୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ ମାମଲା : କୋଲକାତା କୋର୍ଟରେ ଦଣ୍ଡିତ ବ୍ୟକ୍ତି ଯାଜପୁର ପୁଲିସ ଦ୍ୱାରା ଗିରଫ

ଯାଜପୁର: କଲିକତା ମେଟ୍ରୋ ପଲିଟିଆନ୍ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ଦ୍ୱାରା ଯାଜପୁର ଥାନା ଅଞ୍ଚଳର ଜଣେ ଦଣ୍ଡିତ ବ୍ୟକ୍ତି ଙ୍କୁ ୱାରେଂଟ ମାଧ୍ୟମରେ ସୋମବାର ଦିନ ଯାଜପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ବିବରଣୀରୁ ପ୍ରକାଶ ଯାଜପୁର ଥାନା ଅନ୍ତର୍ଗତ କମଳପୁର ଗ୍ରାମର ଅଲେଖ ବିଶ୍ୱାଳଙ୍କ ପୁଅ ପାର୍ଥସାରଥୀ ବିଶ୍ୱାଳ (୪୬) କଲିକତାରେ ମେସର୍ସ ଆଦିତ୍ୟ ସ୍କାର୍ପ ନାମକ ଏକ କମ୍ପାନି ଖୋଲି ବ୍ୟବସାୟ କରୁଥିଲେ । କମ୍ପାନି ମାଧ୍ୟମରେ ବିଭିନ୍ନ ଲୋକଙ୍କଠାରୁ ପାର୍ଥସାରଥୀ ଅର୍ଥ ନେଇ ବ୍ୟବସାୟ କରୁଥିଲେ । ମାତ୍ର ଚମ୍ପା ନନ୍ଦି ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୩ କୋଟି ୫ଲକ୍ଷ ୯୧ ହଜାର ୭୪୩ ଟଙ୍କା ନେଇ ଏକ ଚେକ୍ ପ୍ରଦାନ କରିଥିଲେ । ଏହି ଅର୍ଥ ବାବଦକୁ ପାର୍ଥସାରଥୀ ଚମ୍ପା ନନ୍ଦିଙ୍କୁ କୌଣସି ବ୍ୟବସାୟ ସଫଳତା ନ ଦେବାରୁ ୨୦୧୧ ମସିହା କଲିକତା ମେଟ୍ରୋ ପଲିଟିଆନ୍ ମାଜିଷ୍ଟ୍ରେଟ୍ କୋର୍ଟରେ ଏକ ମକଦ୍ଦମା କରିଥିଲେ । ଏହି ମକଦ୍ଦମା ତା୨୧.୧୨.୨୦୧୭ରିଖରେ ଚୁଡାନ୍ତ ଶୁଣାଣି କରି କଲିକତା ମେଟ୍ରୋ ପଲିଟିଆନ୍ ମାଜିଷ୍ଟ୍ରେଟ୍ କୋର୍ଟ ପାର୍ଥସାରଥୀ ବିଶ୍ୱାଳଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ କୋଟି ୫ଲକ୍ଷ ୯୧ ହଜାର ୭୪୩ ଟଙ୍କା ପ୍ରଦାନ କରିବା ସହ ୧ ବର୍ଷ ଜେଲ୍ ଦଣ୍ଡିତ କରି ଏକ ରାୟ ପ୍ରକାଶ କରିଥିଲେ ।

ଏହି ମକଦ୍ଦମା ୧୩୮ ଏନ୍‌.ଆଇ.ଆକ୍ଟ ମାଧ୍ୟମରେ କରାଯାଇଥିବା ବେଳେ ଦୋଷୀ ପାର୍ଥସାରଥୀ ଉପର କୋର୍ଟରେ ଅପିଲ କରିଥିଲେ । ମାତ୍ର ଏହି ଅପିଲ ଟି ଖାରଜ ହୋଇଯିବା ପରେ ସଂପୃକ୍ତ କୋର୍ଟ ତା୦୯.୦୨.୨୦୧୯ରିଖରେ ଜାମିନ ବିହୀନ ପରୱାନା (ଏନ୍‌.ବି.ଡବ୍ଲ୍ୟୁ) ଇଷ୍ୟୁ କରି ଯାଜପୁର ଥାନା ଅଧିକାରୀଙ୍କୁ ଦୋଷୀ ପାର୍ଥସାରଥୀଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଥାନା ଅଧିକାରୀ ଏହି ୱାରେଣ୍ଟକୁ କାର୍ଯ୍ୟକାରୀ ନକରିବାରୁ ସଂପୃକ୍ତ କୋର୍ଟ ବାରମ୍ବାର ରିମାଇଣ୍ଡର ପତ୍ର ଯାଜପୁର ଏସ୍‌.ପି ଓ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଉନଥିଲା । ତେବେ ଚମ୍ପା ନନ୍ଦି ଡବ୍ଲ୍ୟୁ.ପି.ସି ନଂ ୧୪୪୭ (ଡବ୍ଲୁ /୨୦୨୦)ଏକ ରିଟ୍ ପିଟିସନ୍ ଦାଏର କରି ଯାଜପୁର ଜିଲ୍ଳାପାଳ ଓ ଏସ୍‌.ପିଙ୍କୁ ପକ୍ଷଭୁକ୍ତ କରି ୱାରେଂଟକୁ କାର୍ଯ୍ୟକାରୀ କରିବା ସହ ଦୋଷୀ ପାର୍ଥସାରଥୀଙ୍କୁ ଗିରଫ କରିବା ପାଇଁ ଆଗତ କରିଥିଲେ ।

ଏହି ନୋଟିସ୍ ପହଞ୍ଚିବା ପରେ ଯାଜପୁର ଏସ୍‌.ପି ଚରଣ ସିଂ ମୀନା ଯାଜପୁର ଭାରପ୍ରାପ୍ତ ଥାନା ଅଧିକାରୀ ମାନସ ରଂଜନ ଚକ୍ରଙ୍କୁ ତୁରନ୍ତୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ପାଇବା ପରେ ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ଚକ୍ର ଯାଜପୁର ପାର୍ଥସାରଥୀ ବିଶ୍ୱାଳଙ୍କୁ ଗିରଫ କରି ଯାଜପୁର ସି.ଜେ.ଏମଙ୍କ କୋର୍ଟରେ ହାଜର କରାଇଥିଲେ । ମାନ୍ୟବର ସି.ଜେ.ଏମ୍ କଲିକତା ମେଟ୍ରୋ ପଲିଟିଆନ୍ ମାଜିଷ୍ଟ୍ରେଟଙ୍କୁ ଗିରଫ ବିଷୟରେ ଜଣାଇବା ସହ ତୁରନ୍ତ ଆସାମୀକୁ ନେବା ପାଇଁ ଏକ ରାୟ ପ୍ରକାଶ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ଦୋଷୀ ପାର୍ଥସାରଥୀ ନିଜକୁ ସମାଜସେବୀ କହି କୋଭିଡ୍ ଓ ବନ୍ୟା ସମୟରେ ଯାଜପୁରର ବିଭିନ୍ନ ଅଞ୍ଚଳରେ ରିଲିଫ୍ ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା ।

ସମ୍ବନ୍ଧିତ ଖବର