ହାତୀ ଆକ୍ରମଣରେ ବଡ଼ଭାଇ ମୃତ, ଅଳ୍ପକେ ବର୍ତିଲେ ସାନ

ଖବର ପାଇ ବି ଆସିଲାନି ପୁଲିସ, ଅର୍ଥ ଅଭାବରୁ ଖଟିଆରେ ଡାକ୍ତରଖାନା ଗଲା ଶବ

ବିଶୋଇ : ସାଙ୍ଗ ହୋଇ ଜଙ୍ଗଲକୁ ଯାଇଥିଲେ ଦୁଇଭାଇ। ଫେରିଲା ବେଳେ ହାତୀ ଆକ୍ରମଣରେ ବଡ଼ଭାଇର ମୃତ୍ୟୁ ହୋଇଥିବା ବେଳେ ସାନଭାଇ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି। ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ୍‌ ବଡ଼ମଣଦା ପଞ୍ଚାୟତ ଆହ୍ଲାପାଣି ଗାଁ ନିକଟ ଜଙ୍ଗଲରେ ଘଟିଛି ଏହି ଘଟଣା।

ବଡ଼ମଣଦା ପଞ୍ଚାୟତ ଆହ୍ଲାପାଣି ଗାଁ ବଡ଼ଗୁଡ଼ା ସାହିର ବୈକୁଣ୍ଠ ଦେହୁରୀ ନିଜ କକା ପୁଅ ଭାଇ ନୀଳକଣ୍ଠ ଦେହୁରୀଙ୍କ ସହ ଗତକାଲି ସକାଳେ ଗାଁଠାରୁ ଦୁଇ କିଲୋମିଟର ଦୂର ବିଙ୍ଗବୁରୁ ଜଙ୍ଗଲକୁ ଝୁଣା ସଂଗ୍ରହ ପାଇଁ ଯାଇଥିଲେ। ଝୁଣା ସଂଗ୍ରହ କରି ଅପରାହ୍ନରେ ଘରକୁ ଫେରୁଥିବାବେଳେ ଦୁଇଟି ହାତୀ ହାବୁଡ଼ରେ ପଡ଼ିଯାଇଥିଲେ ଦୁଇଭାଇ। ତେବେ ସାନଭାଇ ନୀଳକଣ୍ଠ କୌଶଳକ୍ରମେ ନିଜ ଜୀବନ ବଞ୍ଚାଇଥିବାବେଳେ ବଡ଼ଭାଇ ବୈକୁଣ୍ଠ (୫୦)ଙ୍କୁ ହାତୀ ସେଇଠି ପାଦରେ ଦଳି ଦେଇଥିଲା। ଏ ନେଇ ଗ୍ରାମବାସୀ ଜାଣିବା ପରେ ଜଙ୍ଗଲକୁ ଯାଇ ମୃତଦେହ ଠାବ କରିଥିଲେ। ଖବର ପାଇ ମଣଦା ବନବିଭାଗ ଅଧିକାରୀ ବନବିହାରୀ ସର୍ଦାରଙ୍କ ନିର୍ଦ୍ଦେଶ କ୍ରମେ ମଣଦା ରେଞ୍ଜର ଫରେଷ୍ଟର ସୁଶାନ୍ତ କୁମାର ପାତ୍ର, ଫରେଷ୍ଟ ଗାର୍ଡ ଭାଗ୍ୟବାନ ପାତ୍ର, ହିମାଂଶୁ ସେଠୀ, ତାଳବନ୍ଧ ରେଞ୍ଜର ବନରକ୍ଷୀ ସୁନୀଲ ମହାନ୍ତ, ଚକ୍ରଧର ମହାନ୍ତ, ଚହଲା ରେଞ୍ଜର ବନରକ୍ଷୀ ଦୁଷ୍ମନ୍ତ କୁମାର ଦାସ ପ୍ରମୁଖ ପହଞ୍ଚି ମୃତଦେହ ଗାଁକୁ ଆଣିଥିଲେ। ମଣଦା ଫାଣ୍ଡିକୁ ଘଟଣା ବାବଦରେ ଖବର ଦିଆଯାଇଥିଲେ ସୁଦ୍ଧା କୌଣସି ପୁଲିସ କର୍ମଚାରୀ ନ ଆସିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା।

ଶବକୁ ଡାକ୍ତରଖାନା ନେବା ପାଇଁ ମୃତକଙ୍କ ପରିବାରକୁ ମଣଦା ବନ ବିଭାଗ ପକ୍ଷରୁ ଦୁଇ ହଜାର ଟଙ୍କା ସହାୟତା ରାଶି ଦିଆଯାଇଥିଲା। ହେଲେ ବନ ବିଭାଗ ଦେଇଥିବା ଟଙ୍କା ଗାଡ଼ିଭଡ଼ା ପାଇଁ ପର୍ଯ୍ୟାପ୍ତ ନ ହେବାରୁ ଆଜି ସକାଳେ ପରିବାର ଲୋକ ଗ୍ରାମବାସୀଙ୍କ ସହାୟତାରେ ମୃତଦେହକୁ ଖଟିଆରେ ବୋହି ମଣଦା ଡାକ୍ତରଖାନା ନେଇଥିଲେ। ପ୍ରାୟ ୫ କିଲୋମିଟର ଯାଏ ମୃତଦେହକୁ ବୋହିବା ପରେ ମଣଦା ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍‌ସ ବନ୍ଦୋବସ୍ତ କରିଥିଲେ। ଶେଷ ଖବର ଅନୁସାରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଯାଇଛି।

ମୃତ ବୈକୁଣ୍ଠଙ୍କର ୨ ପୁଅ ଓ ଜଣେ ଝିଅ ଅଛନ୍ତି। ଲଘୁ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ କରି ବୈକୁଣ୍ଠ ଘର ଚଳାଉଥିଲେ। ତାଙ୍କ ମୃତ୍ୟୁ ପରେ ଘରର ଗୁଜୁରାଣ କେମିତି ମେଣ୍ଟିବ, ସେ ନେଇ ପରିବ‌ାରରେ ଚିନ୍ତା ପଡ଼ିଛି। ସରକାର ଯଥାଶୀଘ୍ର ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି।

ହାତୀ ଆକ୍ରମଣରେ ମହିଳା ମୃତ
ବଣାଇଁଗଡ଼/ଲାଠିକଟା : ଗୁରୁଣ୍ତିଆ ବ୍ଲକ୍ ଅନ୍ତର୍ଗତ କୁଚେଇତା ଗାଁରେ ଗତ ରାତିରେ ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ବାଙ୍କି ବନ ବିଭାଗ କର୍ମଚାରୀ ଓ ଚାନ୍ଦପୋଷ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏହାର ତଦନ୍ତ କରୁଛନ୍ତି।

କୁଚେଇତା ଗାଁର ପାଗଳ ମୁଣ୍ତା ଓ ତାଙ୍କ ପତ୍ନୀ ମୋନିକା ମୁଣ୍ତା ଗତ ରାତିରେ ଧାନକ୍ଷେତ ଜଗିବାକୁ ଘର ନିକଟସ୍ଥ ଜମି ପାଖକୁ ଯାଇଥିଲେ। ବିଳମ୍ବିତ ରାତିରେ ପ୍ରାୟ ୨୦ରୁ ଅଧିକ ହାତୀଙ୍କୁ ସେମାନେ ଚାଷ ଜମିରୁ ଘଉଡ଼ାଇଥିଲେ। ସେଇ ହାତୀପଲ ମଧ୍ୟରୁ ଗୋଟିଏ ଦନ୍ତା ହାତୀ ଲୁଚି ରହିଥିଲା। ମହିଳାଙ୍କୁ ଅତି ନିକଟରୁ ପାଇ ହାତୀଟି ନିଜ ଦାନ୍ତରେ ଭୁସି ମହିଳାଙ୍କ ଅନ୍ତବୁଜୁଳା ବାହାର କରି ଦେଇଥିଲା। ତେଣୁ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ଘଟିଥିଲା। ବନ ବିଭାଗ କର୍ମଚାରୀ ବାଙ୍କି ରେଂଜର ଅଜୟ ଖେସ୍‌, ଫରେଷ୍ଟର ବିଜୟ କୁମାର କୋଠୀ ପହ‌ି ସ୍ବାମୀ ପାଣ୍ତୁରୁ ମୁଣ୍ତାଙ୍କୁ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ୪୦ ହଜାର ଟଙ୍କା ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର