ମମିତା ହତ୍ୟାକାଣ୍ଡ: ଅଟକିଗଲା ତଦନ୍ତ?, ଗୋବିନ୍ଦ ଓ ରାଧେକୁ ଧରି ପୁଲିସ ଚୁପ୍‌

ଡିଏନ୍ଏ ରିପୋର୍ଟ ବି ଏଯାଏ ଆସିନାହିଁ, ଆଇନଜୀବୀଙ୍କ ମତ, ପ୍ରମାଣ ଯଥେଷ୍ଟ ନୁହେଁ

ଭୁବନେଶ୍ବର: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ହଠାତ୍ ପୁଲିସ ତଦନ୍ତ ଅଟକିଯାଇଛି। ତନାଘନା ନାହିଁ କିମ୍ବା ଘଟଣା ପଛର ରହସ୍ୟ ଉନ୍ମୋଚନ ନେଇ ବରିଷ୍ଠ ପୁଲିସ ଅଧିକାରୀମାନେ ଯେମିତି କସରତ ଚଳାଇଥିଲେ ତାହା ବି ଦେଖାଯାଉନାହିଁ। ଅର୍ଥାତ୍ ଗୋବିନ୍ଦ ସାହୁ ଓ ରାଧେ ପାଖରେ ମମିତା ମେହେର ହତ୍ୟା ମାମଲା ଯେମିତି ଅଟକିଯାଇଛି। ମମିତା ପାଖରେ କେଉଁ ପ୍ରମାଣ ଥିଲା, ସେ ପ୍ରମାଣକୁ କାହିଁକି ଗୋବିନ୍ଦ ଡରିଲା, ରାଧେ ଘରୁ ଜବତ ହୋଇଥିବା ବ୍ୟାଗ ପଛର ରହସ୍ୟ କଣ, ଏହା କାହାର ଏଭଳି ଅନେକ ପ୍ରଶ୍ନ ଏବେ ବି ସମସ୍ତଙ୍କ ପାଇଁ ଅସମାହିତ ହୋଇ ରହିଛି।

ଗୋଟିଏ ପଟେ ମମିତା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜନୈତିକ ଦଳମାନେ ଦାବି ଜୋରଦାର କରୁଥିବା ବେଳେ ପୁଲିସ ତଦନ୍ତରେ ଏଭଳି ଶିଥିଳତା ରାଜନୈତିକ ମହଲରେ ଆଲୋଚନାର ବିଷୟ ହୋଇଛି। ସବୁଠାରୁ ବଡ କଥା ହେଲା, ରାଜ୍ୟର ବରିଷ୍ଠ ଆଇନଜୀବୀମାନେ ମାମଲାର ଭବିଷ୍ୟତ ନେଇ ଏବେଠାରୁ ସନ୍ଦେହ ପ୍ରକାଶ କଲେଣି। ମମିତାଙ୍କ ପରିବାର ଚାହାନ୍ତି ଯେ ତାଙ୍କ ଝିଅର ହତ୍ୟାକାରୀକୁ ଫାଶୀ ହେଉ। ହେଲେ ଯେଉଁ ପ୍ରମାଣସବୁକୁ ପୁଲିସ ଏକାଠି କରିଛି, ତାହା ପର୍ଯ୍ୟାପ୍ତ ନୁହେଁ କିମ୍ବା ତାକୁ ଆୟୁଧ କରି ମମତାଙ୍କ ପରିବାରର ଏ ଦାବି ପୂରଣ କରିବା କାଠିକର ପାଠ ହୋଇପାରେ। ବରିଷ୍ଠ ଆଇନଜୀବୀଙ୍କର କହିବା କଥା ହେଲା, ଏ କ୍ଷେତ୍ରରେ ଡିଏନଏ ରିପୋର୍ଟ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଅନ୍ୟଥା ମମିତା ହତ୍ୟା ମାମଲାରେ ଆଗକୁ ବଢ଼ିବା କଷ୍ଟସାଧ୍ୟ। ହେଲେ ଏହି ରିପୋର୍ଟ ଏଯାଏ ଆସିନାହିଁ।

