ଟ୍ରାକ୍ଟର ଧକ୍କାରେ ଯୁବକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତାରୋକ

ଡୁଙ୍ଗୁରିପାଲି/ଏସ.ରାମପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କପାସିରାରେ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ସୋମବାର ପରିବାର ଲୋକେ ଓ ଗ୍ରାମବାସୀ କ୍ଷତିପୂରଣ ଦାବି କରି ଡୁଙ୍ଗୁରିପାଲି-ବଲାଙ୍ଗୀର ଜାତୀୟ ରାଜପଥ ଅବରୋଧ କରିଥିଲେ। ପ୍ରାପ୍ତ ସୂଚନାନୁସାରେ, ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ସମାରପାଲି ଗ୍ରାମର କିଶୋର ମହାନନ୍ଦ (୩୦) ରବିବାର ଡୁଙ୍ଗୁରିପାଲି ଥାନା ବିଲେଇବାହାଲି ଗ୍ରାମ ସ୍ଥିତ ନିଜ କାକାଶ୍ବଶୁରଙ୍କ ଘରକୁ ଆସିଥିଲେ। ତେବେ ଏଠାରୁ ଫେରିଲା ବେଳେ ଡୁଙ୍ଗୁରିପାଲି ଥାନା କାପାସିରା ନିକଟରେ ଏକ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇ ଫେରାର୍‌ ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ କିଶୋରଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ୍‌ ଶବ ଉଦ୍ଧାର କରି ଡୁଙ୍ଗୁରିପାଲି ସିଏଚ୍‌ସିକୁ ନେଇଥିଲା। ସେଠାରେ ରାତି ସାରା ରହିବା ପରେ ସୋମବାର ସକାଳେ ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ପରେ କ୍ଷତିପୂରଣ ଦାବିରେ ପରିବାର ଲୋକେ ଓ ସମାରପାଲି ଗ୍ରାମବାସୀ ଥାନା ସମ୍ମୁଖରେ ଆଜି ଟାୟାର୍‌ ଜାଳି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଅପରାହ୍‌ଣ ୨ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ରାସ୍ତାରୋକ ପରେ ସୋନପୁର ଏସ୍‌ଡିପିଓ ଓ ରାମପୁର ତହସିଲ୍‌ଦାର ପୁରୁଷୋତ୍ତମ ମିର୍ଦ୍ଧାଙ୍କ ସହ ଲଛିପୁର ଥାନା, ରାମପୁର ଥାନା, ବିନିକା ଥାନା ଓ ଡୁଙ୍ଗୁରିପାଲି ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ରେଡକ୍ରସ ପାଣ୍ଠିରୁ ୧୦ ହଜାର ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ ପାଇଁ ତହସିଲଦାର ପ୍ରିତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ଅନ୍ୟପଟେ ପୁଲିସ୍‌ ଟ୍ରାକ୍ଟର୍‌ଟିକୁ ଜବତ କରିବା ସହ ଚାଳକ ଡୋଲେଶ୍ବର ପଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର