କାମାକ୍ଷାନଗର: ଗାଁ ପୋଖରୀରେ ଅନ୍ୟମାନଙ୍କ ସହିତ ମାଛ ଧରୁଥିବା ବେଳେ ଜଣେ ଧୀବର ପାଣିରେ ବୁଡ଼ି ଯାଇଛନ୍ତି। ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁ ପୋଖରୀରେ ଆଜି ପୂର୍ବାହ୍ନରେ ଏହି ଅଭାବନୀୟ ଅଘଟଣ ଘଟିଛି। ମୃତ ଧୀବର ଜଣକ ହେଲେ ପରଜଙ୍ଗ ଥାନା ଡ଼ମୋଳ ଗାଁର ସଞ୍ଜୟ ସାମଲ (୨୩)।
ସୂଚନା ଅନୁସାରେ ଡମୋଳ ଗାଁର ଅର୍ଜୁନ ସାମଲଙ୍କ ପୁଅ ସଞ୍ଜୟ ନିଜ ସାଥି ମାନଙ୍କ ସହିତ ବସୋଇ ଗାଁ ପୋଖରୀରେ ଆଜି ମାଛ ଧରୁଥିଲେ। ଜାଲ ଟାଣିଲା ବେଳକୁ ସେ ଗଭୀର ଜଳ ରାଶିରେ ବୁଡି ଯାଇଥିଲେ। ସାଥି ସହଯୋଗୀ ନେ ତାଙ୍କୁ ପୋଖରୀ ଭିତରେ ବହୁ ଖୋଜା ଖୋଜି କରି ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ଖବର ପାଇ ଘଟଣାସ୍ଥଳରେ ପରଜଙ୍ଗ ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ଶବ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡ଼ିକାଲ ପଠାଇଛି। ତେବେ ସଞ୍ଜୟଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/kamakshyanagar.jpg)