ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଅନ୍ୟତମ ବ୍ୟସ୍ତବହୁଳ ସ୍ଥାନ ‘ରସୁଲଗଡ଼’ ଛକ ନିକଟରେ ଆଜି ରାତିରେ ରାସ୍ତା ଅତିକ୍ରମ କଲା ବେଳେ ଜଣେ ବ୍ୟକ୍ତିଙ୍କ ଉପରେ ଏକ ଦ୍ରୁତଗାମୀ ହାଇୱା ମାଡ଼ିଯାଇଛି। ଘଟଣାସ୍ଥଳରେ ସଂପୃକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଆଜି ସନ୍ଧ୍ୟାରେ ରସୁଲଗଡ଼ ଥାନା ଠାରୁ ମାତ୍ର ୨୦୦ ମିଟର ଦୂରରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।
ସୂଚନା ଅନୁସାରେ ଆଜି ରାତି ପ୍ରାୟ ସାଢ଼େ ୮ଟାରେ ରସୁଲଗଡ଼ ଛକ ଠାରୁ ୧୦୦ ମିଟର ଦୂରରେ ଥିବା ପେଟ୍ରୋଲ ପମ୍ପ ନିକଟ ଓଭରବ୍ରିଜ୍ ତଳେ ଜଣେ ବ୍ୟକ୍ତି ରାସ୍ତା ଅତିକ୍ରମ କରୁଥିଲେ। ଏହି ସମୟରେ କୁଆଖିଆ ପାର୍ଶ୍ବରୁ ରସୁଲଗଡ଼ ଆଡକୁ ଆସୁଥିବା ଯାଉଥିବା ହାଇୱାର ଚାଳକ ନିୟନ୍ତ୍ରଣ ହରାଇଥିଲେ। ଚାଳକ ଜଣକ ନିୟନ୍ତ୍ରଣ ହରାଇ ଥିବାରୁ ଚାଲିଚାଲି ଯାଉଥିବା ଲୋକଙ୍କ ଉପରେ ଚଢ଼ାଇ ଦେଇଥିଲେ। ଫଳରେ ଦୁର୍ଘଟଣାସ୍ଥଳରେ ଲୋକଟିର ମୃତ୍ୟୁ ହୋଇଥିଲା। ଏହି ଅପମୃତ୍ୟୁ ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନା ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରିଛି। ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣା ପରେ ଚାପା ଉତ୍ତେଜନା ଯୋଗୁଁ ଶତାଧିକ ଯାନବାହନ ଚଳଚଳ ପ୍ରଭାବିତ ହୋଇଥିଲା।