ଅମ୍ଳଜାନ ଓ ଚିକିତ୍ସା ଅଭାବରୁ କରୋନା ଆକ୍ରାନ୍ତ ଥିବା ଯୁବକଙ୍କ ମୃତ୍ୟୁ, ପରିବାର ଲୋକ ଆଣିଲେ ସଙ୍ଗିନ ଅଭିଯୋଗ

ବଅଁରପାଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳ ଗ୍ରାମର ଗୋଡ଼ିସାହିର ଜଣେ ଯୁବକ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ଚିକିତ୍ସା ଓ ଅମ୍ଳଜାନ ଅଭାବରୁ କରୋନା ରୋଗରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ମୃତକଜଣକ ହେଲେ ନରେଶ ସାହୁଙ୍କ ପୁଅ ତପନ ସାହୁ (୩୮)। ତାଙ୍କର ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି।

ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ତପନଙ୍କୁ ଗତ ୧୧ ତାରିଖରେ ଜ୍ୱର ହୋଇଥିଲା। ଏନେଇ ସେ ସ୍ଥାନୀୟ ଡାକ୍ତରଖାନାରେ ଦେଖାଇ ଥଣ୍ଡା ଜ୍ଵର ଔଷଧ ଖାଉଥିଲେ। ଜ୍ୱର ନକମିବାରୁ ସେ ଗତ ୨୧ ତାରିଖ ଦିନ ନିଜର କୋଭିଡ଼ ପରୀକ୍ଷା କରିଥିଲେ। ରିପୋର୍ଟ ପଜିଟିଭ ଆସିବା ପରେ ବଅଁରପାଳ ଚିକିତ୍ସାଳୟ ପକ୍ଷରୁ ତପନଙ୍କୁ ଘରୋଇ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ଓ କୋଭିଡ଼ରୁ ମୁକ୍ତି ପାଇବା ପାଇଁ ଔଷଧ ଦେଇ ଘରକୁ ପଠାଇ ଦିଆଯାଇଥିଲା। ୨୧ତାରିଖ ପରଠାରୁ ତାଙ୍କର ଶରୀର ଅଧିକ ଗୁରୁତର ହେଉଥିବା ନେଇ ସେ ହେଲ୍ପ ଲାଇନ ଓ ବଅଁରପାଳ କୋଭିଡ଼ ଚିକିତ୍ସା ପରିଚାଳନା ବିଭାଗକୁ ଫୋନ କରି ବହୁ ବାର ଜଣାଇଥିଲେ। ଶୁକ୍ରବାର ତପନ ତାଙ୍କର ଛାତିରେ ଯନ୍ତ୍ରଣା ହେବା ସହିତ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା କଥା ଫୋନ କରି ଅଭିଯୋଗ କରିଥିଲେ ଓ ଅମ୍ଳଜାନ ଯୋଗାଇ ଦେବା ପାଇଁ କହିଥିଲେ। ଗତକାଲି ଅପରାହ୍ନରେ ତାଙ୍କର ଶରୀର ଅଧିକ ଗୁରୁତର ହେବାରୁ ହେଲ୍ପ ଲାଇନକୁ ଫୋନ କରି ଜଣାଇଥିଲେ । ତପନଙ୍କୁ ନେବା ପାଇଁ ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ଉକ୍ତ ଆମ୍ବୁଲାନ୍ସରେ ଅମ୍ଳଜାନର ବ୍ୟବସ୍ତା ନଥିଲା। ଜିଲ୍ଲା ଚିକିତ୍ସାଳୟକୁ ନେବା ବାଟରେ ତପନ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହିତ ଅମ୍ଳଜାନ ମାଗିଥିଲେ। କିନ୍ତୁ ଅମ୍ଲଜାନ ନଥିବାରୁ ଆମ୍ବୁଲାନ୍ସରେ ତାଙ୍କୁ ଅମ୍ଲଜାନ ମିଳିନଥିଲା।

ଚିକିତ୍ସାଳୟ ପରିସରରେ ପହଞ୍ଚିବା ପରେ ତପନଙ୍କୁ ୪୦ ମିନିଟ ପରେ ଡାକ୍ତର ଦେଖିବାକୁ ଆସିଥିଲେ, କିନ୍ତୁ ସେତବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଡାକ୍ତର ତାଙ୍କୁ କୋଭିଡ଼ରେ ମୃତ୍ୟୁ ହୋଇଥିବା ନେଇ ଘୋଷଣା କରିବା ପରେ ଅନୁଗୁଳ ପୌରପାଳିକା ପକ୍ଷରୁ କୋଭିଡ଼ କଟକଣା ମଧ୍ୟରେ କରଡ଼ାଗାଡ଼ିଆ ସ୍ଥିତ ଶ୍ମଶାନରେ ତପନଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା।

କୋଭିଡ଼ ମହାମାରୀ ଦାଉରୁ ଜନସାଧାରଣଙ୍କୁ ମୁକ୍ତି ଦେବା ପାଇଁ ରୋଗ କିପରି ନବ୍ୟାପିବା ଓ ରୋଗରୁ କିପରି ମୁକ୍ତି ପାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁ ଯୋଜନା ପ୍ରସ୍ତୁତ କରାଯିବା ସହିତ ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ସରକାର ଏଥି ପ୍ରତି ଗୁରୁତ୍ୱ ଦେଉଥିବା କହୁଛନ୍ତି। କିନ୍ତୁ ତପନଙ୍କ କ୍ଷେତ୍ରରେ ତାହା ବ୍ୟତିକ୍ରମ ହୋଇଥିବା ଜଣାପଡିଛି। ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କର ପରିବାର ଲୋକ। ଏପେଟେ ଅନୁଗୁଳ ଜିଲ୍ଲାର ବିଭିନ୍ନ ଘରୋଇ ଶିଳ୍ପାୟନ ରାଜ୍ୟ ବାହାରକୁ ଅମ୍ଳଜାନ ଯୋଗାଇ ଦେଉଥିବା ନେଇ ବାହାଦୁରୀ ମାରୁଥିବା ବେଳେ ଅମ୍ଳଜାନ ଅଭାବରୁ ତପନଙ୍କର ମୃତ୍ୟୁ ଜିଲ୍ଲା ପ୍ରଶାସନ କାର୍ଯ୍ୟ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନା ଥାଉକି ତପନ ତୁଳସୀ ପାଳ ଗ୍ରାମରେ ରାସନ ଦୋକାନ ଦେଇ ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। ତାଙ୍କର ଅକାଳ ମୃତ୍ୟୁକୁ ନେଇ ତାଙ୍କ ପରିବାର ତଥା ଗ୍ରାମବାସୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର