ଚା’ ପିଇ ଫେରୁଥିଲେ, ସାହାଯ୍ୟ କରିବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ଜୀବନ ହରାଇଲେ

ବାଲିକୁଦା : ବଡ଼ଚଣା ବ୍ଲକ୍‌ ତଥା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ସାଉଡ଼ିଆ ପଞ୍ଚାୟତ ତାଳୁଆ ଗ୍ରାମର ସୁଧୀର କୁମାର ଜେନା(୪୧)ଙ୍କର ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଛି। ଆଜି ସକାଳୁ ସେ ବଜାରରୁ ଚା’ ପିଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା। ବଜାରରୁ ଫେରୁଥିବା ବେଳେ ଜଣେ ପଡ଼ୋଶୀଙ୍କ ଅନୁରୋଧରେ ତାଙ୍କ ନିର୍ମାଣାଧୀନ ଘରର ଛାତ ଉପରକୁ ସୁଧୀର ଏକ ଟିଣ ଚଦର ଟେକୁଥିଲେ। ଅସାବଧାନତା ବଶତଃ ଘର ନିକଟରେ ଥିବା ବିଦ୍ୟୁତ୍‌ ଟ୍ରାନସଫର୍ମରରେ ଟିଣ ଚଦରଟି ଲାଗିଯାଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ।

ପ୍ରଥମେ ତାଙ୍କୁ ଗୋପାଳପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଲିଚନ୍ଦ୍ରପୁର ପୁଲିସ ପହଞ୍ଚି ଶବ ଜବତ କରିବା ସହ ୮/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ଅପରାହ୍ଣରେ ମୃତଦେହ ବ୍ୟବଚ୍ଛେଦ ହୋଇ ଫେରିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା। ଖବରପାଇ ସରପଞ୍ଚ ଜଗନ୍ନାଥ ଖଣ୍ଡାଇ, କମ୍ୟୁନିଷ୍ଟ ନେତା ଈଶ୍ବର ଚନ୍ଦ୍ର ପରିଡ଼ା, ଅନିଲ କୁମାର ପରିଡ଼ା, ପ୍ରମୋଦ କୁମାର ସାମଲ, ଧନଞ୍ଜୟ ପ୍ରଧାନ, ନିହାର ରଞ୍ଜନ ସାମଲ, ସମରେନ୍ଦ୍ର ମହାନ୍ତି ପ୍ରମୁଖ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଶେଷଦର୍ଶନ କରିଥିଲେ। ବିଧାୟକ ଅମର ପ୍ରସାଦ ଶତପଥୀ, କଂଗ୍ରେସ ନେତା ଅଜୟ କୁମାର ସାମଲ ତାଙ୍କ ଅକାଳ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର