ପ୍ରଭୁ ଜଗନ୍ନାଥଙ୍କୁ ଫୁଲ, ତୁଳସୀ ଦେବେ ବୋଲି ସବୁଦିନ ସାଇକଲ୍‌ରେ ୧୫୦ କିମି ପୁରୀ ଯାତ୍ରା

କଟକ : ଯେତେ ବିପର୍ଯ୍ୟୟ ଆସୁ, ହାତଗୋଡ଼ ଚଳୁଥିବା ଯାଏ ଜଗାକୁ ନେଇ ଫୁଲ, ତୁଳସୀ ଚଢାଉଥିବି। ଫନି ହାର ମାନିଥିଲା ଏବେ ‌କରୋନା ବି ରୋକି ପାରିନି। ପ୍ରତ୍ୟେକ ଦିନ ବାଙ୍କୀରୁ ଫୁଲ, ତୁଳସୀ ନେଇ ପୁରୀ ଯାଉଥିବା ଏବଂ ସେଠାରୁ ଦର୍ଶନ ପରେ ମହାପ୍ରସାଦ ନେଇ ଗାଁକୁ ଫେରୁଥିବା ରତ୍ନାକର ବେହେରା (ଗୁନ ବାବା)ଙ୍କର ଇଏ ହେଉଛି ବର୍ତ୍ତମାନର ଜୀବନଚର୍ଯ୍ୟା। ସେ ଆଣିଥିବା ମହାପ୍ରସାଦ ଟିକକ ପାଇବା ପାଇଁ ଅପେକ୍ଷା କରି ରହୁଛନ୍ତି ଗାଁର ଜଗନ୍ନାଥପ୍ରେମୀ।

ଦୀର୍ଘ ୩୧ବର୍ଷ ହେଲା ଏମିତି ଚାଲିଛି। କଟକ ଜିଲ୍ଲା ବାଙ୍କୀ ବ୍ଲକ୍‌ ଅନ୍ତର୍ଗତ ବେଦପୁର ଗାଁର ଗୁନ ବାବା ଏବେ କରୋନା ଲକ୍‌ଡାଉନ୍‌ ପାଇଁ ସା‌ଇକେଲରେ ପୁରୀ ଯାଉଛନ୍ତି। ରାତି ୩ଟାରୁ ସାଇକଲରେ ପୁରୀ ବାହାରୁ ଥିବାବେଳେ ସେଠି ସକାଳ ୫ଟା ବେଳକୁ ପହଞ୍ଚି ଯାଉଛନ୍ତି। ଗୁନ ବାବାଙ୍କୁ ଏବେ ୫୭ ବର୍ଷ। ତାଙ୍କୁ ଯେତେବେଳେ ୨୬ବର୍ଷ ହୋଇଥିଲା ସେହିଦିନଠାରୁ ସେ ନିୟମିତ ତୁଳସୀ, ଫୁଲ ହାର ନେଇ ଯାଉଛନ୍ତି ପୁରୀ। ‌ପୂର୍ବରୁ ସବୁଦିନ ସଂଧ୍ୟା ୬ଟା ବେଳକୁ ସେ ପୁରୀରେ ପହଞ୍ଚନ୍ତି। ତାଙ୍କ ହାତ ତିଆରି ମାଳ ଜଗନ୍ନାଥଙ୍କ ବଡସିଂହାର ବେଶରେ ଲାଗି ପାଇଁ ଦିଅନ୍ତି। ଜଗନ୍ନାଥଙ୍କ ଦର୍ଶନ ପରେ ପୁରୀରୁ ବିଡିଆ ପାନ ଓ ବିରିପିଠା ନେଇ ଫେରନ୍ତି ବାଙ୍କୀ ଚର୍ଚ୍ଚିକା ମନ୍ଦିରକୁ। ତାହାକୁ ମା’ଙ୍କୁ ଅର୍ପଣ କରନ୍ତି। ଏହା ଥିଲା ତାଙ୍କର ନିତିଦିନିଆ ଜଗନ୍ନାଥ ସେବା। ହେଲେ ଏବେ କରୋନା ପାଇଁ ସ୍ଥିତି ବଦଳି ଯାଇଛି। ମନ୍ଦିର ବନ୍ଦ ଯୋଗୁଁ ରାତି ୩ଟାରୁ ଉଠି ସାଇକଲ ଧରି ଯାଉଛନ୍ତି ଫୁଲ, ତୁଳସୀ ମାଳ ନେଇ ପୁରୀ। ସେଠାରେ ଦିନତମାମ ରହିବା ସହ ସଂଧ୍ୟାରେ ମହାପ୍ରସାଦ ଧରି ଗାଁକୁ ଫେରୁଛନ୍ତି। ଫନି ସମୟରେ ବି ସେ ଏଭଳି କାର୍ଯ୍ୟରୁ ବିରତ ହୋଇ ନଥିଲେ। ସବୁଦିନ ସାଇକେଲରେ ବେଦପୁରରୁ ପୁରୀ ୧୫୦କିଲୋମିଟର ଯାଇ ଜଗନ୍ନାଥ ଦର୍ଶନ ସହ ଫୁଲ, ତୁଳସୀ ମାଳ ଚଢାଉଥିଲେ ଗୁନ ବାବା। ତାଙ୍କ ଏଭଳି କାର୍ଯ୍ୟ ପଛରେ ରହିଛି ଏକ କାହାଣୀ।

