ଗଳାକାଟି ହତ୍ୟା, ମାଓବାଦୀଙ୍କ ସଂପୃକ୍ତି ସନ୍ଦେହ

ରାୟଗଡ଼ା : ରାୟଗଡା ଜିଲ୍ଲା ନାକିଟି ପଞ୍ଚାୟତ ଅନ୍ତର୍ଗତ ଲେଲେରି ଗାଁର ନାନ୍ଦୁ ନାଚିକାଙ୍କୁ ଗତକାଲି ରାତିରେ ଗଳାକାଟି ହତ୍ୟା କରାଯାଇଛି। ତେବେ କିଏ ଓ କାହିଁକି ଏଭଳି ନିମର୍ମ କାଣ୍ଡ ଘଟାଇଲା ସେନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ। କିନ୍ତୁ ଯେଉଁଭଳି ଭାବେ ହତ୍ୟା କରାଯାଇଛି ତାହାକୁ ଦେଖିଲେ ମାଓବାଦୀଙ୍କ କାମ ହୋଇପାରେ ବୋଲି ଅନୁମାନ କରାଯାଉଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ୧୦ରୁ ୧୫ ଜଣ ନାନ୍ଦୁ ନାଚିକାଙ୍କ ଘରକୁ ଆସି ତାଙ୍କୁ ଡ଼ାକି ନେଇଥିଲେ। ଘରୁ ଯିବାର ଦୀର୍ଘ ସମୟ ପରେ ମଧ୍ୟ ନାନ୍ଦୁ ନଫେରିବାରୁ ଗ୍ରାମବାସୀ ଖୋଜିବାକୁ ବାହାରିଥିଲେ। ଖୋଜାଖୋଜି ସମୟରେ ଗାଁ ମୁଣ୍ଡରେ ନାନ୍ଦୁଙ୍କ ଗଳା କଟା ଶବ ପଡିଥିବା ଦେଖିବାକୁ ମିଳିଥିଲା। ଆଜି ମୃତକଙ୍କ ନାତି ପୂର୍ଣ୍ଣ ନାଚିକା କୁମ୍ବିକୋଟା ଫାଣ୍ଡିକୁ ଆସି ଲିଖିତ ଅଭିଯୋଗ କରିଛନ୍ତି। ସେହିଭଳି ପରିବାର ଲୋକ ଲକ୍ଷ୍ମୀପୁର ଥାନାରେ ମଧ୍ୟ ଲିଖିତ ଜଣାଇଛନ୍ତି। ଅପରପକ୍ଷରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନଥିବାରୁ ଏହି ହତ୍ୟା ଘଟଣାରେ କିଏ ସଂପୃକ୍ତ ସ୍ପଷ୍ଟ ଜଣାପଡୁନାହିଁ। ଆସନ୍ତାକାଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ହିଁ କେଉଁ କାରଣରୁ ନାନ୍ଦୁଙ୍କୁ ହତ୍ୟା କରାଗଲା ସ୍ପଷ୍ଟ ହେବ।

ସମ୍ବନ୍ଧିତ ଖବର