ଖଣ୍ଡା ଧୁଆ ପୂଜା ବେଳେ ଅଘଟଣ: ନିସାନ ବଜଉଥିବା ବ୍ୟକ୍ତିର ମୃତ୍ୟୁ

ପାଟଣାଗଡ଼: ଶନିବାର ରାତିରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଁ ପାଟଣେଶ୍ବରୀ ଓ ସମଲେଶ୍ଵରୀଙ୍କ ପାଟ ଖଣ୍ଡା ଧୁଆ ଓ ମନ୍ଦିରରେ ଷୋହଳ ପୂଜା ଆରମ୍ଭ ହୋଇଥିବା ଜଣାପଡିଛି। ତେବେ ଖଣ୍ଡା ଧୁଆ ପୂଜା ସମୟରେ ଏକ ଅଘଟଣ ଘଟିଥିବା ଦେଖିବାକୁ ମିଳିଛି। ଖଣ୍ଡା ଧୁଆ ସମୟରେ ହଠାତ୍ ହ୍ରୁଦଘାତରେ ନିସାନ ବଜନିଆ ଙ୍କ ମ୍ରୁତ୍ୟୁ ଘଟିଥିବା ଜଣାପଡିଛି। ଫଳରେ ଏହାକୁ ନେଇ ଅଞ୍ଚଳରେ ଚର୍ଚାର ବିଷୟ ସାଜିଛି।

ଆଶ୍ବିନ ମାସ କ୍ରୁଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ମାଁ ପାଟଣେଶ୍ବରୀ ଓ ମାଁ ସମଲେଶ୍ଵରୀ ଙ୍କ ମନ୍ଦିରରେ ଷୋଡ଼ଶ ଉପଚାର ତଥା ଷୋହଳ ପୂଜାରମ୍ଭ ହୋଇଥାଏ। ଏଥିପାଇଁ ରାତିରେ ମାଁଙ୍କ ମନ୍ଦିରରୁ ପାଟ ଖଣ୍ଡା ନେଇ ଶୋଭାଯାତ୍ରାରେ ବାହାରି ପାଟ ଖଣ୍ଡା ଧୂଆ ହେବା ପରେ ଷୋହଳ ପୂଜାରମ୍ଭ ହୋଇଥାଏ। ସେ ହିସାବରେ ଶନିବାର ରାତିରେ ମାଁ ପାଟଣେଶ୍ବରୀ ମନ୍ଦିରରୁ ପାଟଖଣ୍ଡା ନେଇ ପରମ୍ପରିକ ବାଜା ବଜାଇ ପୂଜକ, ସେବାୟତ, ବଜନିଆ, ଭକ୍ତ ଆଦି ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ଥିଲେ। ଏଥିରେ ସମସ୍ତ ବଜନିଆ ମାନଙ୍କ ସମେତ ନିସାନ ବଜାଉଥିବା ନକଟାସର ଗ୍ରାମର କୁଶ କାଲସାଏ ଆଗେ ଆଗେ ନିସାନ ବଜାଇ ଯାଉଥିଲେ।

ଶୋଭାଯାତ୍ରାଟି ଖଣ୍ଡା ଧୂଆ ପାଇଁ ହାଟ ପଦା ନିକଟସ୍ଥ ପୋଖରୀରେ ପହଞ୍ଚିଥିଲା। ସେଠାରେ ଖଣ୍ଡା ଧୁଆ ପୂଜାରମ୍ଭ ସମୟରେ ବଜନିଆ ମାନେ ଅଟକି ଥିଲେ। ଜନିଆ ମାନଙ୍କ ମଧ୍ୟରୁ ନିସାନ ବଜାଉଥିବା କୁଶ କାଲସାଏ ପୋଖରୀ ନିକଟରେ ନିଜେ ବଜାଉଥିବା ନିସାନକୁ ଓହ୍ଲାଇବା ପରେ ସେ ବସିଥିଲେ। ବସିଥିବା ଅବସ୍ଥାରେ ସେ ହଠାତ୍ ତଳେ ପଡି ଯାଇଥିଲେ। ଏହା ଦେଖି ଉପସ୍ଥିତ ଲୋକଙ୍କ ମଧ୍ୟରୁ କିଛି ବ୍ୟକ୍ତି ତାଙ୍କୁ ସେଠାରୁ ଉଦ୍ଧାର କରି ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମ୍ରୁତ ଘୋଷଣା କରିଥିବା ଜଣାପଡିଛି। ତାଙ୍କ ମ୍ରୁତ୍ୟୁ ହ୍ରୁଦଘାତରେ ହୋଇଥିବା ନେଇ କାର୍ଯ୍ୟରତ ଡାକ୍ତର କହିଥିବା ଜଣାପଡିଛି।

ରବିବାର କୁଶଙ୍କ ମ୍ରୁତଦେହର ଶବ ବ୍ୟବଚ୍ଛେଦ କରାଯାଇ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଥିବା ଜଣାପଡିଛି। ତେବେ ଗତ ୨ ବର୍ଷ ହେବ କରୋନା କଟକଣା ମଧ୍ୟରେ ପ୍ରସିଦ୍ଧ ବେଲ୍ ଯାତ୍ରା ଅନୁଷ୍ଠିତ ହେଇଥିବା ବେଳେ କଟକଣା ହଟିବା ପରେ ଚଳିତ ବର୍ଷ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଥିବା ଜଣାପଡିଛି। ତେବେ ଷୋଡ଼ଶ ଉପଚାର ତଥା ଖଣ୍ଡା ଧୂଆ ସମୟରେ ଅଘଟଣ ଘଟିବାକୁ ନେଇ ସହରରେ ନାନା ଆଲଚନା ହେଉଥିବା ଜଣାପଡିଛି।

ସମ୍ବନ୍ଧିତ ଖବର