ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଇଂଚୁଡ଼ି ପଞ୍ଚାୟତର ସରପଞ୍ଚଙ୍କ ପ୍ରରୋଚନାରେ ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କର ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ ଘଟିଛି। ମୃତ ଯୁବକଜଣକ ହେଉଛନ୍ତି କୁନା ଦଳେଇ(୩୫)। ଏହି ଘଟଣାକୁ ନେଇ ଏବେ ଇଞ୍ଚୁଡ଼ି ଅଂଚଳରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟଲୋକେ ଇଂଚୁଡ଼ି ସରପଞ୍ଚଙ୍କ ଘର ଆଗରେ ହୋହଲ୍ଲା କରୁଥିବା ବେଳେ ମୁଖ୍ୟରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସକାଳେ ଇଂଚୁଡ଼ିପାହି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରୁ ଚୋରି ହୋଇଥିଲା। ସେମାନେ କୁନା ଦଳେଇଙ୍କୁ ସନ୍ଦେହ କରିବା ପରେ ସେ ମଧ୍ୟ ସେ ଲୋକର ଚୋରି ସାମଗ୍ରୀ ଫେରାଇ କରିଥିବା ଭୁଲ ପାଇଁ କ୍ଷମା ମାଗିଥିଲେ। କିନ୍ତୁ ଗତକାଲି ସକାଳେ ସ୍ଥାନୀୟ ସରପଞ୍ଚ ଏ କଥା ଜାଣିଲା ପରେ କୁନା ଦଳେଇଙ୍କୁ ତା ଘରୁ ଡାକିଆଣି ଛକ ଉପରେ କିଛି ଯୁବକଙ୍କ ଦ୍ୱାରା ନିର୍ଧୁମ ମାଡ଼ ମରାଇଥିଲେ। ଫଳରେ କୁନା ଗୁରୁତର ହୋଇଯାଇଥିଲେ। ଏହାପରେ ସନ୍ଧ୍ୟା ସମୟରେ ୧୦୮ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା।
ଆମ୍ବୁଲାନ୍ସ ପହଂଚିବା ପରେ ସଂପୃକ୍ତ ଯୁବକମାନେ ଫେରାର ହୋଇଯାଇଥିଲେ। ଆମ୍ବୁଲାନ୍ସ କର୍ମଚାରୀମାନେ ଗୁରୁତର ଅବସ୍ଥାରେ କୁନା ଦଳେଇଙ୍କୁ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ନେଇଆସିଥିଲେ। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ତେବେ ଅଭିଯୋଗ ମୁତାବକ ଖବର ପ୍ରସ୍ତୁତ କରିବା ପର୍ଯ୍ୟନ୍ତ ଘଟଣାକୁ ନେଇ ସରପଞ୍ଚଙ୍କ ବିରୋଧରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।