ପୁଣି ଗୋବିନ୍ଦ ପୁଲିସ ପାଖରେ ଯେତେ କଥା ମାନିଥାଉ, ସେ ଯେ କୋର୍ଟରେ ଏକଥା ଦୋହରାଇବ ଏକଥା ଭାବିବା ଭୁଲ୍। ଏଣୁ ମାଜିଷ୍ଟ୍ରେଟ୍ ସାମ୍ନାରେ ଗୋବିନ୍ଦର ବୟାନ ରେକର୍ଡ ହେବା ଉଚିତ୍, ଯାହା ଏଯାଏ ହୋଇନାହିଁ। ଏହା ଯେତେ ଜଲଦି େହବ, ସେତେ ଭଲ। କିନ୍ତୁ କାହିଁକି ପୁଲିସ ଏଦିଗରେ ଆଗ୍ରହ ଦେଖାଉନାହିଁ, ତାହା ବୁଝାପଡୁନାହିଁ। ପୂର୍ବରୁ ଡିଆଇଜିଙ୍କ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିମାନେ ଏ ନେଇ ପ୍ରଶ୍ନ କରିଥିଲେ, ଅଥଚ ତାହାକୁ ସେ ଏଡ଼ାଇ ଯାଇଥିଲେ। ସେହିଭଳି ପୁଲିସ ହାତରେ ପାଉଜି ଓ ଏକ ଚେନ୍ ଲାଗିଥିଲା; ଯାହା ମମିତାଙ୍କର ବୋଲି କୁହାଯାଉଛି। ଏଭଳି ଏକ ସମ୍ବେଦନଶୀଳ ମାମଲାରେ ପୁଲିସ ଏସବୁକୁ ପରିବାର ହାତରେ ଧରାଇବା ପୂର୍ବରୁ ଯେଉଁ ପ୍ରକ୍ରିୟା ଅନୁଶୀଳନ କରିବା କଥା ତାହା ପାଳନ ହୋଇନାହିଁ। କେବଳ ସେତିକି ନୁହେଁ, ମମିତା ଏମିତି ପୋଡିଯାଇଛନ୍ତି ଯେ ତାଙ୍କ ଦେହାବଶେଷର ଚିହ୍ନବର୍ଣ୍ଣ ମିଳିଲାନି। ଅଥଚ ପାଉଜି ଓ ଚେନର କିଛି ହେଲାନି? ଯଦି ଶିକ୍ଷୟିତ୍ରୀ ମମିତା ମେହେର ବ୍ଲାକ ମେଲିଂ କରୁଥିଲେ, ତେବେ ଗୋବିନ୍ଦ ସାହୁକୁ ମମିତା ଆଦୌ ବିଶ୍ବାସକୁ ନେଉନଥିବେ। ଏଭଳିସ୍ଥଳେ ତାଙ୍କୁ ଗାଡିରେ ହତ୍ୟା କରାଯିବା ସଂକ୍ରାନ୍ତରେ ଗୋବିନ୍ଦର ବୟାନ କେତେ ବିଶ୍ବାସ ଯୋଗ୍ୟ? ସେହିଭଳି ମମିତାଙ୍କ ମୋବାଇଲ୍ ତଥ୍ୟ ପୁଲିସ ପାଇଲା କି ନାହିଁ, କେଉଁ ଭିଡ଼ିଓକୁ ନେଇ ବିବାଦ ହେଲା, ଚର୍ଚ୍ଚାକୁ ଆସୁଥିବା ପେନଡ୍ରାଇଭରେ କଣ ଥିଲା, ଏହା ପୁଲିସ ପାଇଲେଣି ନା ନାହିଁ,ତାହା ଏଯାଏ ଜଣାପଡିନାହିଁ। ଏଠାରେ ଉଲ୍ଲେଖଥାଉକି, ଏହି ସମ୍ବେଦନଶୀଳ ମାମଲାକୁ ନେଇ ଏବେ ଦିଲ୍ଲୀରୁ ଓଡ଼ିଶାର ପଲ୍ଲୀଯାଏ ପଡୁଛି ଉଠୁଛି। ଶାସକ ବିଜେଡି-ବିରୋଧୀ ମୁହାଁମୁହିଁ ସ୍ଥିତିରେ ଅଛନ୍ତି।

ସମ୍ବନ୍ଧିତ ଖବର