ଟ୍ରାକ୍ଟର ତଳେ ଚାପିହୋଇ ଯୁବକଙ୍କ ମୃତ୍ୟୁ

ଯାଜପୁରସଦର: ଯାଜପୁର ଟାଉନ ଥାନା ଅନ୍ତର୍ଗତ ଜିଲ୍ଲାପାଳଙ୍କ  ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ବାଇକ୍‌ ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି।

ଅକରପଡ଼ା ପଞ୍ଚାୟତ ମଲ୍ଲିକାପୁର ଗ୍ରାମର ରାଜେନ୍ଦ୍ର ଜେନା(୩୩) ନିଜ ସଂପର୍କୀୟଙ୍କ ଘର ଚଇନପୁରକୁ ଶୁଦ୍ଧିକ୍ରିୟା କାମରେ ଯାଇ ଘରକୁ ଫେରୁଥିଲେ। ଏହି ସମୟରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଏକ ଇଟା ବୋଝେଇ ଟ୍ରାକ୍ଟର (ଓଡି-୦୪ କ୍ୟୁ-୫୧୪୧) ଅନ୍ୟ ଏକ ବାଇକକୁ ସାଇଡ୍‌ ମାରିଥିଲା। ଫଳରେ ଭରସାମ୍ୟ ହରାଇ ଅନ୍ୟ ବାଇକଟି ରାଜେନ୍ଦ୍ରଙ୍କ ବ‌ାଇକକୁ ଧକ୍କା ଦେଇଥିଲା। ରାଜେନ୍ଦ୍ର ଟ୍ରାକ୍ଟର ଚକ ତଳେ ପଡ଼ି ଚାପି ହୋଇଯିବାରୁ ମୃତ୍ୟୁ ଘଟିଥିଲା। ଖବର ପାଇ ଟାଉନ ପୁଲିସ ପହଞ୍ଚି ବାଇକ ଓ ଟ୍ରାକ୍ଟରକୁ ଜବତ କରିଛନ୍ତି। ରାଜେନ୍ଦ୍ର ଅଟୋ ଡ୍ରାଇଭର ଭାବେ ପରିବାର ଚଳାଉଥିଲେ। ଦୁଇବର୍ଷ ତ‌ଳେ ତାଙ୍କର ବିବାହ ହୋଇଥିଲା। ଯାଜପୁର ସହର ମଧ୍ୟରେ ଦିନବେଳା ଶହଶହ ବାଲି ଓ ଇଟା ବୋଝେଇ ଟ୍ରାକ୍ଟର ଦ୍ରୁତ ଗତିରେ ଚଳାଚଳ କରୁଥିବାରୁ ଅନେକ ଜୀବନ ଯାଉଛି।

ସମ୍ବନ୍ଧିତ ଖବର