ବସ୍ତା-୨: କଲେଜ ପଢୁଆ ପୁଅକୁ ଆଣିବାକୁ ଯାଉଥିବା ବେଳେ ଅଜଣା ବୋଲେରୋ ବାପାଙ୍କୁ ଧକ୍କା ଦେଇଛି। ଏହି ଦୁର୍ଘଟଣାର ଶିକାର ହୋଇ ଛଟପଟ ହେଉଥିବା ବ୍ୟକ୍ତିଙ୍କୁ ଘଟଣାସ୍ଥଳରେ ପହଞ୍ଚି ଥିବା ସହକାରୀ ଯନ୍ତ୍ରୀ ତୁରନ୍ତ ଡାକ୍ତରଖାନା ନେଇଛନ୍ତି। କିନ୍ତୁ ଡାକ୍ତରଖାନାରେ ପହଞ୍ଚିଲା ପରେ ଗୁରୁତର ବ୍ୟକ୍ତିଙ୍କୁ ସେଠାରେ ଡାକ୍ତର  ମୃତ ଘୋଷଣା କରିଛନ୍ତି। ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର କୁଡ଼ିଆ ନିକଟରେ ଶୁକ୍ରବାର ପୂର୍ବାହ୍‌ଣରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ମୃତକ ହେଲେ ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଘଣ଼ଟିଆଡି ଗ୍ରାମର ମଙ୍ଗୁଳି ଚରଣ ସାହୁଙ୍କ ପୁଅ ପ୍ରହଲ୍ଲାଦ ସାହୁ (୪୭) ବୋଲି ଜଣାପଡିଛି।

Advertisment

ସୂଚନା ଅନୁସାରେ ପ୍ରହଲ୍ଲାଦ ଆଜି ଦିନ ୧୧ଟା ସମୟରେ ବାଲିଆପାଳରୁ ନିଜର ସ୍କୁଟି (ଓଡି୦୧ଏଏଚ୍‌୮୮୦୮) ଯୋଗେ ବାଲେଶ୍ଵରସ୍ଥିତ ଝାଡେଶ୍ବର କଲେଜକୁ ନିଜର ପୁଅକୁ ଆଣିବାକୁ ଯାଉଥିବା ସମୟରେ ଦୁର୍ଘଟଣାର ସାମ୍ନା କରିଥିଲେ। ଏକ ଅଜଣା ବୋଲେରୋ ପ୍ରହଲ୍ଲାଦଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ତେବେ ଦୁର୍ଘଟଣା ଘଟିବା ପରେ ରାଜପଥ ଉପରେ ଯାଉଥିବା ବସ୍ତା ବ୍ଲକ୍‌ର ସହକାରୀ ଯନ୍ତ୍ରୀ କୁଇଲି ଟୁଡୁ ତୁରନ୍ତ ବ୍ଲକ ଗାଡ଼ିରେ ବସ୍ତା ମେଡିକାଲକୁ ଆଣିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ବସ୍ତା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାପଡିଛି। ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଥିଲା। ପୁଲିସ ବୁଝାସୁଝା କଲା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।