ବାମରା: ବାମରା ବ୍ଲକ୍ ମହୁଲପାଲିରେ ଏକ ଗାଈର ଆକ୍ରମଣରେ ଗାଈ ଚରାଳି କୁନ୍ଦା (୪୫)ଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ବୁଧବାର ପୂର୍ବାହ୍ନରେ ମହୁଲପାଲି ଗ୍ରାମର ବେଦବ୍ୟାସ ସାହୁଙ୍କ ଏକ ଗାଈ ଗୋଟିଏ ବାଛୁରୀକୁ ଜନ୍ମ ଦେଇଥିଲା। ଏହାର କିଛି ସମୟ ପରେ ଗ୍ରାମର ଗାଈ ଚରାଳି କୁନ୍ଦା ବେଦବ୍ୟାସଙ୍କ ଘରକୁ ଆସି ଉକ୍ତ ଗାଈଠାରୁ ନବଜାତ ବାଛୁରୀକୁ ବାରମ୍ବାର ଜୋର ଜବରଦସ୍ତ ଟେକି ନେଇ ଅନ୍ୟତ୍ର ରଖିବାକୁ ଚେଷ୍ଟା କରୁଥିଲେ।
ଏଥିରେ ଗାଈଟି କ୍ରୋଧିତ ହୋଇ ଶିଙ୍ଗରେ ଭୁଷିଦେବା ସହିତ କୁନ୍ଦାଙ୍କ ଛାତି ଉପରେ ଚଢ଼ିଯାଇ ଆକ୍ରମଣ କରିଥିଲା। ଏଥିରେ କୁନ୍ଦାଙ୍କ ମୃତ୍ୟୁ ହୋଇଥିଲା। ପରେ ଗ୍ରାମବାସୀ ଓ ପରିବାର ବର୍ଗ ମିଶି ଶୋକାକୁଳ ପରିବେଶରେ ତାଙ୍କର ଶବ ସତ୍କାର କରିଥିଲେ। ମୃତକଙ୍କ ୨ ପୁଅ ଝିଅ ଅଛନ୍ତି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।