୯ ଦିନ ପୂର୍ବରୁ କୋର୍ଟରେ ହୋଇଥିଲା ବିବାହ, ଆତ୍ମହତ୍ୟା କଲେ ଯୁବକ

ମାଲକାନଗିରି: ଏମଭି-୯ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଝିଅ ଘର ଜିଦ ଯୋଗୁଁ ଚାଲିଗଲା ଜଣେ ଯୁବକର ଅକାଳରେ ଜୀବନ। ଗତ ୯ ଦିନ ତଳେ କୋର୍ଟରେ ବିବାହ, ଆଉ ୯ ଦିନ ନପୁରୁଣୁ ଯୁବକର ଆତ୍ମହତ୍ୟା। ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଏମଭି-୯ ଗ୍ରାମରେ। ଜଣେ ବଙ୍ଗୀୟ ଯୁବକ ସଂଜୀବ ହାଲଦର ବାଇଲାପରି ଗ୍ରାମର ଆଦିବାସୀ ଝିଅ ସାବିତ୍ରୀ ପୋଡ଼ିଆମୀକୁ କୋର୍ଟରେ ବିବାହ କରି ଘରକୁ ଆଣିଥିଲେ। ଦୁଇଦିନ ପରେ ସବିତ୍ରୀଙ୍କ ପରିବାର ଲୋକ ଆସି ଝିଅର ମା’ଙ୍କ ଦେହ ଖରାପ କହି ଝିଅକୁ ଘରକୁ ନେଇଯାଇଥିଲେ। ଗୋଟିଏ ଦିନ ପରେ ଛାଡିବାର ପ୍ରତିଶ୍ରୁତି ଦେଇ ଆଉ ଛାଡିନଥିଲେ। ପୁଅ ଘର ବାରମ୍ବାର ଝିଅ ଘରକୁ ଗଲେ ମଧ୍ୟ ବିଭିନ୍ନ ବାହାନା କରି ଝିଅକୁ ଛଡୁନଥିଲେ। ଶେଷରେ ଏହା ସମାଧାନ ପାଇଁ କିଛି ଭଦ୍ରବ୍ୟକ୍ତିଙ୍କୁ ନେଇ ଅପୋଷ ବୁଝାମଣା ପାଇଁ ଚେଷ୍ଟା କରାଯାଇଥିଲା।

ତେବେ ଆଗାମୀ ଦିନରେ ଆଦିବାସୀ ସମ୍ପ୍ରଦାୟର ରୀତିନୀତି ଅନୁସାରେ ଜୋରିମାନା ଦେବା ପରେ ଯାଇ ଝିଅକୁ ଛାଡିବା କଥା ଝିଅ ଘର ଲୋକେ କହିଥିଲେ। କାରଣ ପୁଅ ବଙ୍ଗୀୟ ସଂପ୍ରଦାୟର ହୋଇଥିବା ବେଳେ ଝିଅ ଆଦିବାସୀ ସଂପ୍ରଦାୟର। ଝିଅକୁ ପରିବାର ଲୋକେ ଅତ୍ୟାଚାର କରୁଥିବା ପୁଅର ଭାଇ ଅଭିଯୋଗ କରିଛି। ଝିଅ ଆସିବାକୁ ରାଜି ଥିଲେ ମଧ୍ୟ ତାର ପରିବାର ଲୋକେ ତାକୁ ଛାଡିନଥିଲେ। ବହୁ ବୁଝାସୁଝା କରିବା ପରେ ମଧ୍ୟ ଝିଅ ଘର ଲୋକେ ଜିଦରେ ଅଟଳ ରହିଥିଲେ। ପୁଅ ଏଥିରେ ହତାଶ ହୋଇପଡିଥିଲା। ସାବିତ୍ରୀକୁ ପୁଅ ସଂଜୀବ ବହୁତ ଭଲ ପାଉଥିଲା। ଆଦିବାସୀ ସଂପ୍ରଦାୟରେ ବହୁ ରୀତିନୀତି ରହୁଥିବା ବେଳେ ହୁଏତ ଏହି ବିବାହକୁ ସେମାନେ ସ୍ବୀକୃତି ଦେଉନଥିଲେ। ତେଣୁ ଝିଅକୁ ଗ୍ରାମବାସୀ କିମ୍ବା ଭଦ୍ରବ୍ୟକ୍ତିଙ୍କ ଅନୁରୋଧରେ ମଧ୍ୟ ଛାଡିନଥଇଲେ। ସାବିତ୍ରୀକୁ ଆଉ ଆଉ ପାଇବେ ନାହିଁ ଭାବି ହଠାତ ପୁଅ ସଂଜୀବ ଗତକାଲି ରାତିରେ ବିଷ ପିଇ ଦେଇଥିଲେ। ପରିବାର ଲୋକେ ତୁରନ୍ତ ମାଲକାନଗିରି ମେଡ଼ିକାଲ ଆଣିଥିଲେ। ମେଡିକାଲରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ। ଜାତିଗତ ସମସ୍ୟା ହେଉ ବା ଅନ୍ଧବିଶ୍ୱାସ ହେଉ, ପରିବାରର ଜିଦ ଯୋଗୁଁ ଆଜି ଅକାଳରେ ଚାଲିଗଲା ଗୋଟିଏ ନିରୀହ ଜୀବନ। ଏନେଇ ମାଲକାନଗିରି ପୁଲିସ ପହଞ୍ଚି ଶବକୁ ଜବତ କରିବା ପରେ ବ୍ୟବଛେଦ କରାଇଛି। ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ।

 

ସମ୍ବନ୍ଧିତ ଖବର