ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ବିତୀୟ ବିବାହ: ବାହାବେଦିରୁ ବରକୁ ଉଠାଇ ନେଲା ପୁଲିସ

ସମ୍ବଲପୁର: ପ୍ରଥମ ସ୍ତ୍ରୀ ଥାଉ ଥାଉ ଜଣେ ବ୍ୟକ୍ତି ଦ୍ବିତୀୟ ବିବାହ କରିବାକୁ ପ୍ରୟାସ କରିଥିଲେ। ତେବେ ବେଦି ଉପରୁ ପୁଲିସ ବରକୁ ଉଠାଇ ନେଇଥିଲା। ସମ୍ବଲପୁର ସହରରେ ଘଟିଛି ଏଭଳି ଘଟଣା, ଯାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଧନୁପାଲିର ସୁଜିତ ବାଗ ଦ୍ବିତୀୟ ବିବାହ କରୁଥିବା ଖବର ପାଇବା ପରେ ସିଧା ବିବାହ ମଣ୍ଡପକୁ ଆସି ପହଞ୍ଚି ଯାଇଥିଲେ ତାଙ୍କ ସ୍ତ୍ରୀ ଯଶୋଦା ବାଗ। ସେ ପହଂଚିବା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ କଥା କଟାକଟି ହୋଇଥିଲା। ଯଶୋଦାଙ୍କୁ ବାହାରେ ଅଟକାଇବାକୁ ସୁଜିତଙ୍କ ପକ୍ଷ ପ୍ରୟାସ କରିଥିବା ବେଳେ ବହୁ ସମୟ ଧରି ଯୁକ୍ତି ତର୍କ ଲାଗି ରହିଥିଲା।

ଏହା ପରେ ନିଜେ ଯଶୋଦା ବାହା ମଣ୍ଡପରେ ପ୍ରବେଶ କରି ସ୍ବାମୀ ସୁଜିତଙ୍କ ଦ୍ବିତୀୟ ବିବାହକୁ ପଣ୍ଡ କରିଛନ୍ତି। ସେ ପୁଲିସକୁ ସୂଚନା ଦେବା ପରେ ସମ୍ବଲପୁର ଟାଉନ୍‌ ଥାନା ପୁଲିସ ପହଞ୍ଚି ସୁଜିତଙ୍କୁ ବାହା ବେଦିରୁ ଉଠାଇ ନେଇ ଥାନାରେ ପଚରାଉଚରା କରୁଥିବା ଜଣାପଡ଼ିଛି। ଯଶୋଦା ଓ ସୁଜିତ ବୈଦିକ ରୀତିରେ ୨୦୧୪ ମସିହା ମାର୍ଚ୍ଚ ୯ ତାରିଖରେ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ପୁଅ(୩ ବର୍ଷ) ଓ ଗୋଟିଏ ଝିଅ(୭ ବର୍ଷ) ମଧ୍ୟ ଅଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୁଜିତ କିଛି ବର୍ଷ ହେବ ଏକ କୁରିଅର୍‌ ସର୍ଭିସ୍‌ରେ କାମ କରନ୍ତି।

ତେବେ ୨ ବର୍ଷ ହେବ ସେଠାରେ କାମ କରୁଥିବା ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ବିବାହିତ ହୋଇ ମଧ୍ୟ ସୁଜିତ ତାଙ୍କ ସ୍ତ୍ରୀଙ୍କୁ ଲୁଚାଇ ଉକ୍ତ ଯୁବତୀଙ୍କ ସହ ସମ୍ପର୍କ ବଢ଼ାଇବାରେ ଲାଗିଲେ। କିନ୍ତୁ ଯଶୋଦା ଏ କତା କିଛି ଦିନ ପରେ ଜାଣିବାକୁ ପାଇଲେ। ଏହା ଜାଣିବା ପରେ ସେ ସୁଜିତଙ୍କୁ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଝଗଡ଼ା ବଢ଼ିବାରୁ ଯଶୋଦାଙ୍କୁ ସୁଜିତ୍‌ ଘରୁ ବାହାର କରି ଦେଇଥିଲା। ସେବେଠାରୁ ଦୁହେଁ ଅଲଗା ରହୁଥିଲେ। କିନ୍ତୁ ଏସବୁ ଭିତରେ ସୁଜିତ ଓ ତାଙ୍କ ସହ କାମ କରୁଥିବା ଯୁବତୀଙ୍କୁ ବିବାହ କରିବାକୁ ସ୍ଥିର କରି ନେଇଥିଲେ। ଶୁକ୍ରବାର ଝାଡ଼ୁଆପଡ଼ା ଗୌରମଠ ଠାରେ ଉଭୟଙ୍କର ବିବାହ ହୋଇଥାନ୍ତା। କିନ୍ତୁ ଯଶୋଦା ଏହାକୁ ବିରୋଧ କରିବାରୁ ସୁଜିତ ବେଦି ବଦଳରେ ଟାଉନ୍‌ ଥାନାକୁ ଯାଇଥିଲେ। ସୁଜିତ ଓ ଯଶୋଦାଙ୍କର ଛାଡପତ୍ର ହୋଇନାହିଁ। ପ୍ରଥମ ପତ୍ନୀ ଥାଉ ଥାଉ ଦ୍ବିତୀୟ ବିବାହ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ଟାଉନ୍‌ ଥାନା ପୁଲିସ ତାଙ୍କୁ ଉଠାଇ ନେଇଥିଲା।

ସମ୍ବନ୍ଧିତ ଖବର