ଦଧୀଚି ଆଶ୍ରମରେ ଅନ୍ତେବାସିନୀଙ୍କୁ ଦୁଷ୍କର୍ମ ଉଦ୍ୟମ : ଦୁର୍ବୃତ୍ତର ଜିଭ କାମୁଡ଼ି ଛିଡ଼ାଇଦେଲେ ପୀଡ଼ିତା

କାକଟପୁର : କାକଟପୁର ବସ୍‌ଷ୍ଟାଣ୍ତ୍‌ ନିକଟସ୍ଥ ବହୁ ପୁରାତନ ଦଧୀଚି ଆଶ୍ରମରେ ରହୁଥିବା ଜଣେ ଅନ୍ତେବାସିନୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ କାକଟପୁର ଥାନାରେ ଅଭିଯୋଗ ହୋଇଛି। କୌତୂହଳର ବିଷୟ ହେଲା, ପୀଡ଼ିତା ମହିଳା ଜଣକ ଦୁର୍ବୃତ୍ତର ଜିଭକୁ କାମୁଡ଼ି ଛିଡ଼ାଇ ଦେଇଛନ୍ତି ଏବଂ ଏହି କଟା ଜିଭକୁ ପୁଲିସ ଜବତ କରିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ପୀଡ଼ିତାଙ୍କ କହିବା ଅନୁଯାୟୀ, ଗତକାଲି (ବୁଧବାର) ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ମୁହଁରେ ଗାମୁଛା ବାନ୍ଧି ଆଶ୍ରମ ଭିତରେ ପଶିବା ସହ ସେ ଶୋଇଥିବା ଘରର କବାଟ ବାଡ଼େଇଥିଲା। ଆଶ୍ରମରେ ଏକୁଟିଆ ରହୁଥିବା ଅନ୍ତେବାସିନୀ କବାଟ ଖୋଲିବା ପରେ ଦୁର୍ବୃତ୍ତ ଜଣକ ତାଙ୍କ ମୁହଁରେ ଜୋରଜବରଦସ୍ତ ତାଙ୍କ ସାୟାକୁ ବାନ୍ଧି ଦୁଷ୍କର୍ମ ଉଦ୍ୟମ କରିଥିଲା। ତେବେ ମହିଳା ଜଣଙ୍କ ଛାଟିପିଟି ହୋଇ ମୁହଁରୁ କପଡ଼ା କାଢ଼ିଦେଇ ଦୁର୍ବୃତ୍ତର ଜିଭକୁ ଜୋରରେ କାମୁଡ଼ି ଦେଇଥିଲେ।

ଜିଭ ଛିଡ଼ିଯିବାରୁ ଦୁର୍ବୃତ୍ତ ଜଣକ ଜୀବନ ବିକଳରେ ସେଠାରୁ ଫେରାର ହୋଇଯାଇଥିଲା। ଏ ସଂପର୍କରେ ଆଶ୍ରମ ମୁଖ୍ୟ ଆଜି ସକାଳେ କାକଟପୁର ଥାନାରେ ଅଭିଯୋଗ କରିବାରୁ ପୁଲିସ ଘଟଣାସ୍ଥଳକୁ ଯାଇ ଛିଡ଼ି ପଡ଼ିଥିବା ଜିଭକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ତେବାସିନୀ ଜଣକ ୩୦ ବର୍ଷରୁ ଅଧିକ ବର୍ଷ ହେଲା ଏହି ଆଶ୍ରମରେ ରହି ଆସୁଛନ୍ତି। ଏ ସମ୍ପର୍କରେ ପୀଡ଼ିତା କହିଛନ୍ତି, ତାଙ୍କୁ ଦୁର୍ବୃତ୍ତ ଦୁଷ୍କର୍ମ ଉଦ୍ୟମ କଲା ବେଳେ ସେ ‌‌ଦୈବୀ ଶକ୍ତି ପ୍ରାପ୍ତ ହେବା ଭଳି ଅନୁଭବ କଲେ। ତାଙ୍କ ଦେହରେ ଅମାପ ଶକ୍ତି ଓ ସାହସ ଭରିଗଲା। ସେ କିଭଳି ଓ କେଉଁ ପରିସ୍ଥିତିରେ ଦୁର୍ବୃତ୍ତର ଜିଭକୁ କାମୁଡ଼ି ଛିଡ଼ାଇଦେଲେ ତାହା ସେ ନିଜେ ଜାଣିପାରୁନାହାନ୍ତି। ଜିଭ ଛିଡ଼ିଯିବାରୁ ଦୁର୍ବୃତ୍ତ ପାଟିରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା ଓ ରକ୍ତରେ ତାଙ୍କ ମୁହଁ ଭିଜିଯାଇଥିଲା ବୋଲି ପୀଡ଼ିତା କହିଛନ୍ତି। କାକଟପୁର ପୁଲିସ ଏବେ ଏହି ଘଟଣାକୁ ନେଇ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର