ଭୁବନେଶ୍ବର (ମହେନ୍ଦ୍ର ସାହୁ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ତଥା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍ସାଇନ୍ ପବ୍ଲିକ୍ ସ୍କୁଲ୍ର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜ୍ୟରେ ପ୍ରତିବାଦର ସ୍ବର ଜୋର ଧରିଛି । ଏହି ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତା’ର ସହଯୋଗୀ ତଥା ଡ୍ରାଇଭର ରାଧେଶ୍ୟାମ୍ ଚଣ୍ଡୀ ଗିରଫ ହୋଇ ଜେଲ୍ରେ ଦିନ କାଟୁଥିବା ବେଳେ ଏହି ଘଟଣାକୁ ନେଇ ପ୍ରାୟ ୨ ମାସ ହେବ ରାଜ୍ୟବ୍ୟାପୀ ରାଜନୈତିକ ଝଡ଼ ଲାଗି ରହିଛି। ଗାଁରୁ ସହର ଯାଏଁ ଚାରିଆଡ଼େ ଉଭୟ ବିଜେପି ଓ କଂଗ୍ରେସ ଆନ୍ଦୋଳନ ଜାରି ରଖିଛନ୍ତି। ମମିତା ହତ୍ୟାକାଣ୍ଡ ମାମଲା ବିଧାନସଭାରେ ପହଞ୍ଚିଛି ଓ ଖାସ୍ ଏହି ପ୍ରସଙ୍ଗକୁ ନେଇ ଚାଲିପାରିନି ବିଧାନସଭା। ଗୃହ ଭିତରେ ଓ ବାହାରେ ବିରୋଧୀ ଦଳଙ୍କର କଡ଼ା ପ୍ରତିବାଦ ଦେଖିବାକୁ ମିଳିଛି। ଭିତରେ ବିଧାୟକଙ୍କ ଘଣ୍ଟାମାଡ଼ଠାରୁ ଆରମ୍ଭ କରି ବିଧାନସଭା ବାହାରେ ପୁଲିସ ଉପରକୁ ଅଣ୍ଡାମାଡ଼ ହୋଇଛି । ମମିତା ମେହେର ହତ୍ୟାକାଣ୍ଡରେ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ଆଣି ବିରୋଧୀ ତାଙ୍କର ବହିଷ୍କାର ଦାବିରେ ଅଟଳ ରହିଛନ୍ତି, ତେଣେ ଶାସକ ବିଜେଡି ଏହାକୁ ନେଇ ନିଜ ନିଷ୍ପତ୍ତିରେ ଅଟଳ ରହିଛି। ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତିକୁ ଅସ୍ବୀକାର କରାଯିବା ସହ ଆଇନ ଠିକ ବାଟରେ ଯାଉଛି ବୋଲି କୁହାଯାଉଛି।
ମମିତା ଝଡ଼ରେ ଚାଲିପାରିନାହଁ ଗୃହକାର୍ଯ୍ୟ। ଏହି ଘଟଣାକୁ କେନ୍ଦ୍ର କରି ବିରୋଧୀମାନେ ଗୃହରେ ବାରମ୍ବାର ହୋହାଲ୍ଲା, ଘଣ୍ଟ ବଜାଇବା କାରଣରୁ ଶୀତକାଳୀନ ଅଧିବେଶନ ୨୬ ଦିନ ବଦଳରେ ୯ ଦିନରେ ଶେଷ ହୋଇଛି। ଏ ପ୍ରସଙ୍ଗରେ ମୁହଁ ଖୋଲି ନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତ୍ତି ରଖି ମମିତାକୁ ନ୍ୟାୟ ମିଳିବ ବୋଲି ଆଶ୍ବାସନା ଦେଇଛନ୍ତି। ତେଣେ ମମିତା ହତ୍ୟା ମାମଲାରେ ସରକାର ହାଇକୋର୍ଟରେ ତଦନ୍ତର ସାନି ସ୍ଥିତି ନେଇ ରିପୋର୍ଟ ଦାଖଲ କରିଛନ୍ତି। ଜଷ୍ଟିସ ବିଶ୍ୱଜିତ୍ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମୁଦା ଲଫାପାରେ ଏହି ଷ୍ଟାଟସ୍ ରିପୋର୍ଟ ସରକାର ଦାଖଲ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨ ସପ୍ତାହ ପରେ କରା ଯିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ପରିବାରର ଲୋକେ ଦାବି କରିଛନ୍ତି। ସେହିପରି ପରିବାର ଲୋକେ ରାଜ୍ୟପାଳଙ୍କୁ ଭେଟି ସିବିଆଇ ତଦନ୍ତ ଦାବି କରିିଛନ୍ତି।
ମମିତା ହତ୍ୟାକାଣ୍ଡ ଘଟଣା ସହିତ ସଂପୃକ୍ତି ଅଭିଯୋଗ ଆଣି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁୁ ବହିଷ୍କାର ଦାବି କରି ବିଜେପି ଓ କଂଗ୍ରେସ୍ ବିଧାନସଭାର ଶୀତକାଳୀନ ଅଧିବେଶନ ସମୟରେ ବିଭିନ୍ନ ଉପାୟରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ଏହା ପୂର୍ବରୁ ଶାସକ ଦଳର ନେତା ତଥା ମନ୍ତ୍ରୀ ଓ ବିଧାୟକ ରାଜ୍ୟର ଯେଉଁ ଆଡ଼େ ଗସ୍ତ କରିଥିଲେ, ବିଜେପି ଓ କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ ଓ କଳାପତାକା ପ୍ରଦର୍ଶନ କରିଥିଲେ। ଏପିରିକି ଚଳିତ ମାସ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଥିବା ବେଳେ ବିଜେପି କର୍ମୀମାନେ କଳାପତାକା ଦେଖାଇବା ସହିତ ମୁଖ୍ୟମନ୍ତ୍ରୀଙ୍କ କାରକେଡ ଉପରକୁ ଅଣ୍ଡାମାଡ଼ କରିଥିଲେ। ଏହା ପୂର୍ବରୁ ବିଜେପି ଓ କଂଗ୍ରେସ କର୍ମୀମାନେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ, ଆଇନ ମନ୍ତ୍ରୀ ପ୍ରତାପ ଜେନା, ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଣି, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କଳାପତାକା ଦେଖାଇବା ସହିତ ସେମାନଙ୍କର ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଥିଲେ। ଫଳରେ ମମିତା ହତ୍ୟାକାଣ୍ଡ ପ୍ରସଙ୍ଗ ରାଜ୍ୟର ବାତାବରଣକୁ ଉଷ୍ମ କରିରଖିଛି।
ସାହସ ଦେଖାଇଥିଲେ ମମିତା?
ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ଏବର ସମୟରେ ଜଣେ ବ୍ୟକ୍ତି ଏଭଳି ବ୍ୟଭିଚାର କରିବ ଆଉ ଅଞ୍ଚଳର ଲୋକ ତାକୁ ସହ୍ୟ କରିଯାଉଥିବେ? ଯେଉଁଠି ମନ୍ତ୍ରୀମାନେ ଯାଇ ଅପରାଧୀକୁ ସନ୍ଥର ପ୍ରମାଣପତ୍ର ଦେବେ, ପୁଲିସ ଅପରାଧୀର ଅଙ୍ଗୁଳି ନିର୍ଦ୍ଦେଶରେ ଉଠବସ ହେବ, ସେଠି ଏକ ଦାଦନପ୍ରବଣ ଆଭ୍ୟନ୍ତରୀଣ ଅଞ୍ଚଳରେ ଅନ୍ୟାୟ ବିରୋଧରେ ସ୍ବର ଉଠାଇବ କିଏ? କିନ୍ତୁ ଭଲଭାବରେ ଦେଖିଲେ ଆମେ ଜାଣିପାରିବା ଯେ ଭଦ୍ରମୁଖାଧାରୀ ଜଣେ ସଇତାନର ମୁଖା ଖୋଲିଦେବାରେ ସଫଳ ହୋଇଛନ୍ତି ମମିତା। ଗୋବିନ୍ଦଙ୍କ ପରାକ୍ରମ ସତ୍ତ୍ବେ ମମିତା ସାହସ ଦେଖାଇଛନ୍ତି, ତାହାର ଫାଶରେ ପଡ଼ି ସୁଦ୍ଧା ତା’ ବିରୋଧରେ ଲଢ଼ିବାକୁ ଆଗେଇ ଆସିଛନ୍ତି। ବିଶ୍ବସ୍ତ ସୂତ୍ରରୁ ଜଣାପଡ଼େ ଯେ ହତ୍ୟା କରିବା ପୂର୍ବରୁ ଗୋବିନ୍ଦ ମମିତାଙ୍କୁ ଅନେକ ପ୍ରଲୋଭନ ଦେଖାଇଥିଲେ, ତାଙ୍କ ବିରୋଧରେ ଥିବା ପ୍ରମାଣଗୁଡ଼ିକୁ ପ୍ରଘଟ ନ କରିବା ପାଇଁ। ଏପରିକି ଭବାନୀପାଟଣାସ୍ଥିତ ମାଣିକେଶ୍ବରୀ ମନ୍ଦିରକୁ ନେଇ ଶପଥ କରାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ମମିତା ଗୋବିନ୍ଦଙ୍କର କୌଣସି ଚାପ ଓ ପ୍ରଲୋଭନର ବଶବର୍ତ୍ତୀ ନ ହୋଇ ସବୁ କଥା ପ୍ରଘଟ କରିଦେବି ବୋଲି ଦୋହରାଇଥିଲେ। ଶେଷରେ ଗୋବିନ୍ଦଙ୍କ ହାତରେ ତାଙ୍କର ଜୀବନ ଚାଲିଗଲା। ସେ ବଞ୍ଚିଥିଲେ ହୁଏତ ଗୋବିନ୍ଦଙ୍କ ଆହୁରି ଅନେକ କାରବାର ଧରାପଡ଼ିଥାନ୍ତା। କିନ୍ତୁ ସେ ଗୋବିନ୍ଦର ହାତରେ ମରି, ଗୋବିନ୍ଦର କଳା ସାମ୍ରାଜ୍ୟର ଅନ୍ତ ଘଟାଇବାକୁ ଅନେକ ପ୍ରମାଣ ଛାଡ଼ିଯିବା ସହିତ ଗୋଟେ ରାସ୍ତା ତିଆରି ଦେଇଛନ୍ତି। ପୁଲିସ, ନ୍ୟାୟ ବିଭାଗ ଏବଂ ସରକାର ସେ ରାସ୍ତାରେ କେତେ ଦୂର ଯାଇପାରୁଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ।
ଅକ୍ଟୋବର ୮ରେ ନିଖୋଜ ହୋଇଥିଲେ ମମିତା
ଗତ ଅକ୍ଟୋବର ୮ ତାରିଖଠାରୁ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ସନସାଇନ୍ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ ମମିତା ମେହେର ନିଖୋଜ ହୋଇଥିଲେ। ମମିତା ନିଖୋଜ ହୋଇଯିବା ପରେ ପରିବାର ଲୋକେ ଏବଂ ବନ୍ଧୁବାନ୍ଧବ ବହୁ ଖୋଜାଖୋଜି କରିଥିଲେ। କିନ୍ତୁ ନିଖୋଜର ଏକ ସପ୍ତାହ ପରେ ମଧ୍ୟ ମମିତାଙ୍କର କୌଣସି ସନ୍ଧାନ ମିଳିପାରି ନଥିଲା।
ଅଭିଯୋଗ ରଖିଲାନି କେଗାଁ ଥାନା
ମମିତା ନିଖୋଜ ହେବାପରେ ତାଙ୍କ ସମ୍ପର୍କୀୟମାନେ ଯେତେବେଳେ ସନସାଇନ୍ ପବ୍ଲିକ ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କୁ ଫୋନ୍ କରିଥିଲେ, ଗୋବିନ୍ଦ କହୁଥିଲେ- ‘ସବୁଆଡ଼େ ଖୋଜାଖୋଜି କରିବା ପାଇଁ ମୁଁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମଧ୍ୟ କହିଛି। ସେ ନିଶ୍ଚୟ ସାହାଯ୍ୟ କରିବେ।’ ଏ କଥାରେ ଭରସା ରଖିଥିବା ମମିତାଙ୍କ ପରିବାର ନିଜ ଝିଅକୁ ତ ଆଉ ଫେରିପାଇଲେ ନାହିଁ। ଆଉ ଯିଏ ମନ୍ତ୍ରୀଙ୍କ ନାଁ ନେଇ ଏଭଳି ଭରସା ଦେଉଥିଲେ ସିଏ ହିଁ ସାଜିଥିଲେ ହତ୍ୟାକାରୀ। ଆଶ୍ଚର୍ଯ୍ୟଜନକ କଥା ଯେ, ନିଖୋଜ ହେବା ପରେ ମମିତାଙ୍କ ପରିବାର ଲୋକ କେଗାଁ ଥାନାକୁ ରିପୋର୍ଟ ଲେଖାଇବାକୁ ଯାଇଥିଲେ। କିନ୍ତୁ ଥାନାର ଅଧିକାରୀମାନେ ଏଫଆଇଆର ରଖିବାକୁ ମନା କରିଦେଇ ଥିଲେ। ଏହାକୁ ନେଇ ପରେ ପୁଲିସର କାର୍ଯ୍ୟକଳାପ ସନ୍ଦେହଜନକ ବୋଲି ଆଲୋଚନା ହେଲା।
ପୁଲିସ କାର୍ଯ୍ୟାନୁଷ୍ଠାନ: ଆଇ୍ଆଇସି ନିଲମ୍ବିତ
ମମିତା ମେହେର ମୃତ୍ୟୁ ଘଟଣାରେ କେଗାଁ ଥାନା ଆଇଆଇସି ଡମୁ ପରିଜା ନିଲମ୍ବିତ ହୋଇଛନ୍ତି। ମମିତା ନିଖୋଜ ହେବା ପରେ ପରିବାର ଲୋକେ ଥାନାକୁ ଏତଲା ଦେବାକୁ ଯାଇଥିଲେ। କିନ୍ତୁ ପୁଲିସ ପରିବାର ଲୋକଙ୍କର ଏତଲା ଗ୍ରହଣ କରି ନଥିଲା। ପରେ ପରିବାର ଲୋକେ ଉପାୟ ଶୂନ୍ୟ ହୋଇ ପ୍ରଥମେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ତୁରେକେଲା ଓ ପରେ ସିନ୍ଧେକେଲା ଥାନାରେ ଅଭିଯୋଗ କରିଥିଲେ।
କଲେଜକୁ ପ୍ରଶଂସା କରୁଥିଲେ ମନ୍ତ୍ରୀ!
ମହାଲିଙ୍ଗ ସନସାଇନ୍ କଲେଜ୍ ପ୍ରତିଷ୍ଠା ଦିବସଠାରୁ ଆରମ୍ଭ କରି କଲେଜର ଯେ କୌଣସି ଉତ୍ସବ ହେଉ ନା କାହିଁକି ସ୍ଥାନୀୟ ବିଧାୟକ ତଥା ଗୃହ ବିଭାଗର ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସେଠି ହାଜର ହୋଇଯାଉଥିଲେ। ଏହି କଲେଜ କ୍ୟାମ୍ପସ୍କୁ ପହଞ୍ଚିଗଲେ ତାଙ୍କୁ ଯୁବସୁଲଭତା ବଢ଼ିଯାଏ ବୋଲି ମନ୍ତ୍ରୀ ନିଜେ ପିଲାଙ୍କ ସାମ୍ନାରେ କହୁଥିବାର ଏକ ଭିଡିଓ ଭାଇରାଲ୍ ହୋଇଛି। ଅନ୍ୟ ଏକ ଭାଇରାଲ୍ ଭିଡିଓରେ କଲେଜର ପରିଚାଳକ ଗୋବିନ୍ଦ କହିଛନ୍ତି ଯେ ପ୍ରତିମାସରେ ଚାରି ପାଞ୍ଚ ଦିନ ଆସି ମନ୍ତ୍ରୀ ଶ୍ରୀ ମିଶ୍ର କଲେଜର ଗେଷ୍ଟ ହାଉସରେ ରହୁଥିଲେ। ପୁଲିସର ଏତଦୃଶ କାର୍ଯ୍ୟକଳାପ ପଛରେ ଗୋବିନ୍ଦଙ୍କ ରାଜନୖତିକ ପତିଆରା ନୁହେଁ ତ?
ପୁଲିସ ବାରାକ୍ରୁ ଫେରାର ଗୋବିନ୍ଦ ଗିରଫ
ଯେହେତୁ ଗୋବିନ୍ଦ ସାହୁକୁ ଦେଖା କରିବାକୁ ଆସି ମମିତା ନିଖୋଜ ହୋଇଥିଲେ,ତେଣୁ ଗୋବିନ୍ଦଙ୍କ ଉପରେ ସମସ୍ତଙ୍କର ସନ୍ଦେହ ରହିବା ସ୍ବାଭାବିକ। ମାତ୍ର କେଗାଁ ପୁଲିସ୍ ଏଫଆଇଆର ନ ରଖି ତାଙ୍କୁ ଖୋଲା ଛାଡ଼ିଦେଇଥିଲା। ଏହାପରେ ପରିବାର ପକ୍ଷରୁ ବଲାଙ୍ଗୀର ଜିଲ୍ଲା ତୁରେକେଲାରେ ଏଫଆଇଆର୍ ଦିଆଗଲା। ତୁରେକେଲା ଥାନା ଅଧିକାରୀ କମଲୋଚନ ବେହେରାଙ୍କ ନେତୃତ୍ବରେ ଏକ ଟିମ୍ ଗୋବିନ୍ଦକୁ ଖୋଜିବା ସହିତ ତଦନ୍ତ ଆରମ୍ଭ କରିଥିଲେ। ଏଥିରେ ମମିତାଙ୍କ ପରିବାର ଲୋକେ ସହଯୋଗ କରୁଥିଲେ। ଗୋବିନ୍ଦକୁ ପୁଲିସ କଲେଜଠାରୁ ପ୍ରାୟ ୧୦ କିମି ଦୂର ଏକ ସ୍ଥାନରୁ ଉଠାଇ ନେଇଥିଲା। ଗୋବିନ୍ଦକୁ ପୁଲିସ ଯେଉଁ ସ୍ଥାନରୁ ଉଠାଇଥିଲା, ତାହା ଟିଟିଲାଗଡ଼ ସବ୍ଡିଭିଜନ୍ ଅନ୍ତର୍ଗତ ଥିଲା। ତେଣୁ ପୁଲିସ ପଚରାଉଚରା ପାଇଁ ଟିଟିଲାଗଡ଼ ବାରାକ୍କୁ ଆଣିଥିଲା। ପଚରାଉଚରା ସମୟରେ ପୁଲିସକୁ ଚକମା ଦେଇ ସ୍କୁଲ ମାଲିକ ଗୋବିନ୍ଦ ସାହୁ କୌଶଳ କ୍ରମେ ଫେରାର ହୋଇଯାଇଥିଲା। ଗୋବିନ୍ଦ ଫେରାର ହେବା ପଛରେ ପୁଲିସର ହାତ ଥିଲା ବୋଲି ଚର୍ଚ୍ଚା ହୋଇଥିଲା।
ଏହି ଘଟଣାକୁ ନେଇ ଗଣମାଧ୍ୟମରେ ଅନେକ ଆଲୋଚନା ହୋଇଥିଲା। ଶେଷରେ ପୁଲିସ ଅକ୍ଟୋବର ୧୯ ତାରିଖରେ ଗୋବିନ୍ଦକୁ ଗିରଫ କରିଥିଲା। ମୋଷ୍ଟ ଓ୍ଵାଣ୍ଟେଡ ଗୋବିନ୍ଦ ବଲାଙ୍ଗୀର ପୁଲିସ ବଙ୍ଗୋମୁଣ୍ଡା ବ୍ଲକ ବୁଢ଼ିପଦରରୁ ଗିରଫ ହୋଇଥିଲା। ଗିରଫ ସମୟରେ ସେ ନିଜର ସାନଭଉଣୀ ଘରେ ଲୁଚିଥିଲା। ପୁଲିସ ଏହା ପୂର୍ବରୁ ଗୋବିିନ୍ଦ ବାବଦରେ ସୂଚନା ଦେଲେ ମିଳିବ ୧ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରିଥିଲା। ଗୋବିନ୍ଦଙ୍କୁ ମୋଷ୍ଟ ୱାଣ୍ଟେଡ୍ ଘୋଷଣା କରାଯିବା ପରେ ପ୍ରଥମେ ତାଙ୍କ ସଂପର୍କରେ ସୂଚନା ଦେଲେ ୨୦,୦୦୦ ଟଙ୍କା ପୁରସ୍କାର ମିଳିବ ବୋଲି କୁହାଯାଇଥିଲା। ପରେ ଏହି ପୁରସ୍କାର ରାଶିକୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏଥିସହ ଗୋବିନ୍ଦ ସାହୁଙ୍କ ପୋଷ୍ଟର୍ ଜାରି କରିଥିଲା ପୁଲିସ। ବଲାଙ୍ଗୀର ଏସ୍ପିଙ୍କ ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଥିଲା। ଏଥିରେ ୨ଟି ଫୋନ ନମ୍ବର ଦିଆଯାଇଥିଲା। ବଲାଙ୍ଗୀର ଏସ୍ପିଙ୍କ ମୋବାଇଲ ନମ୍ବର ୮୨୮୦୦୭୨୫୮୬ ଏବଂ ଏସ୍ପିଙ୍କ କାର୍ଯ୍ୟାଳୟର ନମ୍ବର ୦୬୬୫୨-୨୩୪୦୨୧। ଗୋବିନ୍ଦଙ୍କ ସଂପର୍କରେ ସୂଚନା ଏହି ଦୁଇଟି ନମ୍ବରରେ ଏସପିଙ୍କୁ ଜଣାଇବା ପାଇଁ କୁହାଯାଇଥିଲା।
୧୨ ଦିନ ପରେ ମିଳିଲା ଖଣ୍ଡବିଖଣ୍ଡିତ ମୃତଦେହ
ଗୋବିନ୍ଦ ସାହୁକୁ ଖୋଜିବା ସହିତ ପୁଲିସ ସନସାଇନସ୍କୁଲ ପାଖରେ ଥିବା ଖେଳପଡ଼ିଆରେ ଖୋଳାଖୋଳି ଆରମ୍ଭ କରିଥିଲା।ସେଠାରୁ ହିଁ ମାଟିତଳୁ ସଂପୂର୍ଣ୍ଣ ପୋଡ଼ିଯାଇଥିବା ଏକ ଶବ ଉଦ୍ଧାର ହୋଇଥିଲା। ତାହା ମମିତା ମେହେରଙ୍କର ବୋଲି ସ୍ପଷ୍ଟ ହୋଇଥିଲା। ଘଟଣାର ଏଗାର/ବାର ଦିନ ପରେ ଜଣାପଡ଼ିଲା ଯେ ସ୍କୁଲ୍ ମାଲିକ ଗୋବିନ୍ଦ ସାହୁ ତାଙ୍କୁ ହତ୍ୟା କରିଛି। ପୁଲିସ କହିବା ଅନୁସାରେ ହତ୍ୟା ପରେ ମମିତାଙ୍କ ଶବକୁ ଖଣ୍ଡ ଖଣ୍ଡ କରି କାଟି ଗାତରେ ପକାଇ ପୋଡ଼ି ଦେଇଥିଲା ଗୋବିନ୍ଦ । ତାହା ହଠାତ ଚିହ୍ନଟ ହୋଇପାରି ନଥିଲା। ସ୍କୁଲ ଠାରୁ କିଛି ଦୂରରେ ଥିବା ଗାତ ଭିତରୁ ଚେନ୍ ଓ ପାଉଁଜି ମିଳିଥିବାରୁ ତାହା ମମିତାଙ୍କ ଶବ ବୋଲି ପରିବାର ଲୋକ ଦାବି କରିଥିଲେ। ଗିରଫ ହେବା ପରେ ଗୋବିନ୍ଦକୁ ଘଟଣାସ୍ଥଳକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏଟ୍ କରାଇଥିଲା ପୁଲିସ୍। ଏହି ଘଟଣାରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟର ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବାର ଅଭିଯୋଗ ହୋଇଛି। ତେବେ ଗୋବିନ୍ଦ ସାହୁ ଭଳି ଜଣେ ମାମୁଲି ଠିକାଦାର ଜଣେ ଶିକ୍ଷାବିତ୍ର ପରିଚୟ ନେଇ ନେତାମନ୍ତ୍ରୀ ପୁଲିସ ଅଫିସର ଆଦି ସମସ୍ତଙ୍କୁ ବଶୀଭୂତ କରୁଥିବା କଥା ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ବିପଜ୍ଜନକ ମନେହୁଏ। ଏଥିସହିତ କଲେଜର ଝିଅମାନଙ୍କୁ ଦେହ କାରବାର ଭଳି ଅନୈତିକ କାରବାରରେ ସଂପୃକ୍ତ କରୁଥିବାର ଭୟଙ୍କର ଅଭିଯୋଗ ହୋଇଛି। ଗୋବିନ୍ଦ ସାହୁର ଶିକ୍ଷାନୁଷ୍ଠାନକୁ ମନ୍ତ୍ରୀ ବାରମ୍ବାର ଗସ୍ତ କରୁଥିବାରୁ ଓ ମମିତା ମେହେରଙ୍କ ବାପା ତାଙ୍କ ନାମ ନେଇଥିବାରୁ ମନ୍ତ୍ରୀ ସନ୍ଦେହ ଘେରକୁ ଆସିଛନ୍ତି।
ସଠିକ ତଦନ୍ତ ହେଉନି: କଂଗ୍ରେସ
ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ଲାଗି ଜାତୀୟ ମାନବାଧିକାର କମିସନ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ମାତ୍ର ଏହି ନିର୍ଦେଶନାମାର ଦେଢ଼ ମାସ ଦିନ ବିତି ଯାଇଥିଲେ ହେଁ ରାଜ୍ୟ ସରକାର ମାମଲାକୁ କ୍ରାଇମବ୍ରାଞ୍ଚର ହସ୍ତାନ୍ତର କରି ନାହାନ୍ତି। କଂଗ୍ରେସ ଅଭିଯୋଗ ଆଣିଛି ମାମଲାର ସଠିକ ତଦନ୍ତ ହେଉନାହିଁ। ତେଣୁ ହାଇକୋର୍ଟର କାର୍ଯ୍ୟରତ ବିଚାରପତିଙ୍କ ଦ୍ବାରା ତଦନ୍ତ କରାଗଲେ ସତ୍ୟ ଘଟଣା ପଦାକୁ ଆସିପାରିବ। କଂଗ୍ରେସ ଆହୁରି ମଧ୍ୟ କହିଛି ଯେ, ଘଟଣାକୁ ବାଟବଣା କରିବା ପାଇଁ ରୀତିମତ ଷଡ଼ଯନ୍ତ୍ର କରୁଛି। ରାଜ୍ୟବ୍ୟାପୀ କଂଗ୍ରେସ ବିରୋଧ ପ୍ରଦର୍ଶନ କରିବା ପରେ ଦିଲ୍ଲୀର ଯନ୍ତରମନ୍ତରରେ ମଧ୍ୟ ଧାରଣା ଓ ବିରୋଧ ପ୍ରଦର୍ଶନକରିଛି। କଂଗ୍ରେସ କହିଛି ଯେ, ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ଲାଗି ଜାତୀୟ ମାନବାଧିକାର କମିସନ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ମାତ୍ର ଏହି ନିର୍ଦେଶନାମାର ୧୫ଦିନ ବିତି ଯାଇଥିଲେ ହେଁ ରାଜ୍ୟ ସରକାର ମାମଲାକୁ କ୍ରାଇମବ୍ରାଞ୍ଚର ହସ୍ତାନ୍ତର କରି ନାହାନ୍ତି। ଓଡ଼ିଶା ଯୁବ କଂଗ୍ରେସ ମାମଲାର ରାଷ୍ଟ୍ରପତି ହସ୍ତକ୍ଷେପ କରନ୍ତୁ ବୋଲି କହିଛି। କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ସୂର୍ଯ୍ୟେୱାଲା ମମିତାଙ୍କ ପରିବାର ଲୋକଙ୍କୁ ଭେଟି କହିଥିଲେ, ମମିତା ମାମଲା ସଂସଦର ଶୀତକାଳୀନ ଅଧିବେଶନରେ ଚର୍ଚ୍ଚା ହେବ। ସେହିପରି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ମମିତାଙ୍କ କଲ ରେକର୍ଡ ଯାଞ୍ଚ କାରଯାଇପାରିଲେ ସବୁ ତଥ୍ୟ ପଦାରେ ପଡ଼ିବ।
କ’ଣ କହିଥିଲେ ମନ୍ତ୍ରୀ ଦିବ୍ୟଶଙ୍କର
ମମିତା ମେହେର ହତ୍ୟାକାଣ୍ଡ ଘଟଣା ପାଇଁ ଦିବ୍ୟଶଙ୍କର ମିଶ୍ରକୁ ଦାୟୀ କରି ବିଜେପି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛନ୍ତି। ହତ୍ୟାକାଣ୍ଡର ୨୨ ଦିନ ପରେ ମନ୍ତ୍ରୀ ଶ୍ରୀ ମିଶ୍ର ପ୍ରେସ୍ ବିବୃତି ଜାରି କରିଥିଲେ। ଏଥିରେ ସେ କହିଥିଲେ ଯେ, ‘‘ମମିତାଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ପାଇଁ ମୁଁ ଗଭୀର ଭାବେ ଦୁଃଖିତ ଓ ମର୍ମାହତ। ମୁଁ ଜଣେ ବାପା ଓ ମମିତାଙ୍କ ପରିବାର କିଭଳି ଦୁଃଖ ଓ ଯନ୍ତ୍ରଣାରେ ଅଛନ୍ତି, ତାହା ବୁଝିପାରୁଛି। ମମିତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି। ଆଇନ୍ ଅନୁଯାୟୀ ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯିବା ଆବଶ୍ୟକ। ରାଜନୀତିରେ ଯୋଗଦେବା ପୂର୍ବରୁ ମୁଁ ଏହି ଦେଶର ସଶସ୍ତ୍ର ବାହିନୀରେ କାର୍ଯ୍ୟ କରିଥିଲି। ମୁଁ ବାୟୁସେନାରେ ଥିଲି। ବାୟୁସେନାରେ ମୁଁ ଗୋଟିଏ କଥା ଶିଖିଛି। ନିଜକୁ ପଛେ ବଳି ଦେଇଦେବ ହେଲେ ଜଣେ ସାଧାରଣ ନାଗରିକକୁ ଆହତ ହେବାକୁ ଦେବନାହିଁ। ଯେତେବେଳେ ମୁଁ ରାଜନୀତିରେ ଯୋଗ ଦେଲି, ମୁଁ ମୋର ବାୟୁସେନା ଦିନର ଆଦର୍ଶକୁ ମୋ ସହିତ ଆଣିଥିଲି। ମୁଁ ପଛେ କ୍ଷତିଗ୍ରସ୍ତ ହେବି, କିନ୍ତୁ ଜଣେ ହେଲେ ବ୍ୟକ୍ତିଙ୍କୁ ଦୁଃଖ ଭୋଗ କରିବାକୁ ଦେବି ନାହିଁ। ମୁଁ ସାଧାରଣ ଜୀବନରେ ପ୍ରବେଶ କରିବା ଦିନଠାରୁ, ମୋ ନିର୍ବାଚନ ମଣ୍ଡଳୀ ଜୁନାଗଡ଼ ଓ କଳାହାଣ୍ଡିର ବିକାଶ ଉପରେ ଧ୍ୟାନ ଦେଇଛି।’’
ଜମି ହଡ଼ପରୁ କଳାକାରନାମା
ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଗୋବିନ୍ଦର କଳାକାରନାମା ଆରମ୍ଭ ହୋଇଥିଲା ଜମି ହଡ଼ପରୁ। ସରକାରୀ ଗୋଚର ଜମି ଏବଂ ଆଦିବାସୀଙ୍କ ଜମି ଅକ୍ତିଆର କରିବା ପାଇଁ ସେ ଜାଲ ବିଛାଇଥିଲେ। ସରକାରୀ ରେକର୍ଡ (ଭୂଲେଖ ପୋର୍ଟାଲ୍) ଅନୁସାରେ ମହାଲିଙ୍ଗ ଗାଁରେ ତାଙ୍କ ନାଁରେ ଖାତା ନମ୍ବର ୧୪୩, ୫୭୭/୩୯୮ ଏବଂ ୫୭୭/୯୮ରେ ମାତ୍ର ୧ ଏକର ୬୧ ଡେସିମିଲ ଜମି ଅଛି। ପାଖ ଗାଁ କୋଦୋଭଟାରେ ବିଭିନ୍ନ ସମୟରେ ସେ ଦୁଇ ଏକରରୁ ଅଧିକ ଜମି କିଣିଥିଲେ। ମମିତା ହତ୍ୟାକାଣ୍ଡ ପାଇଁ ଚର୍ଚ୍ଚିତ ସନ୍ସାଇନ୍ ପବ୍ଲିକ୍ ସ୍କୁଲ୍ ଏବଂ ଆଞ୍ଚଳିକ ଜୁନିୟର କଲେଜ କୋଦୋଭଟା ମୌଜାରେ ଅବସ୍ଥିତ। କଲେଜ ପରିଚାଳନା କମିଟିର ସଭାପତି ଥିବା ଗୋବିନ୍ଦ ସାହୁ ନାନା ପ୍ରଲୋଭନ ଏବଂ ଧମକଚମକ ଦେଖାଇ କୋଦୋଭଟା ମୌଜାର ଅନେକ ଜମି ମାଡ଼ିବସିଥିବାର ଜଣାପଡ଼ିଛି। ସେଥିରେ ସରକାରୀ ଗୋଚର ଜମି ତଥା ଆଦିବାସୀମାନେ ପାଇଥିବା ଜଙ୍ଗଲ ଜମି ମଧ୍ୟ ଅନ୍ତର୍ଭୁକ୍ତ ବୋଲି ଅଞ୍ଚଳର ଲୋକେ କହୁଛନ୍ତି।
ନେତାଙ୍କ ସହ ଗୋବିନ୍ଦର ସଂପର୍କ
କଲେଜ ଖୋଲିବା ପରେ ଆଗରୁ ଛୋଟ ମୋଟ ଠିକା କାମ କରୁଥିବା ଗୋବିନ୍ଦ ବଡ଼ ଠିକାଦାର ପାଲଟିଥିଲା । ରାସ୍ତାଘାଟ ଠାରୁ ଆରମ୍ଭ କରି ଷ୍ଟାଡିୟମ୍ ନିର୍ମାଣ ପର୍ଯ୍ୟନ୍ତ ସବୁତକ ଠିକା କାମ ସେ ନିଜେ ନତୁବା ତାଙ୍କ ଗୋଷ୍ଠୀର ଲୋକମାନେ କରୁଥିଲେ। ଆଗରୁ କଂଗ୍ରେସ ଦଳ ସହିତ ତାଙ୍କର ସଂପୃକ୍ତି ଥିଲା। ବିଜୁ ଜନତା ଦଳ କ୍ଷମତାକୁ ଆସିବା ପରେ ସେ ଶାସକ ଦଳର ନେତା ମନ୍ତ୍ରୀଙ୍କ ସହ ଧୀରେ ଧୀରେ ସମ୍ପର୍କ ବଢ଼ାଇଲା। ଆଞ୍ଚଳିକ କଲେଜ, ମହାଲିଙ୍ଗର ପ୍ରତିଷ୍ଠା ଦିବସଠାରୁ ଆରମ୍ଭ କରି ପ୍ରତ୍ୟେକ ଉତ୍ସବରେ ମନ୍ତ୍ରୀମାନଙ୍କୁ ଡାକୁଥିଲା। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବ୍ୟତୀତ ପ୍ରତାପ ଜେନା, ନିରଞ୍ଜନ ପୂଜାରୀ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଆଦି ମନ୍ତ୍ରୀ ସେଠାକୁ ଯାଇ ଗୋବିନ୍ଦର କାର୍ଯ୍ୟକ୍ରମକୁ ଖୋଲାଖୋଲି ପ୍ରଶଂସା କରୁଥିଲେ। ଶାସକ ଦଳର ନେତାମନ୍ତ୍ରୀଙ୍କ ଏଭଳି ପ୍ରଶଂସା ଓ ଅଭୟ ବାଣୀ ଗୋବିନ୍ଦକୁ ସାମ୍ରାଜ୍ୟ ବୃଦ୍ଧି କରିବାରେ ଭିଟାମିନ୍ ଭଳି କାମ ଦେଇଥିଲା। କଳାହାଣ୍ଡିରୁ ଭୁବନେଶ୍ବର ପର୍ଯ୍ୟନ୍ତ ବଡ଼ବଡ଼ିଆଙ୍କୁ ଉଭୟ ଟଙ୍କା ଓ ଝିଅ ଯୋଗାଇ ଗୋବିନ୍ଦ ନିଜର ପତିଆରା ବଢ଼ାଇଥିଲେ ବୋଲି ଚର୍ଚ୍ଚା ହେଉଛି।
ଘରୋଇ କଲେଜକୁ ମିଳୁଥିଲା ଅନୁଦାନ!
୨୦୧୦ ମସିହାରେ ଜୁନିୟର କଲେଜ ପ୍ରତିଷ୍ଠିତ ହୋଇଥିଲା। ପରେ ଡିଗ୍ରୀ ସାଇନ୍ସ କଲେଜ ଆରମ୍ଭ ହେଲା। ଆଫିଲିଏସନ୍ ନ ଥାଇ ସୁଦ୍ଧା ଡିଗ୍ରୀ କଲେଜକୁ ସରକାରୀ ସ୍ବୀକୃତି ଦିଆଯାଇଥିବାର ଅଭିଯୋଗ ହେଉଛି। ବେସରକାରୀ ହୋଇଥିଲେ ସୁଦ୍ଧା ଏହି କଲେଜ ସରକାରୀ ଆର୍ଥିକ ଅନୁଦାନ ହାତେଇବାରେ ସବା ଆଗରେ ରହୁଥିଲା। ମରାମତି ଅଭାବରୁ କଳାହାଣ୍ଡିର ପୁରୁଣା ସରକାରୀ ସ୍କୁଲ କଲେଜ ଏବଂ ଅନୁଷ୍ଠାନଗୁଡ଼ିକ ଅକାଳ ବାର୍ଦ୍ଧକ୍ୟ ଭୋଗୁଥିବା ସମୟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, କେବିକେ, ବିଧାୟକ ଓ ସାଂସଦଙ୍କ ହାତ ପାଣ୍ଠି ମହାଲିଙ୍ଗ କଲେଜ ପାଇଁ ଟ୍ରେଜେରୀ ଖୋଲି ଦେଇଥିଲେ। ଅନୁଷ୍ଠାନ ପାଇଁ ଆସୁଥିବା କୋଟି କୋଟି ଟଙ୍କାର କାମ ନିଜେ ଗୋବିନ୍ଦ ହିଁ କରୁଥିଲା। କଲେଜର ଗୋଟିଏ କାମ ପାଇଁ ଦୁଇଟି ସରକାରୀ ପାଣ୍ଠିରୁ ଟଙ୍କା ମଞ୍ଜୁର ହେଉଥିବାର ଖବର ସୁଦ୍ଧା ଗଣମାଧ୍ୟମରେ ପ୍ରସାରିତ ହେଉଛି। ତେବେ ଡବ୍ଲୁ୍ଓଡିସି ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସବୁଠୁ ଅଧିକ ପାଣ୍ଠି ଯୋଗାଇଥିବାର ଜଣାପଡ଼ିଛି। ଅନୁଦାନ ରାଶିର ନିର୍ଦ୍ଦିଷ୍ଟ ଭାଗ କୁଆଡ଼େ ନେତାଙ୍କ ପାଖକୁ ଯାଉଥିଲା ବୋଲି ଅଭିଯୋଗ ହୁଏ।
ଭଲ ଫଳ ଆଣୁଥିଲା ମହାଲିଙ୍ଗ କଲେଜ୍
ନୂଆ ହୋଇଥିଲେ ସୁଦ୍ଧା ମହାଲିଙ୍ଗ କଲେଜରେ ସିଟ୍ ଖାଲି ରହୁ ନ ଥିଲା। ଏହାର କାରଣ ହୋଇପାେର, ଦାଦନପ୍ରବଣ ଏହି ଅଞ୍ଚଳରେ ପିଲାଙ୍କ ପାଇଁ ଆଖାପଖ କଲେଜରେ ସାଇନ୍ସ ପଢ଼ିବାର ସୁବିଧା ନ ଥିଲା। ଅପରପକ୍ଷରେ ୧୨୮ ସିଟ୍ ଥିବା ଏହି ଯୁକ୍ତ ଦୁଇ ସାଇନ୍ସ କଲେଜରେ ରହିବା ପାଇଁ ହେଷ୍ଟଲ୍ ସୁବିଧା ଥିଲା। ଏହି କଲେଜର ଫଳାଫଳ ରହୁଥିଲା। କଲେଜର ଭଲ ରିଜଲ୍ଟ ପାଇଁ ସଭାପତି ଗୋବିନ୍ଦ ସାହୁ ସ୍ବତନ୍ତ୍ର ଉପାୟ ଅବଲମ୍ବନ କରୁଥିଲା ବୋଲି କୁହାଯାଏ। ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏହି କଲେଜର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଯୋଗୁଁ ଦାୟିତ୍ବରେ ଥିବା ସୁପରିଣ୍ଟେଡେଣ୍ଟ ବିଜୟ ଜେନା ଗିରଫ ହୋଇ ଜେଲ୍ ଯାଇଥିଲେ। ଏହି କେନ୍ଦ୍ରକୁ କପି କେନ୍ଦ୍ର ଭାବରେ ଉଚ୍ଚଶିକ୍ଷା ବିଭାଗ ଘୋଷଣା କରିଥିଲା। କିନ୍ତୁ ରାଜନୈତିକ ପ୍ରଭାବ ଯୋଗୁଁ ଏଠାରେ ପୁନର୍ବାର ଯୁକ୍ତ ଦୁଇ ପରୀକ୍ଷା ହେଉଥିଲା। ଏଥିରୁ ଗୋବିନ୍ଦଙ୍କ ରାଜନୈତିକ ସଂପୃକ୍ତିର ବଳିଷ୍ଠ ପ୍ରମାଣ ମିଳେ।
/sambad/media/post_attachments/wp-content/uploads/2021/10/kpt-protest-on-mamita-issue-e1638527190456.jpg)
କଲେଜ୍ ପ୍ରତିଷ୍ଠା ଦିବସଠାରୁ ଆରମ୍ଭ କରି କଲେଜର ଯେ କୌଣସି ଉତ୍ସବ ହେଉ ନା କାହିଁକି ସ୍ଥାନୀୟ ବିଧାୟକ ତଥା ଗୃହ ବିଭାଗର ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସେଠି ହାଜର ହୋଇଯାଉଥିଲେ। ଏହି କଲେଜ କ୍ୟାମ୍ପସ୍କୁ ପହଞ୍ଚିଗଲେ ତାଙ୍କୁ ଯୁବସୁଲଭତା ବଢ଼ିଯାଏ ବୋଲି ମନ୍ତ୍ରୀ ନିଜେ ପିଲାଙ୍କ ସାମ୍ନାରେ କହୁଥିବାର ଏକ ଭିଡିଓ ଭାଇରାଲ୍ ହୋଇଛି। ଅନ୍ୟ ଏକ ଭାଇରାଲ୍ ଭିଡିଓରେ ଗୋବିନ୍ଦ କହିଛି ଯେ ପ୍ରତିମାସରେ ଚାରି ପାଞ୍ଚ ଦିନ ଆସି ମନ୍ତ୍ରୀ ଶ୍ରୀ ମିଶ୍ର କଲେଜର ଗେଷ୍ଟ ହାଉସରେ ରହୁଥିଲେ। ମମିତା ନିଖୋଜ ହେବାପରେ ତାଙ୍କ ସମ୍ପର୍କୀୟମାନେ ଯେତେବେଳେ ଗୋବିନ୍ଦଙ୍କୁକୁ ଫୋନ୍ କରିଥିଲେ, ଗୋବିନ୍ଦ କହିଥିଲା- ‘ସବୁଆଡ଼େ ଖୋଜାଖୋଜି କରିବା ପାଇଁ ମୁଁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମଧ୍ୟ କହିଛି। ସେ ନିଶ୍ଚୟ ସାହାଯ୍ୟ କରିବେ।’ ଏ କଥାରେ ଭରସା ରଖିଥିବା ମମିତାଙ୍କ ପରିବାର ନିଜ ଝିଅକୁ ତ ଆଉ ଫେରିପାଇଲେ ନାହିଁ। ଆଉ ଯିଏ ମନ୍ତ୍ରୀଙ୍କ ନାଁ ନେଇ ଏଭଳି ଭରସା ଦେଉଥିଲେ ସିଏ ହିଁ ସାଜିଥିଲେ ହତ୍ୟାକାରୀ।
ମମିତା କଲେଜର ପ୍ରଥମ ବ୍ୟାଚ୍ ଛାତ୍ରୀ
ମହାଲିଙ୍ଗ କଲେଜର ପ୍ରଥମ ବ୍ୟାଚ୍ର ଛାତ୍ରୀ ଥିଲେ ମମିତା ମେହେର। ସେ କଲେଜ ହଷ୍ଟେଲରେ ସେ ରହୁଥିଲେ। ସମୟକ୍ରମେ ୨୦୧୬ରେ କଲେଜ ପରିସରରେ ଗୋବିନ୍ଦ ଆରମ୍ଭ କରିଥିଲେ ସନ୍ସାଇନ୍ ପବ୍ଲିକ୍ ସ୍କୁଲ୍। ଅନ୍ୟ କଲେଜରେ ଡିଗ୍ରୀ ପାଠ ଏବଂ ରାୟପୁରରୁ ବିଏଡ୍ ପଢ଼ିବା ପରେ ମମିତା ଏହି ସ୍କୁଲରେ ଶିକ୍ଷୟିତ୍ରୀ ଭାବେ ଯୋଗ ଦେଇଥିଲେ। ପରେ ଗୋବିନ୍ଦ ତାଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ଦାୟିତ୍ବ ଦେଇଥିଲେ। କରୋନା ସଂକ୍ରମଣ ଆରମ୍ଭ ହେଲାପରେ ସ୍କୁଲ୍ ବନ୍ଦ ହେବାରୁ ମମିତା ତାଙ୍କ ଗାଁ (ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍ ଅନ୍ତର୍ଗତ ଝରଣୀ)କୁ ଚାଲିଯାଇଥିଲେ। ସେ ଆଉ ସ୍କୁଲ୍କୁ ଫେରିବାକୁ ଚାହୁ ନ ଥିଲେ। ଚଳିତ ମାସ ୭ ତାରିଖ ବେଳକୁ ଗୋବିନ୍ଦର ଫୋନ୍ ପାଇ ୮ ତାରିଖରେ ଘରୁ ସ୍କୁଲ୍କୁ ଆସୁଥିଲେ। ଅଧାବାଟରୁ ମମିତାଙ୍କୁ ଗୋବିନ୍ଦ ନିଜ କାରରେ ନେଇ ହତ୍ୟା କରିଥିଲା ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଗୋବିନ୍ଦର ପରକୀୟା ପ୍ରୀତିର ସବୁ ତଥ୍ୟ ମମିତାଙ୍କ ପାଖରେ ଥିବାରୁ ଏବଂ ମମିତା ସେସବୁ ପ୍ରଘଟ କରିବାକୁ ଯୋଜନା କରୁଥିବାରୁ ତାକୁ ମାରିଦେଇଥିବା କଥା କହୁଛି ପୁଲିସ। କିନ୍ତୁ ଉପଯୁକ୍ତ ତଦନ୍ତ ହେଲେ ଗୋବିନ୍ଦଙ୍କ କଳା ସାମ୍ରାଜ୍ୟରେ ସାମିଲ ଥିବା ବଡ଼ବଡ଼ିଆଙ୍କ ମୁଖା ଖୋଲିଯିବ ବୋଲି ଚର୍ଚ୍ଚା ହେଉଛି।
/sambad/media/post_attachments/wp-content/uploads/2021/11/Mamita-Hatya-mamala-Congress-Rally-Khordha-e1638527273911.jpeg)
ଗୋବିନ୍ଦଙ୍କ ଗୁପ୍ତ କୋଠରୀ
ମହାଲିଙ୍ଗ କଲେଜ ପରିସରରେ ଗୋଟେ ଗୁପ୍ତ କୋଠରୀ ଥିବା କଥା କୁହାଯାଉଛି। ସେଠାରେ ଗୋବିନ୍ଦର କଳା କାରବାର ଚାଲୁଥିଲା। କଲେଜର ଜଣେ ଦି ଜଣ ଝିଅ ସେଠାକୁ ଅବାଧରେ ଯା’ଆସ କରୁଥିଲେ। ସେହି ଗୁପ୍ତ କୋଠରୀରେ ଗୋବିନ୍ଦ ଦେହ କାରବାର କରୁଥିଲେ ବୋଲି କୁହାଯାଉଛି। କଲେଜର ଜଣେ ମାଡାମ୍ ଏବଂ ତାଙ୍କର ଭଉଣୀ ଝିଅ ଯୋଗାଇବାରେ ମୁଖ୍ୟ ଭୂମିକା ନିର୍ବାହ କରୁଥିଲେ ବୋଲି କଲେଜର କେତେକ ପୁରୁଣା ଛାତ୍ର ଛାତ୍ରୀ ଅଭିଯୋଗ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏ ସଂପର୍କରେ ଏକାଧିକ ଅଡିଓ ପ୍ରସାରିତ ହେଉଛି। ଆଉ ଏକ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ମହାଲିଙ୍ଗ ଠାରୁ ପ୍ରାୟ ପନ୍ଦର କିଲୋମିଟର ଦୂରରେ ଜଙ୍ଗଲିଆ ଅଞ୍ଚଳରେ ଗୋବିନ୍ଦ ଏକ ଫାର୍ମ ହାଉସ୍ କରିଛି। ତାହା କୁଆଡ଼େ ତାର ଆମ୍ର କାନନ। ଅସଲ କାରବାର ସବୁ ସେହି ଆମ୍ର କୁଞ୍ଜରେ ହୋଇଥାଏ ବୋଲି ଶୁଣାଯାଉଛି। ସେହି ଫାର୍ମ ହାଉସରେ ବଡ଼ବଡ଼ିଆଙ୍କୁ ସନ୍ତୁଷ୍ଟ କରିବା ପାଇଁ କୁଆଡ଼େ ସବୁ ପ୍ରକାର ବ୍ୟବସ୍ଥା ରହିଛି।
ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ
ସମାଜ ଆଗରେ ଶିକ୍ଷାବିତ୍ର ପରିଚୟ ଦେଇ ବିଭିନ୍ନ ପ୍ରକାର ଅନୈତିକ କାରବାରରେ ଲିପ୍ତ ରହୁଥିଲା ଗୋବିନ୍ଦ। ଏମିତି କଡ଼ା ନିୟମ କରିଥିଲା ଯେ କଲେଜ ପରିସରରେ କୌଣସି ଛାତ୍ରଛାତ୍ରୀ ମୋବାଇଲ୍ ଫୋନ୍ ବ୍ୟବହାର କରିପାରୁ ନ ଥିଲେ। ଉଦ୍ଦେଶ୍ୟ ଥିଲା, କଲେଜ ଭିତରର କଥା କଲେଜ ଭିତରେ ରହିବ। ପୁଅଟିଏ କୌଣସି ଝିଅ ସହ କଥାବାର୍ତ୍ତା କରିବାକୁ ସୁଦ୍ଧା ଅନୁମତି ନ ଥିଲା, କିନ୍ତୁ କଲେଜର ସଭାପତି ଗୋବିନ୍ଦ ଛାତ୍ରୀଙ୍କୁ ନେଇ ସୁଦ୍ଧା ରାସଲୀଳା କରିବାକୁ ପଛଉ ନ ଥିଲା ବୋଲି ଚର୍ଚ୍ଚା ହେଉଥିଲା। ତା’ କଥାରେ କେହି ଅରାଜି ହେଲେ କଲେଜରୁ ବହିଷ୍କାର ଓ ମାର୍କ କାଟିବାର ଧମକ ମିଳୁଥିଲା। ଆଉ ଯିଏ ରାଜି ହୋଇଗଲା, ତାକୁ ପୁରସ୍କାର ସ୍ବରୂପ ମିଳୁଥିଲା ଲାପ୍ଟପ୍, ପରୀକ୍ଷାରେ ଅଧିକ ମାର୍କ, ଫ୍ଲାଇଟ୍ରେ ଦିଲ୍ଲୀ ବୁଲିଯିବାର ସୁଯୋଗ, ବଡ଼ ହୋଟେଲ୍ର ବିଳାସ ଏବଂ ଆହୁରି ଅନେକ କିଛି।
ଅପରାଧର ବାଦ୍ଶାହା ଗୋବିନ୍ଦ?
ଅଞ୍ଚଳ ସାରା ଏବେ ଚର୍ଚ୍ଚା ହେଉଛି ଯେ ମମିତା ଗୋବିନ୍ଦଙ୍କ ପ୍ରଥମ ଶିକାର ନୁହେଁ। ଏହା ପୂର୍ବରୁ ଏକାଧିକ ସଙ୍ଗୀନ ଅପରାଧରେ ତାଙ୍କର ସିଧାସଳଖ ସଂପୃକ୍ତି ରହିଛି। ପ୍ରାୟ କୋଡ଼ିଏ ବର୍ଷ ତଳେ ଏକ ପୋଲ କାମ ଚାଲିଥିବା ବେଳେ ଜଣେ ଶ୍ରମିକଙ୍କୁ ଟ୍ରାକ୍ଟର ମଡ଼ାଇ ହତ୍ୟା କରିବା ପଛରେ ଥିଲା ଗୋବିନ୍ଦ। ମମିତାଙ୍କ ପୂର୍ବରୁ ମହାଲିଙ୍ଗ କଲେଜରୁ ଏକାଧିକ ଝିଅ ନିଖୋଜ ହୋଇଛନ୍ତି। ସେମାନଙ୍କ ପତ୍ତା ଏଯାବତ ମିଳିନାହିଁ। ଗୋବିନ୍ଦଙ୍କ ଭୟରେ ସେହି ଝିଅମାନଙ୍କ ପରିବାରଲୋକ ଚୁପ୍ ରହିଛନ୍ତି। ଦୁଇ ବର୍ଷ ତେଳ କଲେଜ ପରିସରରେ ପିଲାଟିଏ ଆତ୍ମହତ୍ୟା କରିଦେଇଥିଲା ବୋଲି କିଛି ଲୋକ କହୁଛନ୍ତି। ସେ ମାମଲା ମଧ୍ୟ ଚାପିଦେବାରେ ସଫଳ ହୋଇଥିଲା ଗୋବିନ୍ଦ। ନିଜ ବାପାଙ୍କ ମୃତ୍ୟୁ ପାଇଁ ମଧ୍ୟ ଗୋବିନ୍ଦ ଦାୟୀ ବୋଲି ଏବେ ଲୋକେ କୁହାକୁହି ହେଉଛନ୍ତି। ନେତା ମନ୍ତ୍ରୀଙ୍କ ସହ ମିଶି ସେ କେଗାଁ ଥାନାକୁ ନିଜ ଅକ୍ତିଆରରେ ରଖିଥିଲା ବୋଲି ଗୁରୁତର ଅଭିେଯାଗ ହେଉଛି। ଏ ଅଭିଯୋଗରେ ସତ୍ୟତା ରହିଛି, ନହେଲେ ଗୋବିନ୍ଦ ଭଳି ଜଣେ ଅପରାଧୀ ବହୁ ଆଗରୁ ଜେଲ୍ର ଚାରି କାନ୍ଥ ଭିତରେ ରହିଥାନ୍ତା।
ଟ୍ରାକ୍ଟର ମଡ଼ାଇ ହତ୍ୟା
ଗୋବିନ୍ଦ ସାହୁ ଗିରଫ ହୋଇ ଜେଲ୍ ଗଲାପରେ ତା’ ନାଁରେ ମାଳ ମାଳ ଅଭିଯୋଗ ଆସୁଛି। କଲେଜର ଛାତ୍ରଛାତ୍ରୀ ଗଣମାଧ୍ୟମରେ ତାଙ୍କର ଦୁର୍ନୀତି ଓ ଅନୈତିକ କାର୍ଯ୍ୟକଳାପ ସମ୍ପର୍କରେ ବଖାଣୁଛନ୍ତି। ତାଙ୍କ ରୋଷର ଶିକାର ହୋଇଥିବା ମହାଲିଙ୍ଗ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମୋତିଲାଲ ନାଏକ ଏବେ ମୁହଁ ଖୋଲିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ୨୦୦୮ ମସିହାରେ ତାଙ୍କ ନିରୀହ ଝିଅକୁ ଗୋବିନ୍ଦ ସାହୁ ଲୋକ ଲଗାଇ ଟ୍ରାକ୍ଟର ମଡ଼ାଇ ହତ୍ୟା କରିଥିଲା। କିନ୍ତୁ ପୁଲିସ ଏହି ମାମଲାରେ କୌଣସି ପଦକ୍ଷେପ ନେଲା ନାହିଁ। ନେତା ମନ୍ତ୍ରୀଙ୍କ ପ୍ରଭାବରେ ସେହି ମାମଲା ଚପିଗଲା। ୧୯୯୭ ମସିହାରେ ପଞ୍ଚାୟତ ନିର୍ବାଚନରେ ଗୋବିନ୍ଦଙ୍କ ସମର୍ଥିତ ପ୍ରାର୍ଥୀ ହାରିଯିବାରୁ ବ୍ଲକ୍ ଭିତରକୁ ଯାଇ ବାଲଟ୍ ପେପର ପୋଡ଼ି ଦେଇଥିଲା। ଗୋବିନ୍ଦଙ୍କ ଠିକା କାମର ଦୁର୍ନୀତି ଏବଂ ଅନ୍ୟାନ୍ୟ ଅନୈତିକ କାରବାର ଲୋକଲୋଚନକୁ ଆଣିବାକୁ ଉଦ୍ୟମ କରିଥିବାରୁ ତାଙ୍କ ଝିଅକୁ ମାରିଦିଆଗଲା ବୋଲି ଶ୍ରୀ ନାଏକ ଅଭିଯୋଗ କରିଛନ୍ତି। ଗୋବିନ୍ଦ ସାହୁ ଝିଅ କାରବାର କରୁଥିବା କଥାରେ ସତ୍ୟତା ଅଛି ବୋଲି ସେ ଦୃଢ଼ତାର ସହିତ କହିଛନ୍ତି।