କରୋନା ସଂକ୍ରମଣ ସଂପର୍କରେ ଗୁଜବ ଖେଳାଇବା ଅଭିଯୋଗରେ ଜଣେ ଲୋକ ଗିରଫ

ବ୍ରହ୍ମପୁର: କରୋନା ସଂକ୍ରମଣ ସଂପର୍କରେ ଗୁଜବ ଖେଳାଇବା ଅଭିଯୋଗରେ ଛତ୍ରପୁର ପୁଲିସ୍ ଜଣେ ଲୋକଙ୍କୁ ଗିରଫ କରିଥିବା ଜଣାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ଗତକାଲି ବିଳମ୍ବିତ ରାତିରେ ଉକ୍ତ ଲୋକକୁ ପୁଲିସ୍ ଗିରଫ କରିଛି। ଅଭିଯୁକ୍ତର ନାମ ସିଏଚ୍ ଆରେୟା ଏବଂ ତାଙ୍କର ଘର ବଡ଼ ଆର୍ଯ୍ୟପାଲିରେ ବୋଲି ଜଣାଯାଇଛି।

ଜଣେ ବ୍ୟକ୍ତ କରୋନା ସଂକ୍ରମିତ ବୋଲି ସିଏଚ୍ ଆରେୟା ଅପପ୍ରଚାର ଚଳାଇଥିଲେ। ଏହା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏହାପରେ ସିଏଚ୍ ଆରେୟାଙ୍କ ନାମରେ ଏତଲା ଦେଇଥିଲେ ଉକ୍ତ ବ୍ୟକ୍ତି। ଏହାପରେ ସିଏଚ୍ ଆରେୟାଙ୍କୁ ଛତ୍ରପୁର ପୁଲିସ୍ ଗିରଫ କରିଥିଲା। ଏନେଇ ଛତ୍ରପୁର ଆଆଇସି ପ୍ରିୟରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି।

ଏଣେ କରୋନା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା କଟକଣା ସତ୍ତ୍ୱେ ଜଣେ ଯୁବକ ବିବାହ କରିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି | କଟକଣା ସତ୍ତ୍ୱେ ବିବାହ କରୁଥିବାରୁ ଜଣେ ବରଙ୍କୁ ପୁଲିସ ବେଦୀ ଉପରୁ ଉଠାଇଆଣିଛି | ମିଳିଥିବା ସୂଚନା ମୁତବକ ଆଜି କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ପଞ୍ଚାୟତର ନୂଆପଡା ଗ୍ରାମରେ ମୁରଲୀଧର ଭୁକ୍ତାଙ୍କ ପୁଅ ପରମେଶ୍ୱର ଭୁକ୍ତା ବିବାହ କରୁଥିଲେ | ଏହି ବିବାହ କାର୍ଯ୍ୟକ୍ରମରେ ୬୦ରୁ ୮୦ ଜଣ ସମ୍ପର୍କୀୟ ଓ ଗ୍ରାମବାସୀ ମଧ୍ୟ ଉପସ୍ଥିତ ଥିଲେ |

ଏହି ବିବାହ ବାବଦରେ ଫିରିଙ୍ଗିଆ ପୁଲିସ ପାଖରେ ପହଞ୍ଚିଥିଲା | ପ୍ରଶାସନର ବାରମ୍ବାର କଟକଣା ନେଇ ଘୋଷଣା ସତ୍ୱେ ଯୁବକ ଜଣକ ବିବାହ କରୁଥିବାରୁ ପୁଲିସ ତାଙ୍କୁ ଗିରଫ କରିଥିଲା | ୧୪୪ ସିଆରପିସି ଅଧୀନରେ ତାଙ୍କୁ ଗିରଫ କରାଯାଇଥିବାବେଳେ ୨୫/୨୦ କେସ ନମ୍ବରରେ ପୁଲିସ ମାମଲା ରୁଜୁ କରିଛି | ସେହିପରି କରୋନା କଟକଣା ଥିବା ସତ୍ତ୍ୱେ ବିବାହ କରୁଥିବାରୁ ବିଜୁ କହ୍ନର ନାମକ ଆଉ ଜଣେ ବରଙ୍କୁ ମଧ୍ୟ ଗୋଛାପଡା ପୁଲିସ ଗିରଫ କରିଛି | ସୂଚନା ମୁତାବକ ବିଜୁ କହ୍ନର ଗୋଛାପଡା ଥାନା ଅନ୍ତର୍ଗତ ଖଜୁରୀ ଗାଁରେ ବିବାହ କରୁଥିବାବେଳେ ପୁଲିସ ତାଙ୍କୁ ଓ ତାଙ୍କ ଭାଇଙ୍କୁ ଗିରଫ କରିଛି |

ସମ୍ବନ୍ଧିତ ଖବର