କଲେଜ ଛାତ୍ରୀଙ୍କ ସହ ଅନୈତିକ ସଂପର୍କ!

ମମିତା ମର୍ଡର ମିଷ୍ଟ୍ରିରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଅନୈତିକ ସଂପର୍କକୁ ନେଇ ଚର୍ଚ୍ଚା

ବଲାଙ୍ଗୀର: ମମିତା ମର୍ଡର ମିଷ୍ଟ୍ରିରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଅନୈତିକ ସଂପର୍କ ଚର୍ଚ୍ଚାର ପରିସରକୁ ଆସିଛି। କେମିତି ଛାତ୍ରୀମାନଙ୍କ ସହ ଅନୈତିକ ସଂପର୍କ ରଖୁଥିଲା? ଛାତ୍ରୀମାନଙ୍କୁ କିଏ ମନାଉଥିଲା? କଣ କହି ଛାତ୍ରୀମାନଙ୍କୁ ଯୌନଶୋଷଣ କରୁଥିଲା ଗୋବିନ୍ଦ? ମାର୍କ ବଢ଼ାଇଦେବାର ପ୍ରଲୋଭନ ନା ଟିସି କାଟିଦେବାର ଭୟ? କଣ କହି ଛାତ୍ରୀଙ୍କ ସହ ରଖିଥିଲା ଯୌନ ସଂପର୍କ। କେଉଁ ଛାତ୍ରୀ ସହ ଥିଲା ଅନୈତିକ ସଂପର୍କ? ଏ ସବୁର ଟିକିନିକି ତଦନ୍ତ ଚଳାଇଛି ବଲାଙ୍ଗୀର ପୁଲିସ। ଡିଆଇଜି ପ୍ରାଥମିକ ତଦନ୍ତରେ ଅନୈତିକ ସଂପର୍କ ଥିବାର ପ୍ରମାଣ ମିଳି ସାରିଥିବା କହୁଥିବା ବେଳେ ତଦନ୍ତ ଜାରି ରହିଥିବାରୁ ସେ ଅଧିକ କିଛି ସୂଚନା ଦେଇ ନାହାନ୍ତି। ଏପଟେ ଗୋବିନ୍ଦ ନିଜ ଗେଷ୍ଟହାଉସକୁ ରଂଗମହଲ ଭଳି କରିଥିଲା‌। ସବୁପ୍ରକାର ବ୍ୟବସ୍ଥା ଗେଷ୍ଟହାଉସରେ ରହିଥିଲା। ମହାଲିଙ୍ଗ ଗାଁର ଲୋକଙ୍କ କହିବାନୁସାରେ, ଖାସ୍‌ ଲୋକମାନଙ୍କ ପାଇଁ ଥିଲା ଗେଷ୍ଟହାଉସ। ଆଉ ସବୁଠୁ ସମ୍ବେଦନଶୀଳ କଥା ଏବେ ସାମ୍ନାକୁ ଆସିଛି। ଗୋବିନ୍ଦ ନିଜ କଲେଜର ଜଣେ ଛାତ୍ରୀଙ୍କ ସହ ଅନୈତିକ ସଂପର୍କ ରଖିଥିଲା। ଯାହାର ପ୍ରମାଣ ମମିତାଙ୍କ ପାଖରେ ଥିଲା। ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋଗ୍ରାଫ ଓ ଭିଡିଓ ମମିତା ରଖିଥିଲେ। ଯେଉଁଥି ପାଇଁ ମମିତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ ଗୋବିନ୍ଦ ସାହୁ। ଏହା ପୁଲିସ ବି ପ୍ରାୟତଃ କହିସାରିଲାଣି। ଡିଆଇଜିଙ୍କ ପ୍ରେସ୍‌ମିଟ୍‌ରେ ଛାତ୍ରୀ ନା ଅନ୍ୟ କାହା ସହ ଅନୈତିକ ସଂପର୍କ ଥିଲା କହିନଥିଲେ ବି ଏବେ ଚାରିଆଡ଼େ ଚର୍ଚ୍ଚା କଲେଜ ଛାତ୍ରୀଙ୍କ ସହ ଅନୈତିକ ସଂପର୍କର କାହାଣୀ।

ପ୍ରିପ୍ଲାନ ମର୍ଡର: ଡିଆଇଜି କହିଥିଲେ ପ୍ରିପ୍ଲାନ ମର୍ଡର। ହେଲେ କଣପାଇଁ ଥିଲା ପ୍ରିପ୍ଲାନ? କିଏ କିଏ ମିଶି ପ୍ଲାନ୍‌ କରିଥିଲେ? ପ୍ଲାନିଂରେ ବଡ଼ବଡ଼ିଆଙ୍କ ସଂପୃକ୍ତି ନାହିଁ ତ? ପ୍ରିପ୍ଲାନ ମର୍ଡରରେ ଷଡ଼୍‌ଯନ୍ତ୍ରର ରଚୟିତା କିଏ? ଏସବୁର ପ୍ରଶ୍ନ ଡିଆଇଜିଙ୍କୁ ପଚାରିବାରୁ ସେ ଅଭିଯୋଗ ଭିତ୍ତିରେ ତଦନ୍ତ ଚାଲିଛି। ବର୍ତ୍ତମାନ ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଛି। ତାକୁ ରିମାଣ୍ଡରେ ଆଣି ଆଉ କିଏ କିଏ ସାମିଲ ସେ ନେଇ ତଦନ୍ତ କରାଯିବ। ସାଇଣ୍ଟିଫିକ ଓ ଟେକନିକାଲ ଏଭିଡେନ୍ସ ସଂଗ୍ରହ କରାଯିବ। ତଦନ୍ତ ଚାଲୁଥିବାରୁ ଏବେ କଣ ସବୁ ପୁଲିସ ପାଇଛି କଣ ନାହିଁ ତା ବିଷୟରେ ସବିଶେଷ ସୂଚନା ଦେଇହେବନି ବୋଲି କହିଥିଲେ। ତେବେ ରାଜନୈତିକ ସଂପୃକ୍ତିର ଅଭିଯୋଗ ଉପରେ ପ୍ରଶ୍ନକୁ ସେ ଏଡ଼ାଇ ଯାଇଥିଲେ।

ଗୋବିନ୍ଦ ଜହ୍ଲାଦ: ସ୍କୁଲ ଓ କଲେଜ ପ୍ରତିଷ୍ଠାତା ଗୋବିନ୍ଦ ସାହୁ। ମଣିଷ ତିଆରି କାରଖାନାର ପ୍ରତିଷ୍ଠାତା ସଭାପତି। ଶହ ଶହ ପିଲାଙ୍କ ଭରସା ଥିଲା। କିନ୍ତୁ ଅମୃତଭାଣ୍ଡରେ ବିଷ ଥିଲା ଗୋବିନ୍ଦ। ନାଁ ଗୋବିନ୍ଦ ହେଲେ ବି କାମ ଜହ୍ଲାଦ! ନିଜ ଯୌନ କେଳେଙ୍କାରୀ ପ୍ରଘଟ ହେବା ଭୟରେ ମମିତାଙ୍କୁ ରାସ୍ତାରୁ ହଟାଇଦେଲା। ସଭାପତିରୁ ଜହ୍ଲାଦ ପାଲଟିଲା ଗୋବିନ୍ଦ।

 

କିଲର୍‌ କାର୍‌ ମର୍ଡର୍‌ ସ୍ପଟ୍ : କାର୍‌ ହିଁ ମର୍ଡର୍‌ ସ୍ପଟ୍‌। ଏକଥାକୁ ସ୍ପଷ୍ଟ କରିଛନ୍ତି ଡିଆଇଜି। ୱାଗନର କାର୍‌ ଥିଲା ଗୋବିନ୍ଦ ସାହୁର। ଚାନ୍ଦୋତରାରୁ ପିକ୍‌ଅପ୍‌ କରି ଭବାନୀପାଟଣାକୁ ବୁଲାଇବାକୁ ନେଇଥିଲା। ସେଠାରେ ଦୋକାନରେ ସାମଗ୍ରୀ କିଣାକିଣି କରିଥିଲା। ଏହାପରେ ନିଜ କଲେଜ ତଥା ସ୍କୁଲ ଅଭିମୁଖେ ଗୋବିନ୍ଦ ବାହାରିଥିଲା। କାର୍‌ରେ ଗୋବିନ୍ଦ ଓ ମମିତା ଦୁଇଜଣ ଥିବା ପୁଲିସ ପ୍ରମାଣ ପାଇସାରିଥିବା ସେ କହିଥିଲେ। କେଗାଁ ମହାଲିଙ୍ଗ ଫେରିବା ରାସ୍ତାରେ ହିଁ ଉଚ୍ଚବାଚ ହୋଇଥିଲା। ମମିତାଙ୍କୁ ରାସ୍ତାରେ ହିଁ କାର୍‌ ଭିତରେ ମର୍ଡର୍‌ କରାଯାଇଥିଲା ବୋଲି ଡିଆଇଜି କହିଛନ୍ତି। ତେବେ ତଣ୍ଟିଚିପି ମାରିଲା ନା ଅନ୍ୟ କେମିତି ମାରିଲା ସେହି ତଦନ୍ତ ଚାଲିଛି ବୋଲି କହିଥିଲେ। କାର୍‌କୁ ଦେଖିଲେ ପଛପଟ ସିଟ ଫାଟିଯାଇଛି। ଯାହା ଲାଗୁଛି ମମିତା ଛଟପଟ ହୋଇ ସିଟ କଭରକୁ ଜାବୁଡ଼ି ଧରିଥିଲେ। ଫଳରେ ତାହା ଚିରିଯାଇଥିବା ଅନୁମାନ କରାଯାଉଛି। ଅନ୍ୟପଟେ କାର୍‌ ଭିତରେ ଚକୋଲେଟ ସହ ଆଉ କିଛି ସାମଗ୍ରୀ ରହିଛି।

ପାଉଁଜି କହୁଛି ପାପ କାହାଣୀ!: ବଲାଙ୍ଗୀର ପୁଲିସ ମମିତାଙ୍କ ପାଉଁଜି ମହାଲିଙ୍ଗ ମିନିଷ୍ଟାଡିୟମରୁ ପାଇଥିଲା। ଗାତ ଖୋଳିବା ପରେ ହଲେ ପାଉଁଜିରୁ ଗୋଟିଏ ପାଉଁଜି ସେଠାରେ ପାଇଥିଲା। ଆଉ ଗୋଟିଏ ପାଉଁଜି ପୁଲିସ କାର୍‌ ଭିତରୁ ପାଇଛି। ଯାହା ସୂଚନା ମିଳିଛି ୱାଗନର କାର୍‌ ଭିତରୁ ଗୋଟିଏ ପାଉଁଜି ସହ ପେଟ୍ରୋଲ ଜାର୍‌ ବି ପୁଲିସ ଜବତ କରିଛି। କଡ଼ିକୁ କଡ଼ି ଯୋଡ଼ିଲେ ପୁଲିସ ପାଇଁ ଏହା ଏକ ବଡ଼ ପ୍ରମାଣ। ଏପଟେ ପାଉଁଜି ହିଁ ସୂଚାଉଛି କାର୍‌ ଭିତରେ କେମିତି ନିର୍ମମ ଭାବରେ ହତ୍ୟା କରାଯାଇଥିବ। ଗୋବିନ୍ଦ ସାହୁ ପୂର୍ବରୁ କିଛି ଅପରାଧ ସହ ଜଡ଼ିତ ଥିବା ପୁଲିସ ଅନୁମାନ କରୁଛି।

ଟିସି ଓ ମାର୍କ କାଟିବାର ଧମକ: ମହାଲିଙ୍ଗ ସ୍କୁଲ ଓ କଲେଜରେ ଶହଶହ ଛାତ୍ରଛାତ୍ରୀ ପାଠପଢୁଥିଲେ। ଛାତ୍ରମାନଙ୍କ ପାଇଁ କଡ଼ାକଡ଼ି ନିୟମ ଥିଲା। କେହି ଛାତ୍ରୀଙ୍କ ସହ କଥା ହୋଇପାରିବେ ନାହିଁ। ଯିଏ କଥା ହେଲେ ଟିସି କାଟି ଦିଆଯାଉଥିଲା। ଫଳରେ ଛାତ୍ରୀମାନଙ୍କ ସହ କେହି ଛାତ୍ର କଥା ହେଉନଥିଲେ। ନିଜ ଭଉଣୀ ଅନ୍ୟ କ୍ଲାସ୍‌ରେ କାହାର ପାଠପଢୁଥିଲେ ବି ସେ କ୍ୟାମ୍ପସରେ ତା ସହ କଥା ହୋଇପାରୁନଥିଲା। ଏପଟେ ନିଜେ ମାଲିକ ଗୋବିନ୍ଦ ସାହୁ ଅଏସ୍‌ କରିବାର ନିଶାରେ ମସଗୁଲ ଥିଲେ। ଯାହାର ଖୁଲାସା ହେବା ପରେ କଲେଜରେ ପଢୁଥିବା ଛାତ୍ରମାନେ ଗଣମାଧ୍ୟମ ଆଗରେ ମୁହଁ ଖୋଲୁଛନ୍ତି। କାଳେ କେହି ଛାତ୍ରୀ କଣ ରହସ୍ୟ ଲିକ୍‌ କରିଦେବ ସେହି ଭୟରେ ସେ କଥା ହେବାକୁ ମନା କରୁଥାଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

ପେନ୍‌ଡ୍ରାଇଭ୍‌ରେ ପୂରା ଫିଲ୍ମ!: ମମିତା ତାଙ୍କ ପେନ୍‌ଡ୍ରାଇଭ୍‌ କେଉଁଠି ରଖିଛନ୍ତି? ମମିତା ତାଙ୍କ ଜଣେ ସାଙ୍ଗକୁ ମେସେଜ୍‌ ଦେଇଥିଲେ। କିଏ ସେହି ସାଙ୍ଗ? ତାଙ୍କ ରୁମ୍‌ମେଟ୍‌ ନୁହଁ ତ? ସେ ହିଁ ଏକା ସେହି ପେନ୍‌ଡ୍ରାଇଭ୍‌ ପାଇବେ ଓ ଲୁଚାଇ ରଖିଥିବା ମେସେଜ୍‌ ଦେଇଥିବା ପରିବାରଲୋକ କହିଛନ୍ତି। ପରିବାର ଲୋକ ମଧ୍ୟ ଘରେ ପେନ୍‌ଡ୍ରାଇଭ୍‌କୁ ବହୁ ଖୋଜାଖୋଜି କଲେଣି। କିନ୍ତୁ ତାହା ପାଇ ନାହାନ୍ତି। ଏଣୁ ପେନ୍‌ଡ୍ରାଇଭ୍‌ କେଉଁଠି ଏବେ ଏହା ବଡ଼ ପ୍ରଶ୍ନ। ଯେଉଁଥିରେ ଅଛି ସେକ୍ସ ସ୍କାଣ୍ଡାଲର ପୂରା ଫିଲ୍ମ। ଏଣୁ ପୁଲିସ ପେନ୍‌ଡ୍ରାଇଭ୍‌ ଖୋଜିବା ଦିଗରେ ମଧ୍ୟ ତଦନ୍ତ ଚଳାଇଛି।

୭୦ ଘଣ୍ଟାର ସିସିଟିଭି ଫୁଟେଜ: ପୁଲିସ ଅପହରଣ ଓ ନିଖୋଜ ମାମଲାର ତଦନ୍ତ କରିବା ସମୟରେ ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ସଂଗ୍ରହ କରିଥିଲା। ପ୍ରାୟ ୭୦ ଘଣ୍ଟାର ଫୁଟେଜ ପୁଲିସ ରଖିଛି। ମମିତାଙ୍କୁ ସାଙ୍ଗରେ ନେବାଠାରୁ ନେଇ ମହାଲିଙ୍ଗ ଷ୍ଟାଡିୟମ ପହଞ୍ଚିବା ଯାଏ ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ସଂଗ୍ରହ କରିଛି ପୁଲିସ। ସାକ୍ଷୀମାନଙ୍କ ବୟାନ ଅନୁସାରେ ମିନିଷ୍ଟାଡିୟମ ଠିକଣା ପାଇଥିଲା ପୁଲିସ। ଆଉ ସେଠାରୁ ହିଁ ମମିତାଙ୍କ ମର୍ଡର ମିଷ୍ଟ୍ରିର ସବିଶେଷ ସୂଚନା ପାଇଥିଲା ପୁଲିସ।

ରାଧେ, ପୁଷ୍କର ଓ ମୁନସିକୁ ପଚରାଉଚରା  : ପୁଲିସ ଗୋବିନ୍ଦ ସହ ସବୁ ସମୟରେ ସବୁ କାମ କରୁଥିବା ତାର ଡ୍ରାଇଭର ପୁଷ୍କର, ରାଧେକୁ ଆଣି ପଚରାଉଚୁରା ଚଳାଇଛି। ଏହାସହ ହାଇସ୍କୁଲ ମିନି ଷ୍ଟାଡିୟମର ଜଗାରଖା କରୁଥିବା ମୁନସିକୁ ବି ପଚରାଉଚୁରା କରୁଛି। ଜଣେ ଡ୍ରାଇଭର ଅଟକ ଥିବା ସୂଚନା ଦେଇଥିବା ବେଳେ ଅନ୍ୟ ଦୁଇ ଜଣକୁ ବି ଚାଲିଛି ପଚରାଉଚୁରା। ଡିଆଇଜି ନିଜ ତତ୍ତ୍ୱାବଧାନରେ ସବୁର ତଦନ୍ତକୁ ଆଗେଇଛନ୍ତି।

ସମ୍ବନ୍ଧିତ ଖବର