ବସ୍ତା୨: ଅଗ୍ନିକୁ ସାକ୍ଷୀ ରଖି ବିବାହ ମଣ୍ଡପରେ ଜନ୍ମଜନ୍ମ ପାଇଁ ସ୍ୱାମୀର ହାତ ଧରି ପଡ଼ୋଶୀ ରାଜ୍ୟରୁ ଆସିଥିଲା ସ୍ତ୍ରୀ। ମାତ୍ର ଶେଷରେ ସେହି ସ୍ଵାମୀ ସୈତାନ୍ ସାଜି ରାତିଅଧରେ ନିଜ ସ୍ତ୍ରୀକୁ ଏକୁଟିଆ ଛାଡି ଆସିଲା ରେଳଷ୍ଟେସନରେ। ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଯୁଣବଳଦା ଗ୍ରାମରେ।

Advertisment

ସୂଚନା ଅନୁସାରେ ଯୁଣବଦଳା ଗ୍ରାମର ଅଜିତ ମଲ୍ଲିକ ପଡ଼ୋଶୀ ଝାଡ଼ଖଣ୍ଡରେ କିଛି ମାସ ପୂର୍ବରୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ଉଭୟ ଅଜିତ ଓ ତାଙ୍କ ପତ୍ନୀ ଆଶା ହିମାଚଳ ପ୍ରଦେଶରେ ରହୁଥିଲେ। ମାତ୍ର ଏକ ମାସ ପୂର୍ବରୁ ଉଭୟ ଯୁଣବଳଦା ଗ୍ରାମକୁ ଫେରିଥିଲେ। ଗ୍ରାମକୁ ଆସିବା ଦିନଠାରୁ ସ୍ଵାମୀ ଓ ପରିବାର ଆଶାକୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଶେଷରେ ଗତକାଲି ଆଶାଙ୍କୁ ନେଇ ନିଜ ବାପା ଘର (ଝାଡ଼ଖଣ୍ଡ)କୁ ଛାଡ଼ିବାକୁ ଅଜିତ କହିଥିଲା। ତେଣୁ ଅଜିତ ଦୁଇ ତିନି ସହଯୋଗୀଙ୍କୁ ନେଇ ଲକ୍ଷ୍ମଣନାଥ ଷ୍ଟେସନକୁ ଯାଇଥିଲା। ସେଠାରେ ରାତ୍ରିର ଶେଷ ପାସେଞ୍ଜର ଟ୍ରେନରେ ଯିବାକୁ କହିଥିଲା ଏବଂ ମୁଁ ଏଟିଏମ୍‌ରୁ ଟଙ୍କା ଉଠାଇ ନେଇ ଆସୁଛି କହି ବାହାରକୁ ଯାଇଥିଲା। କିନ୍ତୁ ଅଜିତ ଆଉ ରେଳଷ୍ଟେସନକୁ ଫେରି ନଥିଲା। ସେ ସ୍ତ୍ରୀ ଆଶାଙ୍କୁ ରେଳଷ୍ଟେସନରେ ଏକୁଟିଆ ଛାଡ଼ି ସାଥୀ ଯୁବକଙ୍କ ସହିତ ଚମ୍ପଟ ମାରିଥିଲା।

ଶେଷରେ ସ୍ୱାମୀଙ୍କୁ ଅପେକ୍ଷା କରି ବିଳମ୍ବିତ ରାତ୍ରିରେ କୌଣସି ଉପାୟ ନପାଇ ଷ୍ଟେସନରେ ବସି ଏକୁଟିଆ କାନ୍ଦୁଥିଲେ ଆଶା। ଆଜି ସକାଳୁ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଆଶା କାନ୍ଦୁଥିବା ଦେଖି ତାଙ୍କ ପାଖକୁ ଆସିଥିଲେ। ଆଶାଙ୍କ ଠାରୁ ଘଟଣା ସମ୍ପର୍କରେ ବୁଝି ତାଙ୍କୁ ବସ୍ତା ଥାନାରେ ଜିମା ଦେଇଥିଲେ। ବସ୍ତା ପୁଲିସ ଏହି ଘଟଣାର ତଦନ୍ତ ପୂର୍ବକ ସ୍ଵାମୀ ଏବଂ ପରିବାର ଲୋକଙ୍କୁ ଥାନାକୁ ଡକାଇ ଥିବା ବେଳେ ଅଧିକ ତଦନ୍ତ ଚଳାଇଛି।