ମଦ ପିଇ ଶବଦାହ କରୁଥିଲେ ପୋଡ଼ିଗଲେ

ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ଓଡ଼ଗାଁ ଥାନା ବାହାଡ଼ାଝୋଲା ହରିଜନ ସାହିରେ ଶବଦାହ କରିବାକୁ ଯାଇ ଚାରିଜଣ ନିଆଁରେ ପୋଡ଼ି ହୋଇଯିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଗୁରୁତରମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବାହାଡ଼ାଝୋଲା ହରିଜନ ସାହିର ଶ୍ରୀଧର ନାୟକ ଜଣେ ସରକାରୀ କର୍ମଚାରୀ ଭାବେ ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦରେ କାର୍ଯ୍ୟ କରୁଥିଲେ। ତାଙ୍କର ଦୁଇଟି ଯାକ କିଡ଼୍‌ନି ଖରାପ ଥିବାରୁ ସେ ଭୁବନେଶ୍ୱରେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ତାଙ୍କର ଦେହାନ୍ତ ହୋଇ ଯାଇଥିଲା। ମୃତଦେହକୁ ନିଜ ବାସଭବନକୁ ଅଣାଯିବା ପରେ ଶବଦାହ କରିବାକୁ ଶ୍ମଶାନକୁ ନିଆଯାଇଥିଲା। ତେବେ ଶବଦାହ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୪ ଜଣ ମଦ୍ୟପାନ କରି ଦାହକ୍ରିୟା କରୁଥିବା ବେଳେ ସେହି ଶ୍ମଶାନ ନିଆଁରେ ପଡ଼ିଯାଇଥିଲେ। ନିଆଁରେ ପୋଡ଼ିଯିବା ପରେ କାର୍ତ୍ତିକ ନାୟକ, ଗଣେଶ ନାୟକ, ମୋଚିଆ ନାୟକ ଏବଂ ଅରୁଣ ନାୟକଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ କାର୍ତ୍ତିକ ନାୟକ ଏବଂ ଗଣେଶ ନାୟକଙ୍କୁ ଭୁବନେଶ୍ୱରର ଏକ ଘରୋଇ ହାସପାତାଳକୁ ପଠାଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର