ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ଖିରେଇଟାଙ୍ଗିରି ଟୋଲ୍‌ପ୍ଲାଜା ନିକଟରେ ଗତକାଲି ରାତିରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଖିରେଇଟାଙ୍ଗିରି ଗ୍ରାମର ଜେମ୍‌ସ ନାୟକ (୪୨)ଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟଜଣେ ବାଇକ୍‌ ଆରୋହୀ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଚିତ୍ରପଶି ଗ୍ରାମର ସୁବାସ ନାଏକ (୩୨) ଗୁରୁତର ହୋଇଥି‌ଲେ। କ୍ଷତିପୂରଣ ଦାବିରେ ଆଜି ମୃତ ଜେମ୍‌ସଙ୍କ ପରିବାର ଓ ସ୍ଥାନୀୟ ଲୋକେ ଖିରେଇଟାଙ୍ଗିରିଠାରେ ୪୯ ନମ୍ବର  ଜାତୀୟ ରାଜପଥ ଅବରୋଧ କରିଥିଲେ।

Advertisment

ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଯୋଗୁଁ ୫ କିଲୋମିଟର ପର୍ଯ୍ୟନ୍ତ ରାସ୍ତାର  ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ିମୋଟର ଅଟକି ରହିଥିଲେ। ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ, ଚମ୍ପୁଆ ଏସ୍‌ଡିପିଓ ରାମରାୟ ମୁର୍ମୁ, ତୁରୁମୁଙ୍ଗା ଥାନା ଅଧିକାରୀ ମଦନମୋହନ ନାୟକ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ, ଟୋଲ୍‌ପ୍ଲାଜା ନିକଟରୁ ବେଆଇନ ଟ୍ରକ୍‌ ପାର୍କିଂ ହଟାଇବା, ରାସ୍ତାରେ ଥିବା ଅଚଳ ଷ୍ଟ୍ରଟ୍‌ଲାଇଟ୍‌ ଲାଇଟ୍‌ ଗୁଡ଼ିକର ମରାମତି କରିବା ଏବଂ ଟୋଲ୍‌ପ୍ଲାଜା ନିକଟରେ ହମ୍ପସ ନିର୍ମାଣ କରିବାକୁ ଦାବି କରାଯାଇଥିଲା।