ଦଶପଲ୍ଲା : ଗର୍ଭବତୀ ଓ ରୋଗୀଙ୍କୁ ହସ୍ପିଟାଲକୁ ନେବା ପାଇଁ ସରକାରଙ୍କ ପକ୍ଷରୁ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଛି। କିନ୍ତୁ ବହୁ ସମୟରେ ଆମ୍ବୁଲାନ୍ସ ପହଞ୍ଚୁ ନଥିବାରୁ ରୋଗୀ ସଂକଟରେ ପଡ଼ୁଛନ୍ତି। ଦଶପଲ୍ଲାରେ ଏହି ଭଳି ଏକ ଘଟଣା ନଜରକୁ ଆସିଛି। ୧୦୮ ଆମ୍ବୁଲାନ୍ସ ନପହଁଚିବାରୁ ଜଣେ ପୁଅ ତାଙ୍କ ବାପାଙ୍କୁ ଏକ ଟ୍ରଲି ସାହାଯ୍ୟରେ ତିନି କିମି ଦୂର ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମିଳିଥିବା ସୂଚନାରୁ ଜଣାପଡ଼ିଛି, ଦଶପଲ୍ଲା ଏନ୍ଏସି ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ପାଟଣା ଗ୍ରାମର ମୂଷା ନାହାକ (୬୦) ଆଜି ସକାଳୁ ବିଲକୁ କାମ କରିବା ପାଇଁ ଯାଇଥିଲେ । କାମ କରିବା ସମୟରେ ସେ ବିଲରେ ଅସୁସ୍ଥ ହୋଇ ପଡ଼ି ରହିଥିଲେ। କିଛି ଲୋକ ଏହା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବରପାଇ ପରିବାର ଲୋକ ଘଟଣା ସ୍ଥଳରେ ପହଁଚି ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ମାତ୍ର ଆମ୍ବୁଲାନ୍ସ ପହଁଚିବାରେ ବିଳମ୍ବ ହେବାରୁ ବାଧ୍ୟ ହୋଇ ପୁଅ ସୁଶାନ୍ତ ଏକ ଟ୍ରଲିରେ ବାପାଙ୍କୁୁ ଧରି ପ୍ରଥମେ ନିଜ ଘର ନିକଟକୁ ଆଣିଥିଲେ । ଘର ନିକଟରେ ମଧ୍ୟ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରାଯାଇ ଥିଲା। କିନ୍ତୁ ଗାଡି ପହଁଚିବାରେ ବିଳମ୍ବ ହେବାରୁ ବାଧ୍ୟ ହୋଇ ସୁଶାନ୍ତ ସଂପର୍କିୟମାନଙ୍କ ସହିତ ସେହି ଟ୍ରଲିରେ ବାପାଙ୍କୁ ଧରି ସ୍ୱାସ୍ଥ୍ୟକେନ୍ଦ୍ର ଯାଇଥିଲେ । ଦଶପଲ୍ଲାର ଜନ ଗହଳିପୂର୍ଣ୍ଣ ରାସ୍ତାରେ ଏଭଳି ଦୟନୀୟ ଅବସ୍ଥାରେ ରୋଗୀ ବୁହାଯିବା ଘଟଣା ସମସ୍ତଙ୍କୁ ଚକିତ କରିଥିଲା।
ଆସିଲାନି ଆମ୍ବୁଲାନ୍ସ, ଟ୍ରଲିରେ ବାପାଙ୍କୁ ନେଲା ପୁଅ
/sambad/media/post_attachments/wp-content/uploads/2017/12/dasapalla-ambulance-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)