ତାଙ୍କ କହିବା ଅନୁଯାୟୀ, ଥରେ ସେ ଗାଁ ପିଣ୍ଡାରେ ବସିଥାନ୍ତି। ହଠାତ୍‌ ତାଙ୍କର ଜଣେ ସଂପର୍କୀୟ କହିଲେ ଯେ ପୁରୀ ମାର୍କଣ୍ଡ ସାହିରେ ଏକ ନିର୍ବନ୍ଧ ଅଛି, ବସ୍‌ରେ ଯିବା। ବସ୍‌ ଆସିଲା, ସମସ୍ତେ ଗଲେ। କିନ୍ତୁ ତାଙ୍କୁ ଆଉ କେହି ଡାକିଲେନି। ଗୁନ ବାବା କିନ୍ତୁ ନିଜେ ବାହାରିଲେ ପୁରୀ ଯିବା ପାଇଁ। ବସ୍‌ରେ ପୁରୀ ଗଲେ। ସଂଧ୍ୟାରେ ପୁରୀ ପହଞ୍ଚି ଦର୍ଶନ ସାରି ଘରକୁ ଫେରି ପାରିଲେନି। ତାପରଦିନ ଫେରିଲେ। କିନ୍ତୁ ତାଙ୍କର ପୁଣି ଇଚ୍ଛା ହେଲା ପୁରୀ ଯିବାକୁ। ବସ୍‌ରେ ବାହାରିଲେ। ଦେଖିଲେ ଯେ ଅନେକଙ୍କ ହାତରେ ମାଳ ଓ ତୁଳସୀ ଥିଲା। କିନ୍ତୁ ତାଙ୍କ ହାତ ଖାଲି ଥିଲା। ତେଣୁ ପୁଣି ସେ ଦିନକ ପରେ ଫୁଲରେ ମାଳ କରି ଜଗନ୍ନାଥଙ୍କ ପାଇଁ ନେଲେ। ହେଲେ ପଣ୍ଡା ତାକୁ ଫୋପାଡି ଦେଲେ। ସୂତା ମାଳ ଜଗନ୍ନାଥଙ୍କୁ ଅର୍ପଣ ହୁଏନି ବୋଲି ଜାଣିବା ପରେ ତା ପରଦିନ କଦଳୀ ପାଟୁଆରେ ମାଳ ତିଆରି କରି ନେଲେ। ହେଲେ ତାକୁ ବି ପଣ୍ଡା ପିଙ୍ଗି ଦେଲେ। ବଡ଼ ଦାଣ୍ଡରେ କାନ୍ଦି ପକାଇଥିଲେ ଗୁନ ବାବା। ଜଣେ ପଣ୍ଡା ତାଙ୍କ ଦୁଃଖ ବୁଝି ଜଗନ୍ନାଥଙ୍କ ପାଖରେ ଲାଗି ହେଉଥିବା ଫୁଲର ତାଲିକା ଦେଲେ। ଫଳରେ ସେବେଠାରୁ ସେହି ତାଲିକା ଅନୁସାରେ ଫୁଲ, ତୁଳସୀ ମାଳ ଧରି ରତ୍ନାକର ଯାଉଛନ୍ତି ପ୍ରତିଦିନ ବାଙ୍କୀରୁ ପୁରୀ। ଏଥିପାଇଁ ବାଙ୍କୀ ଥାନାରେ ସେ ବାଇକ୍‌ ଓ କାର ପାସ୍‌ ପାଇଁ ଆବେଦନ କରିଛନ୍ତି। ପୁଲିସ ତାଙ୍କୁ ଇତିମଧ୍ୟରେ ଅନୁମତି ବି ଦେଇଛି। ଏ କାର୍ଯ୍ୟରୁ ଯେଉଁ ଆନନ୍ଦ ମିଳୁଛି, ତାହା ଅନ୍ୟ କେଉଁ କାର୍ଯ୍ୟରୁ ଆଉ ମିଳିବ ବୋଲି ପ୍ରଶ୍ନ କରନ୍ତି ଗୁନ ବାବା।

ସମ୍ବନ୍ଧିତ ଖବର