୧୫ ବର୍ଷ ହେଲା ପ୍ରଶାସନ କଲାନି, ଗାଁ ପାଇଁ ପୋଲ ନିର୍ମାଣ କଲେ ଗଙ୍ଗାଧର

ହାଟଡିହି : କାର୍‌ କିଣିବାକୁ ସଞ୍ଚିଥିବା ଟଙ୍କାରେ ଗାଁ ଲୋକଙ୍କ ପାଇଁ ପୋଲ ନିର୍ମାଣ କରି ଉଦାହରଣ ସୃଷ୍ଟି କରିଛନ୍ତି ହାଟଡିହି ବ୍ଲକ କାନପୁର ଗ୍ରାମର ଗଙ୍ଗାଧର ରାଉତ। ପାଖାପାଖି ୯ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିସାରିଲେଣି। ଆଉ ଅଳ୍ପକାମ ବାକି ରହିଛି। ସେଥିରେ ୩ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ପୋଲ ନିର୍ମାଣ କାର୍ଯ୍ୟରେ ଏବେ ସେ ନିଜ ପେନ୍‌ସନ ଟଙ୍କା ଖର୍ଚ୍ଚ କରୁଛନ୍ତି। ଜୁନ୍‌ ଶେଷ ସୁଦ୍ଧା କାମ ସଂପୂର୍ଣ୍ଣ ହୋଇଯିବ ବୋଲି ସେ ଆଶା ରଖିଛନ୍ତି। ସେ ଜଣେ ଅବସରପ୍ରାପ୍ତ ଭେଟରିନାରି ଟେକ୍ନିସିଆନ। ତାଙ୍କର ଅବସର ବାବଦରେ ଆଉ କିଛି ପ୍ରାପ୍ୟ ମଧ୍ୟ ସରକାରଙ୍କଠାରୁ ପାଇବାର ଅଛି। ତାହା ଯଦି ମିଳିଯାନ୍ତା କାମ ଆହୁରି ଶୀଘ୍ର ଶେଷ ହୋଇପାରନ୍ତା ବୋଲି ସେ କହିଛନ୍ତି।

ଆଜିର ସ୍ବାର୍ଥବାଦୀ ଦୁନିଆରେ ସରକାରୀ ଯୋଜନାର ଅନୁଦାନକୁ କିଛି ଲୋକ ଲୁଟି ନେଉଥିବା ବେଳେ ଗଙ୍ଗାଧର ଗାଁ ଲୋକଙ୍କ ପାଇଁ ସାଳନ୍ଦୀ ନଦୀ ଉପରେ ପୋଲ ନିର୍ମାଣ କରି ବିରଳ ଉଦାହରଣ ପାଲଟିଛନ୍ତି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କାନପୁର ଗାଁ ଉତ୍ତରପଟେ ବହିଯାଇଛି ସାଳନ୍ଦୀ ନଦୀ। ନଦୀର ଅପରପଟେ ରହିଛି ଶହଶହ ଏକର ଚାଷ ଜମି। ଆମ୍ବ ଓ ପଣସ ତୋଟା। ତେଣୁ ବର୍ଷର ବାରମାସ ଲୋକେ ନଦୀ ପାରି ହୋଇ ସେପଟକୁ ଯାଇଥାନ୍ତି। ପୋଲ ନଥିବାରୁ ଯିବାଆସିବା କରିବା ତଥା ହଳଲଙ୍ଗଳ ନେବା, ଧାନ ଆଣିବା ଆଦି କାର୍ଯ୍ୟ ପାଇଁ ସେମାନେ ବହୁତ ହଇରାଣ ହୋଇଥାନ୍ତି। ପୂର୍ବରୁ ବଉଳା ଟ୍ରକ ଆସୋସିଏସନ ଏଠାରେ ଏକ ପୋଲ ନିର୍ମାଣ ପାଇଁ ଲକ୍ଷେ ଟଙ୍କା ଯୋଗାଇ ଦେଇଥିଲା। ସେହି ଟଙ୍କାରେ ମାତ୍ର ଗୋଟିଏ ସ୍ପାନ କାମ ଆରମ୍ଭ ହୋଇ ରହିଯାଇଥିଲା। କିଛିବର୍ଷ ପରେ ହାଟଡିହି ବ୍ଲକ ପକ୍ଷରୁ ୩ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା। ସେଥିରେ ମାତ୍ର ଦୁଇଟି ସ୍ପାନ ଛାତ ପଡ଼ିଥିଲା। ପୁଣି ତାହା ଅସମ୍ପୂର୍ଣ୍ଣ ହୋଇ ୧୫ ବର୍ଷ ପଡ଼ିରହିଥିଲା। ଗାଁ ଲୋକେ ବାରମ୍ବାର ରାଜନେତାଙ୍କଠାରୁ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ସହାୟତାର ହାତ ବଢ଼ାଇ ନଥିଲେ। ଏହି ସମସ୍ୟା ଦେଖିବା ପରେ ଗାଁର ବାସିନ୍ଦା ତଥା ଅବସରପ୍ରାପ୍ତ କର୍ମଚାରୀ ଗଙ୍ଗାଧର ରାଉତ ପୋଲ ନିର୍ମାଣ ପାଇଁ ଆଗ୍ରହ ଦେଖାଦେଇଥିଲେ। ସେ ଅବସର ପରେ ଏକ କାର କିଣିବା ପାଇଁ ମନ ବଳାଇଥିଲେ। ହଠାତ ସେ ଚିନ୍ତା କରିଥିଲେ ଯେ କାର୍‌ଟିଏ କିଣିଲେ ସେ ନିଜେ କିମ୍ବା ସମ୍ପର୍କୀୟ କେହି କାରରେ ଯିବାଆସବା କରିବେ, କିନ୍ତୁ ଯଦି ପୋଲଟି ନିର୍ମାଣ କରନ୍ତି ତେବେ ଗାଁ ତଥା ଆଖପାଖର ହଜାର ହଜାର ଲୋକେ ସ୍ବଚ୍ଛନ୍ଦରେ ଆରପଟକୁ ଯାଇପାରିବେ। ଏହାପରେ ପୋଲ ନିର୍ମାଣ କରିବାକୁ ମନସ୍ଥ କରି ଗାଁ ଲୋକଙ୍କଠାରୁ ପରାମର୍ଶ ନେଇଥିଲେ। ଏଥିସହ କାମ ଆରମ୍ଭ କରିଥିଲେ। ଏବେ ସୁଦ୍ଧା ୭ଟି ସ୍ପାନ ପୋଲ ନିର୍ମାଣ ସରିଥିବାବେଳେ ଜୁନ ଶେଷ ସୁଦ୍ଧା ଆଉ ୫ଟି ସ୍ପାନ ନିର୍ମାଣ କରି ପୋଲକାମକୁ ସମ୍ପୂର୍ଣ୍ଣ କରିବା ପାଇଁ ଆଶା ରଖିଛନ୍ତି ଗଙ୍ଗାଧର। ସରକାରୀସ୍ତରରେ ତାଙ୍କର କିଛି ବକେୟା ଅର୍ଥ ପାଇବାର ଅଛି। ଯଦି ସରକାର ତୁରନ୍ତ ତାଙ୍କ ବକେୟା ପ୍ରାପ୍ୟ ପ୍ରଦାନ କରିଦିଅନ୍ତେ ତେବେ ଆହୁରି ଶୀଘ୍ର କାମ ସଂପୂର୍ଣ୍ଣ କରନ୍ତେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର