ରାଉରକେଲା: ଚାକିରି କରାଇଦେବା ନାଁରେ ୪୧ ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ଅଭିଯୁକ୍ତକୁ ଝିରପାଣି ପୁଲିସ ଗିରଫ କରି କୋର୍ଟଚାଲଣ କରିଛି। ଗିରଫ ଅଭିଯୁକ୍ତ ହେଲା ସୋନପୁର ଜିଲ୍ଲା ଗୋ‌କର୍ଣ୍ଣେଶ୍ବର ଗାଁର ବିଶ୍ବଜିତ ଦାସ (୨୯) । ପୁଲିସ ସୂଚନା ଅନୁସାରେ ଝିରପାଣି ଥାନା ଅନ୍ତର୍ଗତ କୋଏଲ ନଗର ‘ଏ’ ବ୍ଲକ୍‌ରେ ବିଶ୍ବଜିତ ଦାଶ ଓ ବିଶ୍ବନାଥ ପ୍ରଧାନ ଉଭୟେ ଚାକିରି ପାଇଁ ପାଠପଢ଼ି ପ୍ରସ୍ତୁତି କରୁଥିଲେ। ଚାକିରି ନ ପାଇବା ପରେ କରୋନା ସମୟରେ ବିଶ୍ବଜିତ ରାଉରକେଲା ଛାଡ଼ି ନିଜ ଗାଁ ଗୋ‌କର୍ଣ୍ଣେଶ୍ବରକୁ ଫେରିଯାଇଥିଲା। ପରେ ବିଶ୍ବନାଥ ପ୍ରଧାନ ଓ ତାଙ୍କ ୪ ଜଣ ସାଙ୍ଗ ଚାକିରି ପାଇବା ପାଇଁ ଏକାଠି ରହି ପଢୁଥିଲେ।

Advertisment

ଡିସେମ୍ବର ୨୦୨୨ରେ ଅଭିଯୁକ୍ତ ବିଶ୍ବଜିତ ଦାଶ ତାର ଏକ ପ୍ରତିଷ୍ଠିତ କମ୍ପାନିରେ ଚାକିରି ହୋଇଥିବା ନେଇ ବିଶ୍ବନାଥ ପ୍ରଧାନକୁ ଖବର ଦେଇଥିଲା। ଏହା ସହିତ ସେମାନଙ୍କ ଚାକିରି କରାଇଦେବ ବୋଲି ପ୍ରସ୍ତବ ଦେଇଥିଲା। ଏଥିପାଇଁ ସେମାନଙ୍କୁ କିଛି ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲା। ୫ଜଣ ସାଙ୍ଗ ଚାକିରି ପାଇବା ଲୋଭରେ ବିଶ୍ବଜିତକୁ ୪୧ ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ପରେ ଜାଣିବାକୁ ପାଇଥିଲେ ଯେ ଚାକିରି ନାଁରେ ସେମାନେ ଠକେଇର ଶିକାର ହୋଇଛନ୍ତି। ଏ ନେଇ ‌୫ ସାଙ୍ଗ ଝିରପାଣି ଥାନାରେ ଲିଖିତ ଅଭିଯୋଗ‌ କରିଥିଲେ। ଅଭିଯୋଗ ଅନୁସାରେ ପୁଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ବିଶ୍ବଜିତ ଦାଶକୁ ସୋନପୁର ଜିଲ୍ଲାରୁ ଗିରଫ କରିଥିଲା।