ଗାଡ଼ି ଧକ୍କାରେ ଯୁବକ ମୃତ, ଜଣେ ଆହତ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର-ରେଢ଼ାଖୋଲ ରାସ୍ତାର ଦୁରଦୁରା ନର୍ସରି ନିକଟରେ ମଙ୍ଗଳବାର ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଗାଡ଼ିଟି ଫେରାର୍‌ ହୋଇଯାଇଥିବାରୁ ତା’ ସଂପର୍କରେ କୌଣସି ତଥ୍ୟ ମିଳିପାରି ନାହିଁ।

ପ୍ରାପ୍ତ ସୂଚନାନୁସାରେ ଗତକାଲି ବୀରମହାରାଜପୁର ଥାନା ବହଳପଦର ଗାଁ’ର ଅମିତ ଦନ୍ତା (୨୬) ଓ ତାଙ୍କ ବନ୍ଧୁ ଅଶୋକ ଭୋଇଙ୍କୁ ଦୁରଦୁରା ନର୍ସରି ନିକଟରେ ବୀରମହାରାଜପୁର ପଟୁ ଆସୁଥିବା ଏକ ଗାଡ଼ି ଧକ୍କା ଦେଇ ଫେରାର୍‌ ହୋଇଯାଇଥିଲା। ଉଭୟେ ଗୁରୁତର ଭାବେ ଆହତ ହୋଇ ରାସ୍ତାରେ ପଡ଼ି ଛଟପଟ ହେଉଥିବା ବେଳେ କେହି ବି ତାଙ୍କୁ ଡାକ୍ତରଖାନା ନେଇ ନଥିଲେ। ଏହି ସମୟରେ ଉକ୍ତ ରାସ୍ତା ଦେଇ ବୌଦ୍ଧ ଯାଉଥିବା ବୀରମହାରାଜପୁର ଜୋନ୍‌-୧ ଜିଲ୍ଲା ପରିଷଦ ସଭ୍ୟଙ୍କ ଭାଇ କୁଶ ସାହୁ ସେଠାରେ ଅଟକି କିଛି ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଅମିତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା।

ମାତ୍ର ବୁର୍ଲା ନେବା ବାଟରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଘଟଣାସ୍ଥଳ ନିକଟ ନର୍ସରିରେ କାମ କରୁଥିବା ଲୋକଙ୍କ କହିବାନୁସାରେ ଗାଡ଼ିଟି ଏକ ତେଲ ଟ୍ୟାଙ୍କର୍‌ ଥିଲା। ଏ ନେଇ ସୁବଳୟା ଥାନାକୁ ସୂଚନା ଦିଆଯାଇଥିଲେ ହେଁ ପୁଲିସ୍‌ ପକ୍ଷରୁ ତାକୁ ଧରିବାକୁ କୌଣସି ପ୍ରୟାସ କରାଯାଇ ନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ସୁବଳୟା ପୁଲିସ୍‌କୁ ପଚାରିବାରେ ‘ଆମେ ରେଢ଼ାଖୋଲ ଥାନାକୁ ଖବର ଦେଇଥିଲୁ। ମାତ୍ର ସେଭଳି କୌଣସି ଗାଡ଼ି ଉକ୍ତ ରାସ୍ତାରେ ଯାଇ ନଥିବା ସେମାନେ କହିଛନ୍ତି’ ବୋଲି କହିଛି।

ସମ୍ବନ୍ଧିତ ଖବର