ରାଧେ ଘରେ ଥିଲା ମମିତାଙ୍କ ମୋବାଇଲ୍‌! ଖଟ ତଳେ ଲୁଚାଇଥିଲା ବ୍ୟାଗ୍‌

ବ୍ୟାଗ୍‌ରେ ଥିଲା ୩ଟି ଲେଡିଜ୍‌ ଡ୍ରେସ୍‌, ମୋବାଇଲ୍‌, ଚାର୍ଜର୍‌ ଓ କିଛି ଔଷଧ
ଗଣମାଧ୍ୟମକୁ ଦେବାକୁ ଆସିଥିଲେ ସ୍ତ୍ରୀ, ନେଇଗଲା ପୁଲିସ

ବଲାଙ୍ଗୀର : ବହୁଚର୍ଚ୍ଚିତ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ମୋବାଇଲ୍‌ ଓ ପେନ୍‌ଡ୍ରାଇଭ୍‌କୁ ନେଇ ଏବେ ନୂଆ ମୋଡ଼। ମୋବାଇଲ୍‌ ଓ ପେନ୍‌ଡ୍ରାଇଭ୍‌ ନଷ୍ଟ ହୋଇଛି ନା ଲୁଚାଯାଇଛି ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶିତ ହୋଇଥିଲା। ଆଉ ବିଳମ୍ବ ହେଲେ ବି ପୁଲିସ ସେ ଦିଗରେ ତଦନ୍ତ କରିଥିଲା। ମୋବାଇଲକୁ ମୁଖ୍ୟଅଭିଯୁକ୍ତ ଜାଳି ଦେଇଥିବା ପୁଲିସ ସୂଚନା ଦେଇଥିଲା। ହେଲେ ହଠାତ୍‌ ମୁଖ୍ୟଅଭିଯୁକ୍ତ ଗୋବିନ୍ଦ ସାହୁର ସହଯୋଗୀ ଡ୍ରାଇଭର ରାଧେଶ୍ୟମ ଚଣ୍ଡି ଓରଫ ରାଧେ ଘରୁ ଏକ ଧଳାବ୍ୟାଗ୍‌ ସହ ମୋବାଇଲ ଫୋନ୍‌, ଚାର୍ଜର, ୩ଟି ଲେଡିଜ୍‌ ଡ୍ରେସ୍‌ ଓ ବ୍ୟାଗ୍‌ରେ ଥିବା ଔଷଧ ଖଟତଳୁ ବାହାରିଛି। ରାଧେର ସ୍ତ୍ରୀ ଆଶା ଚଣ୍ଡି ତାକୁ ପାଇବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେବାକୁ ଯାଉଥିବବେଳେ କେଗାଁ ଥାନା ପୁଲିସ ରାଧେର ସ୍ତ୍ରୀଙ୍କୁ ଦେଖୁ ଦେଖୁ ବାଟରୁ ହିଁ ସବୁ କିଛି ଛଡ଼ାଇ ନେଇଛି। ଏବେ ମୋବାଇଲ୍‌ ଓ ଡ୍ରେସ୍‌ ସବୁ ମମିତାଙ୍କର ବୋଲି ସନ୍ଦେହ କରାଯାଉଥିବା ବେଳେ ତଦନ୍ତ ଆରମ୍ଭରୁ ପୁଲିସ ମାନିବାକୁ ନାରାଜ। ଯାହାକୁ ନେଇ ଏବେ ବିରୋଧୀ କଂଗ୍ରେସ ଓ ବିଜେପି ନେତା କର୍ମୀମାନେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଚାପରେ ପୁଲିସ ମନଗଢ଼ା କାହାଣୀ କରି ତଦନ୍ତ ନାଁରେ ପ୍ରମାଣ ନଷ୍ଟ କରୁଛି ବୋଲି ଅଭିଯୋଗ କରିବା ଆରମ୍ଭ କରିଛନ୍ତି।

ରାଧେର ସ୍ତ୍ରୀ କହିବାନୁସାରେ, ସେ ଝାଡୁ ମାରିବା ସମୟରେ ରାଧେଙ୍କ ଖଟତଳୁ ବ୍ୟାଗ୍‌ଟି ପାଇଥିଲେ। ବ୍ୟାଗ୍‌ ଭିତର ଦେଖିବାରୁ ସେଥିରେ ଏକ ବଡ଼ ମୋବାଇଲ, ଚାର୍ଜର, ଡ୍ରେସ୍‌ ଓ ଔଷଧ ଥିଲା। ତାକୁ ସେ ଗଣମାଧ୍ୟମକୁ ଦେବାକୁ ନେଇଯାଇଥିଲେ। କାରଣ ଗୋବିନ୍ଦ ତାଙ୍କ ସ୍ୱାମୀକୁ ଫସାଇଛି। ତାର ସବୁ ମୁଖା ଖୋଲିବେ ବୋଲି ସେ ପୁଲିସ ପାଖକୁ ନଯାଇ ମୋବାଇଲ୍‌ ଓ ବ୍ୟାଗ୍‌ର ସବୁ ସାମଗ୍ରୀ ଧରି ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟକୁ ମହାଲିଙ୍ଗଠାରେ ଯାଉଥିଲେ। କିନ୍ତୁ ବାଟରେ କେଗାଁ ପୁଲିସ ତାଙ୍କଠାରୁ ତାହା ଛଡ଼‌ାଇ ନେଇଥିଲା। ଏଠାରେ ପ୍ରଶ୍ନ ଉଠୁଛି, ଯଦି ପୁଲିସ ବ୍ୟାଗ୍‌ଟି ନେଲା, ତା’ହେଲେ କାହିଁକି ପ୍ରୋଟୋକୋଲ ମାନିଲା ନାହିଁ କାହିଁକି ? ସିଜର୍‌ ଲିଷ୍ଟ କରି ବ୍ୟାଗ୍‌ଟି ନେବା ଦରକାର ଥିଲା। ଏପରିକି ରାଧେର ସ୍ତ୍ରୀ କେଗାଁ ଥାନାକୁ ଯାଇ ସିଜର୍‌ ଲିଷ୍ଟ ଦେବାକୁ ଦାବି କରିଥିଲେ। କିନ୍ତୁ ତାଙ୍କ କଥା କେହି ଶୁଣିନଥିଲେ। ତାଙ୍କଠାରୁ କ’ଣ ସବୁ ସାମଗ୍ରୀ ନେଇଛନ୍ତି, ତାହା ଲିଖିତ ଦେବାକୁ କହିଥିଲେ। କିନ୍ତୁ କିଛି କଥା ପୁଲିସ ଶୁଣିନଥିଲା।

ମିଳିଥିବା ସୂଚନା ଅନୁସାରେ, ମମିତା ଡ୍ରେସ୍‌ କଣ୍ଟାବାଞ୍ଜିର ଏକ ଦୋକାନରୁ କିଣିଥିଲେ। ତାକୁ ସେ ସିନ୍ଧେକେଲାର ତାଙ୍କ ପ୍ରିୟ ଜଣେ ଛାତ୍ରୀଙ୍କୁ ଗିଫ୍ଟ ଦେବାର ଥିଲା। ଯେଉଁ ଛାତ୍ରୀଙ୍କୁ ପୁଲିସ ବାରବାର ଏହି ତଦନ୍ତ ସମୟରେ ପଚରାଉଚୁରା ବି କରିଛି। ଭିଭୋ ଭି ୭୪ ମୋବାଇଲ ମମିତା ଧରୁଥିଲେ ବୋଲି ତାଙ୍କ ନିକଟ ସଂପର୍କୀୟଙ୍କ ସୂତ୍ରରୁ ଜଣାଯାଇଛି। ରାଧେ ସ୍ତ୍ରୀ କହିବାନୁସାରେ ବଡ଼ ମୋବାଇଲ ଥିଲା ଓ ଚାର୍ଜର ବ୍ୟାଗ୍‌ରେ ଥିଲା। ଯେହେତୁ ମମିତା ୯ ତାରିଖ ମିଟିଂ ପାଇଁ ଯାଇଥିଲେ ଏଣୁ ସେ ତାଙ୍କ ବ୍ୟାଗ୍‌ରେ ମୋବାଇଲ ଓ ଚାର୍ଜର ନେଇକି ଯାଇଥିବା ଅନୁମାନ କରାଯାଉଛି। ଏହାସହ ବ୍ୟାଗ୍‌ରୁ ସେ କିଣିଥିବା ଡ୍ରେସ୍‌ ବି ଥିବା ଅନୁମାନ କରାଯାଉଛି।

ତେବେ ଗୁରୁବାର ଡିଆଇଜିଙ୍କ ପ୍ରତିକ୍ରିୟାରେ ଗଣମାଧ୍ୟମକୁ କହିଥିଲେ, ମୋବାଇଲ୍‌ ଓ ବ୍ୟାଗ୍‌ ସବୁ ମମିତାଙ୍କ ଗୋବିନ୍ଦ ମିନିଷ୍ଟାଡିୟମରେ ଶବ ଜାଳିବା ସମୟରେ ପୋଡ଼ି ଦେଇଥିଲା। ନିଆଁରେ ତରଳି ଯାଇଥିବା ଅନୁମାନ କରାଯାଉଛି ବୋଲି ସୂଚନା ଦେଇଥିଲେ। ଆଜି ସକାଳୁ ମୁଖ୍ୟଅଭିଯୁକ୍ତ ଗୋବିନ୍ଦ ସାହୁ କ୍ରାଇମ ରିକ୍ରିଏସନ୍‌ ସମୟରେ ମମିତା ଓ ତାର ମୋବାଇଲ ଅନ୍ୟାନ୍ୟ ସାମଗ୍ରୀ ଜାଳିଦେଇଥିବା ପୁଲିସକୁ ଡେମୋ ଦେଖାଇବା ସମୟରେ କହିଛି। ଯାହାର ଭିଜୁଆଲ ବି ଏବେ ସାମ୍ନାକୁ ଆସିସାରିଛି। ଆଉ ଏହାର କିଛି ସମୟ ପରେ ପରେ ରାଧେଙ୍କ ସ୍ତ୍ରୀ ଧଳା ବ୍ୟାଗ୍‌ ଓ ସେଥିରେ ଥିବା ମୋବାଇଲ, ଡ୍ରେସ୍‌ ଆଦି ସଂପର୍କରେ କହିବା ପରେ ସବୁ ସାମଗ୍ରୀ ମମିତାଙ୍କ ବୋଲି ସନ୍ଦେହ ହୋଇଥିଲା। ଏହାକୁ ନେଇ କିନ୍ତୁ ମୁହଁ ଖୋଲୁନି ବଲାଙ୍ଗୀର ପୁଲିସ।

ସମ୍ବନ୍ଧିତ ଖବର