୧୮ଲକ୍ଷ ଟଙ୍କା ଲୁଟ୍‌ ନାଟକରୁ ପର୍ଦ୍ଦା ହଟିଲା : ଅଭିଯୋଗକାରୀ ହିଁ ଲୁଟେରା

ବାହାଘର ପାଇଁ ରଚିଥିଲେ ନାଟକ, ଘର ପଲଙ୍କ ଗଦି ତଳୁ ୧୫ଲକ୍ଷ ଟଙ୍କା ଜବତ

କଟକ : ବାହାଘର ଖର୍ଚ୍ଚ ତୁଲାଇବା ପାଇଁ ଲୁଟ୍ ନାଟକ ରଚାଯାଇଥିଲା। ଅଭିଯୋଗକାରୀ ନିଜେ ସାଜିଥିଲେ ଲୁଟେରା। ଖୁଣ୍ଟୁଣୀ ନିକଟରେ ଘଟିଥିବା ୧୮ ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ ପରେ ଏଭଳି ତଥ୍ୟ ସାମ୍‌ନାକୁ ଆସିଛି।

ପୁଲିସ ଅଭିଯୋଗକାରୀଙ୍କ ଘରୁ ଖଟର ଗଦି ତଳୁ ୧୫ ଲକ୍ଷ ୩୦ ହଜାର ଟଙ୍କା ଜବତ କରିଥିବା ବେଳେ ଜଣେ ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ୬୬ ହଜାର ଟଙ୍କା ଜବତ କରିଛି। ଅନ୍ୟପଟେ ଏତେ ଟଙ୍କା ବ୍ୟାଙ୍କ ବା ଅନ୍‌ଲାଇନରେ ନନେଇ ଜିଏସ୍‌ଟି ଠକିବା ପାଇଁ ଏଭଳି କ୍ୟାସ୍‌ରେ ଟଙ୍କା ଆଦାୟ କରାଯାଉଥିବା ପୁଲିସ ସନ୍ଦେହ କରିବା ସହ ଏ ସଂପର୍କରେ ଅଧିକ ତଦନ୍ତ କରିବା ସହିତ ଜିଏସ୍‌ଟି କମିସନଙ୍କୁ ମଧ୍ୟ ଚିଠି ଲେଖିବାକୁ ନିଷ୍ପତ୍ତି ନେଇଛି। ଏଭଳି ନାଟକୀୟ ଲୁଟ ସଂପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲା ଏସପି ରାଧାବିନୋଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଅଭିଯୋଗକାରୀ ସନ୍ତୋଷ କୁମାର ରାଜ ବିମଲ ପାନ ମସଲା କଂପାନିର ମାର୍କେଟିଂ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି। ତାଙ୍କର ଆସନ୍ତା ମାସରେ ବାହାଘର ହେବାକୁ ଯାଉଛି। କିନ୍ତୁ ବିବାହ ଖର୍ଚ୍ଚ ପାଇଁ ସେ ଏଭଳି ଲୁଟ୍‌ ନାଟକ ରଚିଥିଲେ। ସନ୍ତୋଷ କୁମାର ରାଜ ଅନୁଗୁଳ, ତାଳଚେର, ଢେଙ୍କାନାଳ ଓ ଗୋବିନ୍ଦପୁର ଅଞ୍ଚଳରେ ଥିବା ମସଲା କମ୍ପାନି ଡିଲରଙ୍କ ଠାରୁ ୧୮ଲକ୍ଷ ଟଙ୍କା  ଆଦାୟ କରିଥିଲେ। ଆଦାୟ ଟଙ୍କାକୁ ଭୁବନେଶ୍ବରସ୍ଥିତ କମ୍ପାନିରେ ଜମା ଦେବା ପାଇଁ ନିଜ ଘର ଢେଙ୍କାନାଳ ସଦର ଥାନା ହରେକୃଷ୍ଣପୁର ଗ୍ରାମରୁ ବାଇକରେ ଭୁବନେଶ୍ୱର ଯାଉଥିଲେ। ଦିନ ପ୍ରାୟ ସାଢେ ୧୦ଟାରେ ୨ଟି ପଲସର ବାଇକରେ ୪ ଜଣ ହେଲମେଟ ପିନ୍ଧା ଯୁବକ ୫୫ନଂ ଜାତୀୟ ରାଜପଥର ଖୁଣ୍ଟୁଣୀ ଥାନା ନିକଟ ରାଧାକିଶୋରପୁର ଓଭର ବ୍ରିଜଠାରେ ସନ୍ତୋଷଙ୍କୁ ଅଟକାଇ ବନ୍ଧୁକ ଦେଖାଇ ଧମକ ଦେଇଥିଲେ। ଏହାପରେ ତାଙ୍କଠାରୁ ଏକ ବ୍ୟାଗରେ ଥିବା ୧୮ଲକ୍ଷ ଟଙ୍କାକୁ ଝାମ୍ପି ନେଇ ଚୌଦ୍ୱାର ଅଭିମୁଖେ ଖସି ପଳାଇଥିବା ସନ୍ତୋଷ ଖୁଣ୍ଟୁଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ସନ୍ତୋଷ ଖୁଣ୍ଟୁଣୀ ଥାନାରେ ଖବର ଦେବା ପରିବର୍ତ୍ତେ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ମୋବାଇଲ ମାଗି ତାଙ୍କ ମୋବାଇଲରୁ ତାଙ୍କ ଭାଇଙ୍କୁ ଫୋନ କରିଥିଲେ। ତାଙ୍କ ଭାଇ ଏ ସଂପର୍କରେ ଢେଙ୍କାନାଳ ସଦର ଥାନାକୁ ଜଣାଇଥିଲେ। ଫଳରେ ଢେଙ୍କାନାଳ ପୁଲିସ ଏ ସଂପର୍କରେ ଖୁଣ୍ଟୁଣୀ ଥାନାକୁ ଖବର ଦେଇଥିଲେ। ଖୁଣ୍ଟୁଣୀ ପୁଲିସ ଖୋଜାଖୋଜି କରିବା ପରେ ସନ୍ତୋଷଙ୍କୁ ଠାବ କରିଥିଲେ। କିନ୍ତୁ ସନ୍ତୋଷ ପ୍ରଥମେ ପୁଲିସକୁ ଲୁଟ୍‌ ସଂପର୍କରେ କିଛି କହି ନଥିଲେ। କେବଳ ମୋବାଇଲ ନେଇଯାଇଥିବା ସଂପର୍କରେ ଜଣାଇଥିଲେ। ଖୋଲତାଡ ପରେ ପୁଲିସକୁ ସନ୍ତୋଷ ଲୁଟ୍‌ ଘଟଣା ସଂପର୍କରେ ଜଣାଇଥିଲେ। କଟକ ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ, ଚୌଦ୍ବାର ଏସ୍‌ଡିପିଓ ପ୍ରଶାନ୍ତ କୁମାର ମଲ୍ଲ, ଖୁଣ୍ଟୁଣୀ ଥାନା ଅଧିକାରୀ ସୁଚିତ୍ରବିର୍ଯ୍ୟ ଦାସ ପ୍ରମୁଖ ଘଟଣାର ତଦନ୍ତ ଆରମ୍ଭ କରିଥିଲେ।

ତେବେ, ପ୍ରଥମରୁ ସନ୍ଦେହ କରି ପୁଲିସ ଅଭିଯୋଗକାରୀଙ୍କ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ହରେକୃଷ୍ଣପୁରସ୍ଥିତ ଘର ଉପରେ ଚଢଉ କରିଥିଲା। ଘରେ ପଡିଥିବା ପଲଙ୍କର ଗଦି ଉଠାଇବା ବେଳେ ଗଦି ତଳେ ଥାକ ଥାକ ନୋଟ୍‌ ଗଦା ହୋଇଥିଲା। ସେଠାରୁ ୧୫ଲକ୍ଷ ୩୦ ହଜାର ଟଙ୍କା ଜବତ୍‌ କରିଥିଲା ପୁଲିସ। ହେଲେ ବାକି ଟଙ୍କା ସଂପର୍କରେ ସନ୍ତୋଷଙ୍କୁ ଜେରା କରାଯିବା ପରେ ତାହାକୁ ସେ ଜଣେ ବେପାରୀଙ୍କ ପାଖରେ ରଖିଛି ଓ ସେଥିରୁ ୩୪ ହଜାର ଟଙ୍କା କର୍ମଚାରୀଙ୍କ ଦରମା ବାବଦକୁ ଦେଇଛି ବୋଲି କହିଥିଲେ। ପୁଲିସ ସଂପୃକ୍ତ ବେପାରୀଙ୍କ ପାଖରେ ପହଞ୍ଚି ବାକି ୨ଲକ୍ଷ ୬୬ହଜାର ଟଙ୍କା ଜବତ୍‌ କରିଥିଲା। ମୋଟ ୧୭ଲକ୍ଷ ୯୬ହଜାର ୮୯୫ଟଙ୍କା ଜବତ୍‌ କରିବା ସହ ଅଭିଯୋଗକାରୀ ସନ୍ତୋଷ ରାଜଙ୍କୁ ଖୁଣ୍ଟୁଣୀ ଥାନା ପୁଲିସ ଦଫା ୪୦୯, ୪୨୦, ୨୦୩ ଆଇପିସିରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅନ୍ୟପଟେ ଏହି ଘଟଣା ପଛରେ ଜିଏସଟି ଠକେଇ ହୋଇଥିବା ମଧ୍ୟ ପୁଲିସ ସନ୍ଦେହ କରୁଛି। ଦୁଇ ଲକ୍ଷ ଟଙ୍କାରୁ ଅଧିକ ନଗଦକୁ ଏକକାଳୀନ କାରବାର କରିବା ଉପରେ ଆୟକର ବିଭାଗ କଟକଣା ଜାରି କରିଥିଲେ ମଧ୍ୟ ସନ୍ତୋଷ ୧୮ ଲକ୍ଷ ଟଙ୍କା କିପରି ନେଉଥିଲେ ବୋଲି ପୁଲିସ ପ୍ରଶ୍ନ ଉଠାଇଛି। ଜିଏସ୍‌ଟି ଫାଙ୍କିବା ପାଇଁ ଏଭଳି ନଗଦ କାରବାର କରାଯାଉଥିବା ପୁଲିସ କହିଥିବାବେଳେ ଏହି ଘଟଣା କେବଳ ସନ୍ତୋଷର ଯୋଜନା ମୁତାବକ ହୋଇଛି ନା ଏହା ପଛରେ ଅନ୍ୟ କେହି ସଂପୃକ୍ତ ଅଛନ୍ତି ସେ ସଂପର୍କରେ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ଏସ୍‌ପି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଏହି ମାମଲାର ତଦନ୍ତ କରିବା ପାଇଁ ଜିଏସଟି କମିଶନରଙ୍କୁ ଚିଠି ଲେଖାଯିବ ବୋଲି ଏସପି କହିଛନ୍ତି। ଏହି ଲୁଟ ନାଟକ ଆଢୁଆଳରେ ଜିଏସଟି ଫାଙ୍କିବା ଖେଳ ଥିବାରୁ ଏହା ପଛରେ ମଧ୍ୟ ଏକ ବଡ ରୢାକେଟ କାମ କରୁଥିବା ସନ୍ଦେହ କରାଯାଉଛି।

ଆଜିର ସାମ୍ବାଦିକ ସମ୍ମିଳନୀରେ ଚୌଦ୍ବାର ଏସ୍‌ଡିପିଓ ପ୍ରଶାନ୍ତ କୁମାର ମଲ୍ଲ, ଖୁଣ୍ଟୁଣୀ ଥାନା ଅଧିକାରୀ ସୁଚିତ୍ରବିର୍ଯ୍ୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର