ସ୍ତ୍ରୀ, ଝିଅକୁ ହତ୍ୟା ପରେ ଆତ୍ମହତ୍ୟା ଘଟଣା : କାର୍ ପାଇଁ ସ୍ତ୍ରୀ, କୁନିଝିଅକୁ ହତ୍ୟା କରିଥିଲେ ସକ୍ରଜିତ
ପତ୍ନୀର ବେକ କାଟି ଓ ଝିଅକୁ ପାଣିରେ ବୁଡ଼ାଇ ମାରିଥିଲେ, ଏକାଠି ଜଳିଲା ମା-ଝିଅଙ୍କ ଶବ
ରାଉରକେଲା : ମାତ୍ର ୨ ବର୍ଷ ସାତ ମାସ ତଳେ ହୋଇଥିଲା ବିବାହ। ପାଖରେ ଦେଢ଼ ବର୍ଷର କୁନି ଝିଅ। ସ୍ବାମୀ ଉଚ୍ଚ ଦରମାପ୍ରାପ୍ତ ସରକାରୀ କର୍ମଚାରୀ ହୋଇଥିବାବେଳେ ପତ୍ନୀ ମଧ୍ୟ ଉଚ୍ଚଶିକ୍ଷିତା। ତେବେ ଅଧିକ ଯୌତୁକ ଦାବି କାରଣରୁ ଉଭୟଙ୍କ ଭିତରେ ବିଭିନ୍ନ ସମୟରେ ହେଲା ମତାନ୍ତର ହେଉଥିଲା। ମତାନ୍ତରରୁ ମନାନ୍ତର ଓ କଳହ। ସ୍ବାମୀର ଦାବି ଥିଲା ଏକ କାର୍। ଶ୍ବଶୁର ଘର ପରିବାର ଭବିଷ୍ୟତରେ କାର୍ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, ମାତ୍ର ବିଳମ୍ବ ହେବାରୁ ସ୍ତ୍ରୀ ସହ ସ୍ବାମୀର କଳହ ସୀମା ଟପିଥିଲା। ଶେଷରେ ସ୍ତ୍ରୀକୁ ସବୁଦିନ ପାଇଁ ଦୂରେଇ ଦେବାଲାଗି ସ୍ବାମୀ କରିଥିଲା ଯୋଜନା। ଆଉ ଯୋଜନା ମୁତାବକ ପ୍ରଥମେ ସ୍ତ୍ରୀର ମୁଣ୍ଡକୁ ତାୱାରେ ପିଟି, ପରେ ଛୁରିରେ ବେକ କାଟି ଦେଇଥିଲା ସ୍ବାମୀ। ସ୍ତ୍ରୀକୁ ନୃଶଂସ ହତ୍ୟାପରେ ମଧ୍ୟ ସ୍ବାମୀ ମୁଣ୍ଡ ଭିତରର ରାକ୍ଷସ ସନ୍ତୁଷ୍ଟ ହୋଇ ନ ଥିଲା। ତା’ପରେ ସେ ଦୁନିଆ ବିଷୟରେ କିଛି ଜାଣିନଥିବା ଦେଢ଼ବର୍ଷର କଅଁଳ ଝିଅକୁ ପାଣି ଟବ୍ରେ ବୁଡ଼ାଇ ହତ୍ୟା କରିଥିଲା। ତେବେ ସ୍ତ୍ରୀ ଓ ଝିଅକୁ ହତ୍ୟା କଲାପରେ ସମ୍ଭବତଃ ପଶ୍ଚାତାପ ଆସିଥିଲା ସ୍ବାମୀ ମନରେ। ଏଣୁ ଟ୍ରେନ୍ ଆଗକୁ ଡେଇଁ ନିଜକୁ ହତ୍ୟା କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏହା କୌଣସି ଫିଲ୍ମର ହିଂସାତ୍ମକ ଦୃଶ୍ୟ ନୁହେଁ, ରାଉରକେଲାର ସକ୍ରଜିତଙ୍କ ଡବଲ ମର୍ଡର ପରେ ଆତ୍ମହତ୍ୟା ଘଟଣା ପଛର ସତ। ଗତକାଲି ରାତିରେ ବେଦବ୍ୟାସରେ ସକ୍ରଜିତଙ୍କ ଶବ ସତ୍କାର କରାଯାଇଥିବାବେଳେ ଆଜି ପୂର୍ବାହ୍ନରେ ପୁରୀ ସ୍ବର୍ଗଦ୍ବାରରେ ପତ୍ନୀ ଓ ଝିଅଙ୍କ ଶବ ସତ୍କାର କରାଯାଇଛି।
ରାଉରକେଲା ସେକ୍ଟର-୧, ସି-୧୧୨ରେ ମୂଳବାସିନ୍ଦା ସକ୍ରଜିତ ଭଞ୍ଜ (୩୪) ବିଶାଖାପାଟଣାରେ ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆ (ଏଫ୍ସିଆଇ)ରେ ଡେପୁଟି ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ। ସକ୍ରଜିତ ୨୦୧୭ ଜାନୁଆରି ୨୫ ତାରିଖରେ ଭୁବନେଶ୍ବର ଖଣ୍ଡଗିରି ଥାନ୍ତ ଅଞ୍ଚଳରେ ରହୁଥିବା ସୁଖଲତା ଧଳସାମନ୍ତଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟ ବିଶାଖାପାଟଣାରେ ରହୁଥିବା ସମୟରେ ଝିଅ ଏଲିନା ଜନ୍ମ ହୋଇଥିଲା। ସେମାନେ ଗତ ପ୍ରାୟ ବର୍ଷେ ହେଲା ବିଶାଖାପାଟଣା ପିଏପ୍ ପାଲେମ ଥାନା ଅନ୍ତର୍ଗତ ଜାହ୍ନବୀ ଏନ୍କ୍ଲେଭ କ୍ବାର୍ଟର ନଂ -୧୦୧ରେ ରହୁଥିଲେ। ବିଶାଖାପାଟଣା ପୁଲିସର ସୂଚନା ଅନୁସାରେ, ସକ୍ରଜିତ ଯୌତୁକ ଦାବି କରି ତାଙ୍କ ଝିଅ ଓ ନାତୁଣୀଙ୍କୁ ନିର୍ମମ ହତ୍ୟା କରିଥିବା ନେଇ ସୁଖଲତାଙ୍କ ବାପା ପିଏମ୍ ପାଲେମ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ସୁଖଲତାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ, ସକ୍ରଜିତ ଓ ସୁଖଲତାଙ୍କ ବିବାହ ସମୟରେ ବହୁ ଯୌତୁକ ସହ ନଗଦ ୪ ଲକ୍ଷ ଟଙ୍କା ଦିଆଯାଇଥିଲା। କିନ୍ତୁ ଏଥିରେ ସକ୍ରଜିତଙ୍କ ମନ ମାନି ନ ଥିଲା। ଏକ କାର୍ ଦେବାକୁ ସେ ସବୁବେଳେ ପତ୍ନୀ ଉପରେ ଚାପ ପକାଉଥିଲେ। ଏ ନେଇ ଉଭୟଙ୍କ ମଧ୍ୟରେ ପ୍ରତ୍ୟହ କଳହ ଲାଗି ରହୁଥିଲା। ତେବେ ନିର୍ଦ୍ଦିଷ୍ଟ କେଉଁ ଦିନ ହତ୍ୟାକାଣ୍ଡ ଘଟିଛି ସେନେଇ ତଦନ୍ତ ଜାରି ରହିଥିବା ପୁଲିସ କହିଛି। ସକ୍ରଜିତ ପ୍ରଥମେ ତାୱାରେ ସୁଖଲତାଙ୍କ ମୁଣ୍ଡରେ ମାଡ଼ ମାରିଛନ୍ତି। ଏହାପରେ ଘରେ ଥିବା ଛୁରିରେ ତାଙ୍କ ବେକକୁ କାଟିଦେଇଥିଲେ। ପତ୍ନୀଙ୍କୁ ହତ୍ୟା କଲାପରେ ସେ ଝିଅକୁ ମଧ୍ୟ ମୁହଁରେ ମାଡ଼ ମାରିଛନ୍ତି ଏବଂ ପରେ ତା’କୁ ବାଥ୍ରୁମ୍ରେ ଥିବା ପାଣି ଭର୍ତ୍ତି ଟବ୍ରେ ବୁଡ଼ାଇ ହତ୍ୟା କରିଛନ୍ତି। ପତ୍ନୀ ଓ ଝିଅକୁ ହତ୍ୟା କଲାପରେ ଘର ବାହାରପଟୁ ତାଲା ଦେଇ ଫେରାର ହୋଇଯାଇଥିଲେ। ସକ୍ରଜିତ ରାଉରକେଲା ଅଭିମୁଖେ ଗତ ୨୧ ତାରିଖରେ ବାହାରିଥିଲେ। ତେବେ ଘରକୁ ଯିବା ପୂର୍ବରୁ ବାମରା ରେଳ ଷ୍ଟେସନ୍ରେ ଓହ୍ଲାଇ ପଡ଼ିଥିଲେ। ସେଠାରୁ ଚାଲି ଚାଲି ଯାଇ ପ୍ରାୟ ଅଧ କି.ମି. ଦୂର ଟାଙ୍ଗରମୁଣ୍ଡାଠାରେ ହାଟିଆ-ଏଲ୍ଟିଟିଇ ଲୋକମାନ୍ୟ ତିଲକ ଏକ୍ସପ୍ରେସ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିବାର କେଇ ସେକେଣ୍ଡ୍ ପୂର୍ବରୁ ସକ୍ରଜିତ ନିଜ ମା’ଙ୍କୁ ଫୋନ କରି ପତ୍ନୀ ଓ ଝିଅକୁ ହତ୍ୟା କରିଥିବା ଏବଂ ନିଜେ ଟ୍ରେନ୍କୁ ଡେଇଁ ଆତ୍ମହତ୍ୟା କରୁଥିବା ସ୍ବୀକାର କରିଥିଲେ। ତେବେ ତାଙ୍କ ମା’ କିଛି କହିବାପୂର୍ବରୁ ସେ ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିଲେ ବୋଲି ପୁଲିସ ସୂଚନାରୁ ପ୍ରକାଶ।
ଏ ନେଇ ପରିବାର ସଦସ୍ୟ ବିଶାଖାପାଟଣା ପୁଲିସ ସହ ଯୋଗାଯୋଗ କରିବା ପରେ ପୁଲିସ ୨୧ ତାରିଖ ସଂଧ୍ୟାରେ ହିଁ ଘଟଣାସ୍ଥଳରେ ପହଞ୍ଚିଥିଲା। ବାହାରପଟୁ ବନ୍ଦ ଥିବାରୁ କ୍ବାର୍ଟରର ତାଲା ଭାଙ୍ଗି ଭିତରେ ପଶିବାରୁ ସୁଖଲତାଙ୍କ ମୃତ ଦେହ ବେଡ୍ରୁମ୍ରେ ଓ ଝିଅର ମୃତ ଦେହ ବାଥ୍ରୁମ୍ ଟବ୍ରେ ପଡ଼ିଥିବା ଆବିଷ୍କାର କରା ଯାଇଥିଲା। ଉଭୟ ଶବକୁ ସେଠାକାର ପୁଲିସ ଉଦ୍ଧାର କରି କିଙ୍ଗ୍ ଜର୍ଜ ହସପିଟାଲ ମର୍ଗ ହାଉସ୍ରେ ରଖିଥିଲା। ଗତ ୨୨ ତାରିଖରେ ସକ୍ରଜିତଙ୍କ ବାପା ପ୍ରତାପ ଚନ୍ଦ୍ର ଭଞ୍ଜ ଓ ସୁଖଲତାଙ୍କ ବାପା ବିଶାଖାପାଟଣାରେ ପହଞ୍ଚିଥିଲେ। ଆଜି ସୁଖଲତା ଓ ଏଲିନାଙ୍କ ଶବକୁ ଭୁବନେଶ୍ବର ସ୍ଥିତ ସୁଖଲତାଙ୍କ ପୈତୃକ ବାସଭବନକୁ ଅଣାଯିବାପରେ ପୁରୀରେ ଅନ୍ତିମ ସଂସ୍କାର କରାଯାଇଛି। ଅପରପକ୍ଷରେ ସକ୍ରଜିତଙ୍କ ଶବ ବ୍ୟବଚ୍ଛେଦ ପରେ ଗତ ରବିବାର ସଂଧ୍ୟାରେ ରାଉରକେଲାର ବେଦବ୍ୟାସ ଘାଟରେ ଶବ ସତ୍କାର କରାଯାଇଛି। ପିଏମ୍ ପାଲେମ ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।