ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରରେ ଘଟିଛି ଅଭାବନୀୟ ଘଟଣା। ଗୁରୁବାର ସନ୍ଧ୍ୟାରେ ପେଟ୍ରୋଲ ଢାଳି ରେଢ଼ାଖୋଲ ଏନ୍ଏସିର ଜଣେ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ ହୋଇଛି। ସେ ହେଲେ ରଢ଼ାଖୋଲ ସହର ଖନ୍ଦାଢ଼ିପ ସାହିର ହରିହର ପୁରୋହିତ। ହରିହରଙ୍କ ଅଣ୍ଟା ଉପରୁ ମୁଣ୍ଡ ପର୍ଯ୍ୟନ୍ତ ପୋଡ଼ି ଯାଇଛି। ଏବେ ସେ ଗୁରୁତର ଅଛନ୍ତି। ତାଙ୍କୁ ବୁର୍ଲାରେ ହସ୍ପିଟାଲ୍ରେ ଚିକିତ୍ସା କରାଯାଉଥିବାବେଳେ ଏହି ଘଟଣାରେ ପୁଲିସ ସେହି ଗାଁର ଅଭିଯୁକ୍ତ ଅଜିତ ଷଣ୍ଢକୁ ଅଟକ ରଖି ପଚରାଉଚରା କରୁଛି।
ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟାରେ ଖନ୍ଦାଢିପସାହି ଛକରେ କୌଣସି କାରଣକୁ ନେଇ ସେହି ଗାଁର ରାଧେଶ୍ୟାମ ପ୍ରଧାନ ଓ ସଂଜିତ ଷଣ୍ଢଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିଲା। ସେହି ଛକ ନିଟରେ ହରିହର ପୁରୋହିତଙ୍କ ଘର। ଗଣ୍ଡଗୋଳ ସମୟରେ ହରିହର ସେଠାରେ ଠିଆ ହୋଇଥିଲେ। ଗଣ୍ଡଗୋଳ ଉଗ୍ର ରୂପ ନେବାକୁ ଯାଉଥିବା ଦେଖି ହରିହର ଉଭୟଙ୍କୁ ଏଥିରୁ ଦୂରେଇ ରହିବାକୁ ପରାମର୍ଶ ଦେବା ସହିତ ବୁଝାସୁଝା କରୁଥିଲେ। ମାତ୍ର ଏଥିରେ ଉତ୍ତ୍ୟକ୍ତ ହୋଇ ସଂଜିତ ଏକ ପେଟ୍ରୋଲ୍ ଜାର୍ରୁ ହରିହରଙ୍କ ଉପରକୁ ପେଟ୍ରୋଲ୍ ଛାଟିଥିଲା। ପରେ ନିକଟସ୍ଥ ଦୋକାନରୁ ଦିଆସିଲି ଆଣି କାଠି ହରିହରଙ୍କ ଉପରକୁ ଫିଙ୍ଗି ଦେଇଥିଲା। ଏଥିରେ ହରିହରଙ୍କ ଅଣ୍ଟାରୁ ମୁଣ୍ଡ ପର୍ଯ୍ୟନ୍ତ ଜଳି ଯାଇଛି। ସେ ପ୍ରାଣ ବିକଳରେ ଦେହରୁ ପୋଷାକ କାଢ଼ି ଫିଙ୍ଗିଦେବା ସହିତ ଘରକୁ ଦୌଡ଼ି ପଳାଇଥିଲେ। ଗୁରୁତର ଅବସ୍ଥାରେ ସେଠାରୁ ଉଦ୍ଧାର କରି ପ୍ରଥମେ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସଂଜିତକୁ ଧରି ପଚରାଉଚରା କରୁଛି। ଖବର ଲେଖାହେବା ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିବା ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/burn-n.jpg)