସ୍ତଙ୍କୁ ଚକମା ଦେଇ ବାରାକରୁ ଫେରାର ହୋଇଗଲା? ସେହି ପୁଲିସ ପୁଣି ଗୋବିନ୍ଦ ଧରାପଡିବା ପରେ ଗୋଟିଏ ରାତିରେ କେମିତି ସତ ଉଗାଳି ପକାଇଲା? ଏବେ ପ୍ରଶ୍ନ ଉଠିଲାଣି, କାହଁକି ଗୋବିନ୍ଦର ମିଛଧରା ପରୀକ୍ଷା କରାଗଲାନାହିଁ?

ଜଣେ ବରିଷ୍ଠ ପୁଲିସ ଅଧିକାରୀ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି, ମହିଳା ନିଖୋଜ ହେବା ଓ ଯେଉଁ ସ୍ଥାନକୁ ଯାଉଥିବେ କିମ୍ବା ରହିଥିବେ ବୋଲି ପରିବାର ଲୋକଙ୍କୁ ଜଣାଇଥିବେ ସେଠାରୁ ନ ମିଳିବା ଏକ ସମ୍ବେଦନଶୀଳ ଘଟଣା। ଖାଲି ସେତିକି ନୁହେଁ ପରିବାର ଲୋକଙ୍କ ଅଭିଯୋଗ ଆସିଲେ ଆହୁରି ସ୍ପର୍ଶକାତର ହୋଇପଡ଼େ। ପୁଲିସ ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରି ପ୍ରାଥମିକତା ଆଧାରରେ ନିଖୋଜ ମମିତାଙ୍କ ସିଡିଆର(କଲ୍ ଡିଟେଲ୍ସ ରେକର୍ଡ) ଯଦି ମଗାଇଥିବ ତାହେଲେ ଅତି ବେଶିରେ ଘଣ୍ଟାଏରୁ ଦୁଇ ଘଣ୍ଟା ଭିତରେ ଏହା ମିଳିଯିବ। ଏହା ହିଁ ଜରୁରୀ। କାରଣ ଏହାଦ୍ବାରା ମମିତା ନିଖୋଜ ହେବା ଦିନ କାହା କାହା ସହ କେତେ ଥର କଥା ହୋଇଛନ୍ତି ତାହ ଅତି ସହଜରେ ଜଣାପଡ଼ିଯାଇଥାନ୍ତା। ଏତିକିରେ ଗୋବିନ୍ଦ ପାଖରେ ପୁଲିସ ପହଞ୍ଚିପାରିଥାନ୍ତା। କିନ୍ତୁ ପୁଲିସ ଏମିତି କରିଥିଲା କି? ଯଦି କରିଥିଲା, ସିଡିଆର୍ କଣ କହୁଛି?

ଦ୍ବିତୀୟତଃ, ‘ଟାଓ୍ଵାର ଡମ୍ପିଂ’ର ସହାୟତା ମଧ୍ୟ ନିଆଯାଇପାରିଥାନ୍ତା। ଏହା କରାଯାଇଥିଲେ, ଅତିବେଶିରେ ଦିନେରୁ ଦୁଇ ଦିନ ଭିତରେ ଅଭିଯୁକ୍ତକୁ ପୁଲିସ ଚିହ୍ନଟ କରିବାରେ ସହଜ ହୋଇଥାନ୍ତା। ଏହି ପ୍ରକ୍ରିୟାରେ ମମିତା ଯେଉଁଠି ବସରୁ ଓହ୍ଲାଇଲେ, ଯେଉଁ ରାସ୍ତାରେ ହତ୍ୟା ହୋଇଥିବା କୁହାଯାଉଛି, ସେଠାରେ ଆଉ କାହାର ମୋବାଇଲ ଲୋକେସନ୍ ଦେଖାଉଥିଲା ତାହା ‘ଟାଓ୍ଵାର ଡମ୍ପିଂ’ ଜରିଆରେ ସ୍ପଷ୍ଟ ହୋଇଯାଇଥାନ୍ତା? ଏପରିକି ଗୋବିନ୍ଦ ଛଡ଼ା ଆଉ କିଏ କିଏ ଉପସ୍ଥିତ ଥିଲେ ସେ କଥା ମଧ୍ୟ ଜଣାପଡ଼ିଥାନ୍ତା? କିନ୍ତୁ ପୁଲିସ ଏପରି ତଦନ୍ତ କରିଛି କି?

ପୁଲିସ ଅଧିକାରୀମାନଙ୍କ ଏଭଳି ସୂଚନା ପରେ ପ୍ରଶ୍ନ ଉଠୁଛି, ଯଦି ଏସଡିପିଓ ଠିକ୍ ଭାବେ ତଦନ୍ତର ସମସ୍ତ ଦିଗକୁ କିମ୍ବା ତଥ୍ୟକୁ ତର୍ଜମା କରିଛନ୍ତି ତାହେଲେ ଗୋବିନ୍ଦ ବିରୋଧରେ କାହିଁକି ପ୍ରମାଣ ଯୋଗାଡ଼ କରିପାରିଲେ ନାହିଁ? କେଗାଁ ପୁଲିସ ଠାରୁ କେଉଁ ତଥ୍ୟ ପାଇଥିଲେ ସିନ୍ଧିକେଲା ଆଇଆଇସି ଓ ଟିଟିଲାଗଡ଼ ଏସଡିପିଓ? ପ୍ରଭାବଶାଳୀ ଗୋବିନ୍ଦ ବିରୋଧରେ କେଗାଁ ଥାନା ଠାରୁ ସବୁ କଥା ଜାଣିବା ପରେ ତୁନି ପଡ଼ି ଯାଇଥିଲା କି ବଲାଙ୍ଗୀର ପୁଲିସ? ଅଦୃଶ୍ୟ ଚାପ ପଡ଼ିବାରୁ ପୁଲିସ ତଦନ୍ତକୁ ବିଳମ୍ବ କରିଥିଲା କି? ପରଦା ପଛର ଖଳନାୟକଙ୍କୁ ସୁରକ୍ଷା ଦେବା ପାଇଁ ଏହି ୯ ଦିନର ଷଡ଼ଯନ୍ତ୍ର ରଚନା କରାଯାଇଥିଲା କି? କେଗାଁ ଥାନାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲେ ହେଁ, ବଲାଙ୍ଗୀର ପୁଲିସର ଏଭଳି ଭୂମିକା ନେଇ ପୁଲିସ ମୁଖ୍ୟାଳୟ କାହିଁକି ଚୁପ୍ ବସିଛି, ତାହା ଏବେ ବିଭିନ୍ନ ମହଲକୁ ଆନ୍ଦୋଳିତ କରୁଛି। ପୂର୍ବତନ ପୁଲିସ ଆଇଜି ବଟକୃଷ୍ଣ ତ୍ରିପାଠୀ କହିଛନ୍ତି ଯେ ଅଭିଯୋଗ ଆସିଲା ମାତ୍ରେ ପୁଲିସ ମାମଲା ରୁଜୁ କରିବାର ନିୟମ ରହିଛି। କିନ୍ତୁ ଯଦି ସିନ୍ଧିକେଲା ପୁଲିସ ଅବହେଳା କରିଥାଏ ତାହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଏ ସମ୍ପର୍କରେ ବଲାଙ୍ଗୀର ଏସପି ନୀତିନ କୁଲଶେଖରଙ୍କୁ ମୋବାଇଲ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଉତ୍ତର ମିଳିପାରି ନାହିଁ। ତେବେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ସାମ୍ବାଦିକ ସମ୍ମିଳନୀରେ କହିଥିଲେ ୧୩ ତାରିଖରେ ହିଁ ମମିତାଙ୍କ ସଂପର୍କରେ ସିନ୍ଧିକେଲା ଥାନାରେ ଅଭିଯୋଗ ପରେ ମାମଲା ରୁଜୁ ହୋଇଥିଲା।

ଦିବ୍ୟଶଙ୍କରଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କର, ମନ୍ତ୍ରିମଣ୍ଡଳରୁ
ବହିଷ୍କାର କର
ବିଜେଡି ସରକାରରେ ଅପରାଧ ବେପାରରେ ପରିଣତ ହୋଇଗଲାଣି
ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ତତ୍ତ୍ବାବଧାନରେ ଗଠନ ହେଉ ଏସ୍ଆଇଟି

ଭୁବନେଶ୍ବର: ବିଜେଡି ସରକାରରେ ‘ଅପରାଧ’ ବ୍ୟବସାୟରେ ପରିଣତ ହୋଇଗଲାଣି। ଓଡ଼ିଶାରେ ପ୍ରତ୍ୟେକ ଦିନ ୪ଟି ଲେଖାଏ ହତ୍ୟା, ଦୁଷ୍କର୍ମ, ୧୧ଟି ଅପହରଣ ଓ ୧୨ଟି ହତ୍ୟା ଉଦ୍ୟମ ଭଳି ଅପରାଧ ଘଟୁଛି। ଓଡ଼ିଶାରେ ମହିଳାଙ୍କ ଉପରେ ସର୍ବାଧିକ ଅପରାଧ ହେଉଛି। ରକ୍ଷକ ଯେତେବେଳେ ଭକ୍ଷକ ପାଲଟିଯିବ ଓ ପୁଲିସ ଅପରାଧୀଙ୍କ ବନ୍ଧୁ ସାାଜିବ, ସେବେ ନ୍ୟାୟ ମିଳିବା କଷ୍ଟକର ହୋଇପଡ଼ିବ। ଉତ୍ତର ପ୍ରଦେଶର ହାଥରସ୍ ଘଟଣା ପରେ ବିଜେପିଠାରୁ ଝିଅଙ୍କୁ ବଞ୍ଚାଇବାକୁ କଂଗ୍ରେସ ନାରା ଦେଇଥିଲା। ଏବେ ନୂଆ ସତ ସାମ୍ନାକୁ ଆସିଛି, ତାହା ହେଲା ବିଜେଡିଠାରୁ ଝିଅଙ୍କୁ ବଞ୍ଚାଇବାକୁ ପଡ଼ିବ। ମମିତା ମେହେର ହତ୍ୟା ଘଟଣାରେ ଆଜି ତାଙ୍କ ପରିବାରବର୍ଗଙ୍କୁ ଭେଟିବା ପରେ ରାଜ୍ୟ ସରକାରଙ୍କୁ ଏଭଳି ଢଙ୍ଗରେ ଟାର୍ଗେଟ୍ କରିଛନ୍ତି କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ରାଷ୍ଟ୍ରୀୟ ପ୍ରବକ୍ତା ରଣଦୀପ ସିଂହ ସୂର୍ଯେୱାଲା।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସୂର୍ଯେୱାଲା କହିଥିଲେ, ମମିତାଙ୍କ ହତ୍ୟା ଘଟଣାରେ ରାଜ୍ୟ ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଆଡ଼କୁ ଆଙ୍ଗୁଳି ଉଠିଛି। ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମିତାଙ୍କ ମା’ଙ୍କ ଆଖିର ଲୁହକୁ ଦେଖିଥ‌ା’ନ୍ତେ ତାହାଲେ ଶ୍ରୀ ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରି ସାରନ୍ତେଣି। ଜଣେ ଝିଅକୁ କାଟି ଷ୍ଟାଡିୟମରେ ପୋତି ଦିଆଗଲା, ତାହାକୁ ଯଦି ନବୀନ ବାବୁ ଦେଖିଥା’ନ୍ତେ ତାହାଲେ ରାତିରେ ନିଦ ଆସି ନ ଥା’ନ୍ତା। ଏହି ଘଟଣାା ବୟାନ କରୁଛି ଯେ ଓଡ଼ିଶାରେ ଦେଶର ଆଉ ଏକ ନିର୍ଭୟା କାଣ୍ଡ ହୋଇଛି। ମମିତା ନିଖୋଜ ହେବାର ୫ଦିନ ପର୍ଯ୍ୟନ୍ତ ପୁଲିସ୍ ଏଫ୍‌ଆଇଆର୍‌ ରୁଜୁ କରି ନ ଥିଲା। ଫିଲ୍ମରେ ଖରାପ ଗୁଣ୍ଡାଶ୍ରେଣୀର ବ୍ୟକ୍ତି ଯାହା କରି ନ ଥା’ନ୍ତି ଓଡ଼ିଶା ପୁଲିସ ସେଭଳି କାର୍ଯ୍ୟ କରିଛି। ପୁଲିସ ହେପାଜତରୁ ଫିଲ୍ମ ଷ୍ଟାଇଲରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଫେରାର ହୋଇଯାଇଥିଲା। ଏହା ପରେ ବି ମମିତାଙ୍କ ପରିବାରକୁ ତାଙ୍କ ଝିଅ ବଞ୍ଚିଥିବା ନେଇ ପୁଲିସ ଆଶ୍ବାସନା ଦେଇ ଚାଲିଥିଲା। ଅଭିଯୁକ୍ତ ଗୋବିନ୍ଦ ସାହୁର ମୁଣ୍ଡ ଉପରେ କାହାର ହାତ ରହିଛି ଏ କଥା ପୂରା ଦେଶ ଜାଣିଛି ବୋଲି ସେ କହିଥିଲେ।

ଶ୍ରୀ ସୂର୍ଯେୱାଲା ଆହୁରି ମଧ୍ୟ କହିଥିଲେ ଯେ ଗୃହ ରାଜ୍ୟ ମନ୍ତ୍ରୀଙ୍କ ଉପରେ ଅଭିଯୋଗ ଆ‌ସିଥିବାରୁ ଏହି ଘଟଣାର ନିରପେକ୍ଷ ତଦନ୍ତ ଆଦୌ ସମ୍ଭବ ନୁହେଁ। ତେଣୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ତତ୍ତ୍ବାବଧାନରେ ଏକ ଏସ୍‌ଆଇଟି ଗଠନ କରାଯାଉ। ଯାହା ଫଳରେ ୯୦ ଦିନ ଭିତରେ ଏହାର ଯାଞ୍ଚ ଶେଷ ହୋଇପାରିବ। ଏହା ସହ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ବିରୋଧରେ ୩୦୨ ଓ ୧୨୦(ବି) ମାମଲା ରୁଜୁ କରିବା ସହିତ ମନ୍ତ୍ରିମଣ୍ଡଳରୁ ତୁରନ୍ତ ବହିଷ୍କାର କରାଯାଉ। ମମିତାଙ୍କ ପରିବାରକୁ ୧କୋଟି ଟଙ୍କାର କ୍ଷତିପୂରଣ ଓ ତାଙ୍କ ଭାଇକୁ ସରକାରୀ ଚାକିରି ମିଳୁ। ଯାହାଫଳରେ ମୃତ ପରିବାରର କଷ୍ଟ କିଛି ମାତ୍ରାରେ ଲାଘବ ହୋଇପାରିବ। ମମିତା ଘଟଣାକୁ କଂଗ୍ରେସ ସଂସଦରେ ଉଠାଇବ। ଏହି ଘଟଣାକୁ ସଂସଦରେ ଉଠାଇବା ଲାଗି ସଭାନେତ୍ରୀ ‌ସୋନିଆ ଗାନ୍ଧୀ ନିର୍ଦେଶ ଦେଇଛନ୍ତି। ମମିତାଙ୍କ ପରିବାରବର୍ଗଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ସୂର୍ଯେୱାଲା କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଭାରୀ ଏ.‌ ଚେଲ୍ଲାକୁମାର, ଏଆଇସିସି ସମ୍ପାଦକ ଜି.ରୁଦ୍ର ରାଜୁ, ଜାତୀୟ କଂଗ୍ରେସ ମିଡିଆ ବିଭାଗର ମୁଖ୍ୟ ସଂଯୋଜକ ପ୍ରଣବ ଝା, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ସନ୍ତୋଷ ସିଂହ ସାଲୁଜା, ପିସିସି ଗଣମାଧ୍ୟମ ସେଲ୍‌ ଅଧ୍ୟକ୍ଷ ଗଣେଶ୍ବର ବେହେରା, ଆବାହକ ସତ୍ୟପ୍ରକାଶ ନାୟକ, ପିସିସି ଉପସଭାପତି ଶିବାନନ୍ଦ ରାୟ ଓ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର