କାଳ ହେଲା ହାତୀ ଦେଖଣା : ଦର୍ଶନାର୍ଥୀଙ୍କୁ ଭୁଷିଦେଲା ଦନ୍ତା

ତିନିଘଣ୍ଟା ଏନ୍‌ଏଚ୍‌ ଅବରୋଧ

ଖମାର : ଶିବଙ୍କୁ ଦର୍ଶନ କରିବାକୁ ଯାଇଥିବା ବେଳେ ଜଙ୍ଗଲୀ ଦନ୍ତାକୁ ଦେଖିବା ଆଜି ପାଳଲହଡ଼ା ବ୍ଲକ ବଡ଼ସଡ଼ା ପଞ୍ଚାୟତ ନିମିରିବେଡ଼ା ଗ୍ରାମର ଜଗ ନାଏକ(୫୦)ଙ୍କ ପାଇଁ କାଳ ହୋଇଛି। ଶ୍ରୀ ନାଏକଙ୍କ ପେଟକୁ ହାତୀଟି ଦାନ୍ତରେ ଭୁଷି ଦେବାରୁ ତାଙ୍କ ଅନ୍ତଃବୁଜୁଳା ବାହାରି ପଡ଼ିଛି। ଖମାର ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାକୁ ନେଇ ଉତ୍ୟକ୍ତ ଲୋକେ ୧୪୯ନମ୍ବର ଜାତୀୟ ରାଜପଥକୁ ପ୍ରାୟ ୩ଘଣ୍ଟା କାଳ ଅବରୋଧ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଖମାର ଥାନା ସାଧପାଳ ଶିବ ମନ୍ଦିର ପାଖ ଆମ୍ବତୋଟାରେ ଏକ ଦନ୍ତାହାତୀ ଆଜି ବୁଲୁଥିଲା। ଦନ୍ତାକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ଏହି ସମୟରେ ଦର୍ଶନ ପାଇଁ ମନ୍ଦିର ଯାଇଥିବା ଶ୍ରୀ ନାଏକ ଉତ୍ସୁକତାର ସହିତ ଦନ୍ତାକୁ ଦେଖିବାକୁ ସେଠାକୁ ଯାଇଥିଲେ। ହଠାତ୍‌ ଦନ୍ତାଟି ସମସ୍ତଙ୍କୁ ମାରିବାକୁ ଗୋଡ଼ାଇଥିଲା। ସମସ୍ତେ ପ୍ରାଣ ରକ୍ଷା କରି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିବା ବେଳେ ଶ୍ରୀ ନାଏକ ଛନ୍ଦି ହୋଇ ତଳେ ଖସି ପଡ଼ିଥିଲେ। ଦନ୍ତା ତାଙ୍କୁ କାବୁ କରି ପେଟକୁ ଦାନ୍ତରେ ଭୁଷି ଦେଇଥିଲା। ଘଟଣାସ୍ଥଳରେ ଶ୍ରୀ ନାଏକଙ୍କର ଅନ୍ତଃବୁଜୁଳା ବାହାରି ପଡ଼ିଥିଲା।

ଜୀବନ ବଞ୍ଚାଇବା ପାଇଁ ଶ୍ରୀ ନାଏକ ଆର୍ତ୍ତ ଚିତ୍କାର କରିଥିଲେ। ଦନ୍ତା ଦୂରକୁ ଯିବା ପରେ ସ୍ଥାନୀୟ ଫରେଷ୍ଟର ଦିବ୍ୟଲୋଚନ ପାତ୍ର ଏବଂ ଲୋକେ ତାଙ୍କୁ ଗୁରୁତର ଅବସ୍ଥାର ଉଦ୍ଧାର କରି ଖମାର ଡାକ୍ତରଖାନାକୁ ଆଣିଥିଲେ। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ଅପରାହ୍‌ଣ ୧ଟାରୁ ତିନି ଘଣ୍ଟା କାଳ ୧୪୯ନମ୍ବର ଜାତୀୟ ରାଜପଥକୁ ଲୋକେ ଅବରୋଧ କରିଥିଲେ। ପାଳଲହଡ଼ା ବିକାଶ ମଞ୍ଚ ସଭାପତି ମନୋଜ କୁମାର ସାହୁ, ଅନୁଗୁଳ ଜିଲ୍ଲା ସିପି(ଏମ୍‌) ସମ୍ପାଦିକା ମୀନାରାଣୀ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସରୋଜ କୁମାର ସାହୁ ପ୍ରମୁଖ ଘଟଣାସ୍ଥଳରେ କ୍ଷତିପୂରଣ ଦାବି କରିଥିଲେ। ପାଳଲହଡ଼ା ବିଧାୟକ ମହେଶ ସାହୁ ଫୋନ୍‌ ଯୋଗେ ପରିବାର ଲୋକଙ୍କୁ ବୁଝାସୁଝା କରିବା ସହିତ ଜିଲ୍ଲା ରେଡ଼୍‍କ୍ରସ ପାଣ୍ଠି ଏବଂ ବନ ବିଭାଗ ପକ୍ଷରୁ ସରକାରୀ ସହାୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧିତ ଖବର