ସୁନ୍ଦରଗଡ଼: ମଣିଷ ଜୀବନ ପାଇଁ ଗଛର ମୂଲ୍ୟ କେତେ ! ତାର ହିସାବ ଉଗ୍ର ଆଧୁନିକତାର ଜାଲରେ ଛନ୍ଦି ହୋଇଥିବା ଅନେକ ସହରୀ ମଣିଷ ରଖନ୍ତି ନାହିଁ। କିନ୍ତୁ ପ୍ରକୃତି କୋଳରେ ବଢ଼ିଥିବା ଗାଁ ମଣିଷ ସୁବାସ କୁମାରର ସାଙ୍କ ପାଇଁ ଗଛ ଅମୂଲ ମୂଲ। ସେଥିପାଇଁ ତ ସେ ଗଛକୁ ଜୀବନ ଭରି ଭଲ ପାଆନ୍ତି। ୨୦ ବର୍ଷ ହେଲା ଲଗାଇ ଚାଲିଛନ୍ତି ଗଛ। ନିଜ ପୈତୃକ ଜମିରେ ଶାଳ, ପିଆଶାଳ, ମହୁଲ, ଚାର ପରି ମୂଲ୍ୟବାନ ଗଛ ଲଗାଇ ତିଆରି କରିଛନ୍ତି ୨ ଏକରର ଜଙ୍ଗଲ। ଯାହାକୁ ତାଙ୍କ ପ୍ରେମର ସନ୍ତକ ବୋଲି କୁହାଯାଇପାରେ। ଗଛ ମଣିଷ ଭାବେ ପରିଚିତ ୩୮ ବର୍ଷିୟ ଯୁବକ ସୁବାସଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ୍ ତିନିକୁଡ଼ା ଗାଁ। ପିଲାଦିନେ ତାଙ୍କ କାନରେ ଜଙ୍ଗଲ ସୁରକ୍ଷା କଥା ପଡ଼ିଥିଲା।

Advertisment

୧୯୮୬ରେ ତିନିକୁଡ଼ା ଗାଁରେ ଜଙ୍ଗଲ ସୁରକ୍ଷା ପାଇଁ ଗଠନ ହେଲା ବନ ସୁରକ୍ଷା ସମିତି। ସୁବାସଙ୍କ ବାପା ଗଜାଧର ସାଙ୍କ ନେତୃତ୍ବରେ ବନୀକରଣ ଓ ଜଙ୍ଗଲ ସୁରକ୍ଷା ଏକ ଆନ୍ଦୋଳନର ରୂପ ନେଇଥିଲା। ବାପାଙ୍କ ପଛେ ପଛେ ଚାଷ ଜମି ବା ଜଙ୍ଗଲ ସୁରକ୍ଷା ସଚେତନତା ସଭାକୁ ଗଲା ବେଳେ ସେ ବାବୁମାନଙ୍କ ମୁହଁରୁ ଗଛର ଉପକାରିତା କଥା ଶୁଣୁଥିଲେ। ରାତିରେ ଶୋଇଲା ବେଳେ ତାଙ୍କ ନିଷ୍ପାପ ମନକୁ ଗଛ କଥା ଆସୁଥିଲା। ଗଛ କେମିତି ନିରବରେ ଲୋକଙ୍କୁ ଜୀବନ ଓ ଜୀବିକା ଦେଇ ଚାଲିଛି, ସେ କଥା ତାଙ୍କୁ ଭାବବିହ୍ବଳ କରି ଦେଉଥିଲା। ବହିବସ୍ତାନୀ ଧରି ସ୍କୁଲ ଯିବା ବାଟରେ ଥିବା ବିଶାଳକାୟ ଗଛ ଓ ତା’ ଡାଳରେ କିଚିରିମିଚିରି କରି ଉଡ଼ି ବୁଲୁଥିବା ଚଢ଼େଇକୁ ଦେଖି ସେ ଖୁସି ହେଉଥିଲେ। ଧିରେ ଧିରେ ସେ ଗଛ ପ୍ରେମରେ ପଡ଼ିଗଲେ।

publive-image

ନବମ ପଢ଼ିବା ପରେ ତାଙ୍କ ପାଠରେ ଡୋରି ପଡ଼ିଥିଲା। ସେ ଘରେ ରହି ଚାଷ କାମରେ ମନ ଦେଲେ। ଏହା ଛଡ଼ା ପେଟ ପାଇଁ ଦିନ ମଜୁରି କଲେ। କିନ୍ତୁ ଭୁଲି ନଥିଲେ ଗଛ ଓ ଜଙ୍ଗଲ କଥା। ଖାଲି ଜାଗା ଦେଖିଲେ ଗଛ ଲଗାଇବା ଓ ତାର ଯତ୍ନ ନେବା ସୁବାସଙ୍କ ନିଶା ପାଲଟି ଯାଇଥିଲା। ଜଙ୍ଗଲ ସୁରକ୍ଷା ସମିତିର ସକ୍ରିୟ ସଦସ୍ୟ ଥିବା ଏହି ଯୁବକ ୨୦ ବର୍ଷ ମଧ୍ୟରେ ନିଜ ହାତରେ ୨ ଏକର ପୈତୃକ ଜମିରେ ଏକ ହଜାର ଶାଳ, ପିଆଶାଳ, ମହୁଲ ଗଛର ଏକ ଜଙ୍ଗଲ ତିଆରି କରିଦେଲେ। ବାପାମା’ ଶିଶୁଟିର ଯତ୍ନ ନେବା ଭଳି ସେ ଗଛର ଯତ୍ନ ନିଅନ୍ତି। ନିଜ ହାତରେ ତିଆରି କରିଥିବା ଜଙ୍ଗଲ ହେଉଛି ତାଙ୍କ ଘର ଓ ଗଛଗୁଡ଼ିକ ପରିବାରର ଜଣେ ଜଣେ ସଦସ୍ୟ ବୋଲି କହନ୍ତି ସୁବାସ। ସୁବାସଙ୍କୁ ଗଛର ଉପକାରିତା କଥା ପଚାରିଲେ କହନ୍ତି, ‘ଗଛ ହେଉଛି ଜୀବଜଗତର ଜୀବନ ନାଟିକା’। ଗଛର ମୂଲ୍ୟ କେତେ, ଗାଁ ମଣିଷ ସୁବାସଙ୍କ ଏ ଧାଡ଼ିଏ ସରଳ ଉତ୍ତର ନିରୂପଣ କରି ଦେଉଥିଲା।