ଟ୍ରକ୍ ଧକ୍କାରେ ଯୁବକ ମୃତ

କର୍ଲାମୁଣ୍ଡା: ରିଷିଡା ଫାଣ୍ଡି ବେଲପଡା ଛକରେ ଟ୍ରକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ରିଷିଡ଼ା ଗାଁର ସ୍ବର୍ଗତ ଚେରୁ ରଣାଙ୍କ ପୁଅ ଟୁନା ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନା ମତେ ବେଲପଡା ପଟୁ ଏକ ଟ୍ରକ୍ ରିଷିଡା ପଟକୁ ଆସୁଥିଲା। ଏହି ସମୟରେ ଟୁନା ଏକ ବାଇକ୍ (ଓଡି ୦୩ଟି-୮୬୧୯)ରେ ରିଷିଡା ପଟୁ ତେରେସିଂହା ଶ୍ବଶୁର ଘରକୁ ଯାଉଥିଲେ। ବେଲପଡ଼ା ଛକରେ ଟ୍ରକ୍‌ଟି ଟୁନାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ମୃତକଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଅଡ଼ି ବସିଥିଲେ। ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବରପାଇ ମ.ରାମପୁର ଥାନାଧିକାରୀ ସଚିନ୍ଦ୍ର ପଧାନ, କର୍ଲାମୁଣ୍ଡା ଅତିରିକ୍ତ ତହସିଲଦାର ଦିଲିପ ପାତ୍ର, ରିଷିଡା ଫାଣ୍ଡି ଅଧିକାରୀ କ୍ଷୀରସିନ୍ଧୁ ମାଝୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି କେସିଙ୍ଗା ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ (ରାତି ୯ଟା) ଉତ୍ତେଜନା ଲାଗି ରହିଥିବା ବେଳେ ଶବ ଉଠିନଥିବା ଜଣାପଡ଼ିଛି। ମୃତ ଟୁନା ତାଙ୍କ ପଛରେ ପତ୍ନୀ ଓ ଦୁଇ ସନ୍ତାନଙ୍କୁ ଛାଡ଼ି ଚାଲିଯାଇଛନ୍ତି।

ସମ୍ବନ୍ଧିତ ଖବର