ଲଖନପୁର: ଲଖନପୁର ଥାନା ଠେବରା ଗାଁର ହୀରାକୁଦ ଜଳଭଣ୍ଡାର କୂଳରେ ନିର୍ମାଣାଧୀନ ଏକ କଲ୍ୟାଣ ମଣ୍ଡପ ଛାତ ଉପରୁ ପଡ଼ି ଠେବରା ଗାଁର ନିରଞ୍ଜନ କିଲାସମିଆ (୨୫)ଙ୍କ ମୃତ୍ୟୁ ହୋଇଛି।

Advertisment

ସୂଚନା ଅନୁଯାୟୀ, ମୃତ ନିରଞ୍ଜନ ଜଣେ ମାଛ ଧରାଳି। ସେ ଅଧିକାଂଶ ରାତିରେ ଏହି କଲ୍ୟାଣ ମଣ୍ଡପ ଛାତ ଉପରେ ଶୋଉଥିଲେ। ମଙ୍ଗଳବାର ରାତିରେ ମଧ୍ୟ ସେ ସେହି ଛାତରେ ଶୋଇଥିଲେ। କୌଣସି କାରଣରୁ ସେ ଛାତରୁ ପଡ଼ି ଯାଇଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଘଟଣା ସମ୍ପର୍କରେ ବୁଧବାର ମୃତ ନିରଞ୍ଜନଙ୍କ ବାପା ସୁରେଶ ଲଖନପୁର ଥାନାରେ ଏତଲା ଦେଇଥିଲେ। ଏହାପରେ ଲଖନପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିରଞ୍ଜନଙ୍କ ଶବର ପଞ୍ଚନାମା କରି ଝାରସୁଗୁଡ଼ାରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିବା ଥାନା ଆଇଆଇସି ଇଗ୍ନେସ ବାର୍ଲା ସୂଚନା ଦେଇଛନ୍ତି।