ଶେରଗଡ଼ : ସୁରତରୁ ଫେରିଥିଲେ। କିଛିଦିନ ପରେ ବାହା ବେଦିରେ ହାତଗଣ୍ଠି ପଡ଼ିଥାନ୍ତା। ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା। ହେଲେ ବିଧିର ବିଧାନ କିଛି ଅଲଗା ଥିଲା। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନିମିଷକରେ ଜୀବନଦୀପ ଲିଭିଗଲା। ଆଉ ବାହା ବେଦିରେ ବସିବା ବଦଳରେ କୋକେଇରେ ଶୋଇ ଶ୍ମଶାନକୁ ଗଲେ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଖଇରବେଠି ଗ୍ରାମର ବୁଦ୍ଧିଆ ଗୌଡ଼ଙ୍କ ପୁଅ ତାରିଣୀ (୨୫)ଙ୍କ ଏଭଳି ଦୁଃଖଦ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ତାରିଣୀ ଆଜି ତାଙ୍କ ବାଇକ୍‌ରେ ଶେରଗଡ଼ ଥାନା କୁରୁଳା ଅଭିମୁଖେ ଆସୁଥିଲେ। ଏ ସମୟରେ କୁରୁଳା ତିନିଛକରେ ବାଇକ୍‌କୁ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାରିଣୀଙ୍କ ମୃତ୍ୟୁ ହୋଇଥିଲା। ଶେରଗଡ଼ ଥାନା ଏସ୍‌ଆଇ ଆର୍ତ୍ତତ୍ରାଣ ନାୟକ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆସିକା ପଠାଇଥିଲେ। କେସ୍ ନମ୍ବର ୧୫୩ ଅନୁସାରେ ଏକ ମାମଲା ରୁଜୁ ହୋଇଛି। ତାରିଣୀଙ୍କ ବାହାଘର ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ତାଙ୍କର ଅକାଳ ମୃତ୍ୟୁ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିଦେଇଛି।