ଶ୍ରୀମନ୍ଦିର ନୀଳଚକ୍ର ପର୍ଯ୍ୟନ୍ତ ଚଢ଼ିଗଲେ ପୂଜକ, ପୁଲିସର ଅନୁରୋଧ କ୍ରମେ ଓହ୍ଲାଇଲେ

ପୁରୀ: ବିନା କୌଣସି କାରଣରେ ମୋବାଇଲ ଟାୱାରକୁ ଚଢ଼ି ଆତ୍ମହତ୍ୟାର ନାଟକ କରିବା ଅଥବା ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ସମସ୍ତେ ଜାଣିଛନ୍ତି। ଗଣମାଧ୍ୟମର ରିପୋର୍ଟରୁ ଏହିଭଳି ଅଭାବନୀୟ ଘଟଣା ସଂପର୍କରେ ଅତୀତରେ ଅନେକ ଅବଗତ ହୋଇଛନ୍ତି। କିନ୍ତୁ ପୁରୀ ଶ୍ରୀମନ୍ଦିରର ନୀଳଚକ୍ର ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଚଢ଼ିବା ସମଗ୍ର ଜଗନ୍ନାଥପ୍ରେମୀଙ୍କୁ ବିସ୍ମିତ କରୁଛି। ସ୍ପଷ୍ଟ ଦିବାଲୋକରେ ଶ୍ରୀମନ୍ଦିରରେ ଆଜି ଅପରାହ୍ନରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ନୀଳଚକ୍ର ପର୍ଯ୍ୟନ୍ତ ଚଢ଼ିଥିବା ବ୍ୟକ୍ତି ଜଣକ ହେଲେ ଅଗ୍ନିଶ୍ବର ମହାଦେବଙ୍କ ପୂଜକ ଚନ୍ଦ୍ରଶେଖର ପଣ୍ଡା।

ସୂଚନା ଅନୁସାରେ ଆଜି ଅପରାହ୍ନରେ ଅଗ୍ନିଶ୍ବର ମହାଦେବଙ୍କ ପୂଜକ ଚନ୍ଦ୍ରଶେଖର ପଣ୍ଡା ଶ୍ରୀମନ୍ଦିରର ନୀଳଚକ୍ର ବାନା ଲାଗୁଥିବା ସ୍ଥାନ ପର୍ଯ୍ୟନ୍ତ ଚଢି ଯାଇଥିଲେ। ସେଠାରେ ସେ ବୁଲାବୁଲି କରୁଥିବା ଅନ୍ୟ ‌ସେବାୟତମାନେ ଦେଖିବାକୁ ପାଇଲେଥିଲେ। ଏବାବଦରେ ପୁଲିସକୁ ସୂଚନା ଦିଆଯାଇଥିଲା। ପୂଜକଙ୍କୁ ଓହ୍ଲାଇବା ପାଇଁ ପୁଲିସ ଓ ଜେଟିପି ବାରମ୍ଵାର କହିଥିଲେ। କିନ୍ତୁ ଚନ୍ଦ୍ରଶେଖର ପ୍ରଥମେ କାହାରି କଥା ଶୁଣି ନ ଥିଲେ। ଶେଷରେ ସେ ନୀଳଚକ୍ର ଠାରୁ ଓହ୍ଲାଇ ଥିଲେ। ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ ଚନ୍ଦ୍ରଶେଖର ଦକ୍ଷିଣଘର ଛାତ ଦେଇ ମୁକ୍ତିମଣ୍ଡପ ସାମ୍ନାରେ ଓହ୍ଲାଇଥିଲେ। ତେବେ ସେ କେଉଁ ଉଦ୍ଦେଶ୍ୟ ନେଇ ନୀଳଚକ୍ର ପର୍ଯ୍ୟନ୍ତ ଚଢ଼ି ଯାଇଥିଲେ, ସେ ବାବଦରେ ଜଣାପଡ଼ି ନାହିଁ। ସିଂହଦ୍ୱାର ଥାନା ପୁଲିସ ଚନ୍ଦ୍ରଶେଖରଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର